ଘର ଭିତରେ ପଡ଼ିଛି ପୁଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ଦୂଆର ମୁହଁରେ ରଡିଛାଡ଼ି କାନ୍ଧୁଛନ୍ତି ପରିବାର । ମାଟିରେ ଲୋଟିପଡ଼ୁଛି ମା’ । ବାପା ବି କୋହ ସମ୍ଭାଳିପାରୁନାହାନ୍ତି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଦୀପକ ସାହୁଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି ।
Also Read
ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଦୀପକ ସବୁଦିନ ପରି ରାତିରେ ଘରୁ ଖାଇବା ପିଇବା ସାରି ଦୋକାନକୁ ଶୋଇବାକୁ ଆସିଥିଲେ । ମାତ୍ର ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ ଅପ୍ ହୋଇଥିଲା । ସକାଳେ ମାଆ ଯେତେବେଳେ ପୁଅ ପାଖକୁ ଯାଇଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅର ମୃତଦେହ ଦେଖିବାକୁ ପାଇଥିଲେ । ଆଉ ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସରଞ୍ଜାମ ଲୁଟ ହୋଇଯାଇଥିଲା ।
ତେବେ ଦୀପକଙ୍କ ଏହି ହତ୍ୟା ପଛର କାରଣ କ’ଣ ତାହା ଜଣାପଡ଼ିନାହିଁ । କିଏ ଓ କାହିଁକି ଏପରି ଦୀପକଙ୍କୁ ହତ୍ୟା କଲା ସେନେଇ ପୋଲିସ ତଦନ୍ତ ଚଳାଇଛି ।