Cricketer’s Death
ଆଖିର ତାରା ଆଖି ଆଗରେ ଛଟପଟ ହୋଇ ଆଖି ବୁଜିଲେ, କେଉଁ ମାଆର ବା ଧୈର୍ଯ୍ୟ ରହିବ। ଛାତି କୋରି ହୋଇଗଲା ଭଳି ସେ ଦୃଶ୍ୟ ଥିଲା । ବଡ଼ ବିଚଳିତ କଲା ଭଳି ଘଟଣା । କାନ୍ଦି କାନ୍ଦି ମୁଣ୍ଡକୁ ପିଟି ପକାଉଥିଲା ମାଆ। ଛାଟିପିଟି ହୋଇ, ଖାଲି ପୁଅ ପୁଅ ବୋଲି ରାହା ଛାଡ଼ୁଥିଲା।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିରିପୁରର ୧୯ ବର୍ଷୀୟ ଶଙ୍କର ମହାରଣା। କାଲି ଉପରବେଳା ଘର ପାଖରେ କ୍ରିକେଟ୍ ଖେଳ ଦେଖୁଥିବା ବେଳେ, ପେଟରେ ଜୋରରେ ବାଜିଲା ବଲ୍। ତା ପରେ ଭୀଷଣ ଯନ୍ତ୍ରଣା, ତୁହାକୁ ତୁହା ବାନ୍ତି । ପୁଅକୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ଏମକେସିଜିକୁ ରେଫର୍ କରିଦେଲେ ଡାକ୍ତର। ଆଉ ତା ପରେ ପୂରା ପରିବାର ପାଇଁ ଆରମ୍ଭ ହୋଇଥିଲା ଯନ୍ତ୍ରଣାଭରା ଏକ ଲମ୍ବା ରାତି।
ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁରୁ ବ୍ରହ୍ମପୁର ନେବା ବେଳେ, ଖଲ୍ଲିକୋଟ ସାନଘାଟିରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ। ସେତେବେଳକୁ ରାତି ପ୍ରାୟ ୧୨ଟା। ସମୟ ଗଡ଼ି ଗଡ଼ି ଯାଉଥିଲା । ପୁଅର ଯନ୍ତ୍ରଣା ବଢ଼ି ବଢ଼ି ଚାଲଥିଲା। ହେଲେ ସଜଡ଼ା ହୋଇପାରୁନଥିଲା ଆମ୍ବୁଲାନ୍ସ। ଗାଡ଼ିକୁ କିଛି ବାଟ ଠେଲି ଠେଲି ନେଲେ ବି ଏହା ଷ୍ଟାର୍ଟ ହୋଇନଥିଲା। ଏପଟେ ରାସ୍ତାରେ ହାତ ଦେଖାଇଲେ ବି ରାତି ଅଧରେ ଅଟକି ନଥିଲା ଅନ୍ୟ କୌଣସି ଗାଡ଼ି।
ଏସବୁ ଭିତରେ, ପାଖ ଖଲ୍ଲିକୋଟ କିମ୍ବା କୋଦଳାରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ, ପ୍ରାୟ ୫୦-୬୦ କିଲୋମିଟର ଦୂର ବେଗୁନିଆପଡ଼ାରୁ ଆସି ପହଞ୍ଚିଲା ଆଉ ଗୋଟିଏ ଆମ୍ବୁଲାନ୍ସ। ସେତେବେଳକୁ ବିତି ସାରିଥାଏ ୩ ଘଣ୍ଟା ସମୟ। ଶଙ୍କରଙ୍କ ପରିବାର ପାଇଁ ଯେମିତି ୩ଟି ଯୁଗ।
ସେମାନଙ୍କ କହିବା କଥା, ଦ୍ବିତୀୟ ଆମ୍ବୁଲାନ୍ସରେ ସାନଘାଟିରୁ ରାତି ୩ଟାରେ ବାହାରି ବ୍ରହ୍ମପୁରରେ ଭୋର୍ ୪ଟା ବେଳେ ପହଞ୍ଚିବା ବେଳକୁ, ନିସ୍ତେଜ ହୋଇସାରିଥିଲା ପୁଅର ଛଟପଟ ଶରୀର। ଶେଷରେ ମୃତ ଘୋଷଣା କରିଥିଲେ ଏମକେସିଜି ଡାକ୍ତର।
ଶଙ୍କରଙ୍କ ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାରବର୍ଗ ଓ ସଂପର୍କୀୟ। କହିଛନ୍ତି, ୧୦୮ ଆମ୍ବୁଲାନ୍ସ ଯୋଗୁଁ ହିଁ ଚାଲିଗଲା ପୁଅର ଜୀବନ। ଆମ୍ବୁଲାନ୍ସ ଗାଡ଼ି ୭-୮ ମାସ ହେଲା ମେଣ୍ଟେନାନ୍ସ ହୋଇନଥିବା ନିଜେ କହିଥିଲେ ଡ୍ରାଇଭର୍।
ଯଦି ଏକଥା ସତ, କାହିଁକି ଏଭଳି ଚରମ ଅବହେଳା କରିଥିଲା ୧୦୮ ଆମ୍ବୁଲାନ୍ସ ଦାୟିତ୍ବ ନେଇଥିବା ସଂସ୍ଥା ? ଆମ୍ବୁଲାନ୍ସ ଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ହେଉଛି ତ ? କାହିଁକି ଗୁରୁତର ରୋଗୀକୁ ଆମ୍ବୁଲାନ୍ସରେ ୩ ଘଣ୍ଟା ଅଟକିବାକୁ ପଡ଼ିଲା ? କାହିଁକି ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିପାରିଲାନି ଆଉ ଗୋଟିଏ ଆମ୍ବୁଲାନ୍ସ ?
ଗୋଟିଏ ଆମ୍ବୁଲାନ୍ସ ଅଧାବାଟରେ ଖରାପ ହେଲେ, କଣ ରହିଛି ଏହାର ବ୍ୟାକଅପ୍ ପ୍ଲାନ୍ ? ଅନ୍ୟପଟେ ଯୁବକଙ୍କ ମୃତ୍ୟୁ ଘଟଣାର ସଫେଇ ରଖିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ତ୍ତୃପକ୍ଷ। ରାତି ପ୍ରାୟ ୨ଟାରେ ସେ ଆମ୍ବୁଲାନ୍ସ ଖରାପ ହୋଇଥିବା ସୂଚନା ପାଇଥିଲେ ଏବଂ କୋଦଳାରୁ ଆଉ ଏକ ଆମ୍ବୁଲାନ୍ସ ପଠାଯାଇଥିଲା ବୋଲି କହିଛନ୍ତି।
ଖଲ୍ଲିକୋଟର ଏଭଳି ଘଟଣା ଦେଖିଲେ, ମନରେ ପ୍ରଶ୍ନ ଉଠୁଛି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ରୋଗୀକୁ ହସ୍ପିଟାଲରେ ପହଞ୍ଚାଇବାକୁ ହୋଇଛି, ନା ମରଣ ମୁହଁକୁ ଠେଲି ଦେବାକୁ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751645207.jpg)