/odishatv-khabar/media/post_attachments/uploadimage/library/16_9/16_9_0/Big_Gift_1755614437.jpg)
Big Gift
କମିବ ଟ୍ରାଫିକ, ସହଜ ହେବ ଯାତାୟାତ । ଭୁବନେଶ୍ୱର ସହର ଭିତରକୁ ଆଉ ପଶିବନି ଭାରି ଯାନ । ବାଇପାସ୍ ଦେଇ ବାହାରି ଯିବେ ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଗାଡ଼ି ।
ଖୋର୍ଦ୍ଧା ରାମେଶ୍ବରରୁ ଚୌଦ୍ବାର ଟାଙ୍ଗୀ ଯାଏଁ ଖୋଲିବ ପ୍ରଗତିର ନୂଆ ରାସ୍ତା ।
୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ପ୍ରକଳ୍ପ ଉପରେ ବାଜିଛି କେନ୍ଦ୍ର କ୍ୟାବିନେଟ୍ ମୋହର। ଚୂଡାନ୍ତ ହୋଇ ପ୍ରସ୍ତାବିତ ରାସ୍ତା। ନିଷ୍ପତ୍ତି ଅନୁଯାୟୀ, ଆକ୍ସେସ୍ -କଣ୍ଟ୍ରୋଲ୍ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ଅଧିନରେ ନିର୍ମାଣ ହେବ ଏ ବାଇପାସ୍। ଯାହା ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ତିନି ଜିଲ୍ଲା ଦେଇ ଲମ୍ବିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୮ ହଜାର ୩୦୭ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ହେବ। ହାଇବ୍ରିଡ ମୋଡରେ ଏହାକୁ ନିର୍ମାଣ କରିବାକୁ ବ୍ୟବସ୍ଥା ହୋଇଛି। ଏବେ ରାମେଶ୍ବର-ଟାଙ୍ଗୀ ଜାତୀୟ ରାଜପଥରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି।
ସମସ୍ତ ଗାଡି ଖୋର୍ଦ୍ଧା-ଭୁବନେଶ୍ବର-କଟକ ଦେଇ ଯାତାୟାତ କରୁଥିବାରୁ ପ୍ରବଳ ଟ୍ରାଫକ ସମସ୍ୟା ସହରବାସୀ ସାମନା କରୁଛନ୍ତି। ଏଥିରେ ସୁଧାର ଆଣିବାକୁ ଭୁବନେଶ୍ବର ବାଇପାସ ଗ୍ରୀନଫିଲ୍ଡ ହାଇୱେର ପରିକଳ୍ପନା କରାଯାଇଛ ବୋଲି କୁହାଯାଇଛି। ଏହି ପ୍ରକଳ୍ପ ହେଲେ ଓଡିଶା ସମେତ ପୂର୍ବ ଭାରତର ଅନ୍ୟ ରାଜ୍ୟକୁ ବି ବେଶ ଫାଇଦା ହେବ। ମାଲବାହୀ ଗାଡି ସହଜରେ ଯାତାୟାତ କରିବା ସହିତ ପରିବହନ ଖର୍ଚ୍ଚ ବି କମିଯିବ। ଏଥିସହ ପୁରା ଅଞ୍ଚଳର ସାମାଜିକ ଓ ଅର୍ଥନୈକ ଅଭିବୃଦ୍ଧି ଆଣିବାରେ ସହାୟକ ହେବ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ପ୍ରସ୍ତାବିତ ବାଇପାସ ସହିତ ତିନିଟି ପ୍ରମୁଖ ଜାତୀୟ ରାଜପଥ ଏନଏଚ ୫୫, ଏନଏଚ ୫୭, ଏନଏଚ ୬୫୫ ସହ ରାଜ୍ୟ ରାଜପଥ ୬୫ ମଧ୍ୟ ସଂଯୋଗ କରିବ। ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଢେଙ୍କାନାଳକୁ ସଂଯୋଗ ଏକପ୍ରକାର ସହଜ ହୋଇଯିବ। ଏଥିସହ ଆର୍ଥିକ, ସାମାଜିକ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ଏଇ ରାସ୍ତା। କେବଳ ମାଲ ପରିବହନ ନୁହେଁ ଯାତ୍ରୀ ପରିବହନରେ ବି ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ। ରେଳ ଷ୍ଟେସନ, ବିମାନ ବନ୍ଦର, ପ୍ରସ୍ତାବିତ ଅସ୍ତରଙ୍ଗ ଓ ପୁରୀ ଭଳି ଦୁଇଟି ବନ୍ଦର ଏବଂ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ କୁ ଗମନାଗମନକୁ ଅଧିକ ସୁଗମ କରିବ।
କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଥରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ, ଏହା ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧିକୁ ବଳ ଦେବା ସହ ପ୍ରମୁଖ ଧାର୍ମିକ ଓ ଇକୋନମିକ୍ ସେଣ୍ଟରକୁ ଯୋଡି ନୂଆ ଶିଳ୍ପ ଓ ବାଣିଜ୍ୟ ପାଇଁ ପଥ ପରିଷ୍କାର କରିବ। ଏହାଦ୍ବାରା ୭୪ ଲକ୍ଷ ୪୩ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହ ୯୩ ଲକ୍ଷ ୪ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ, ମେଗା ଫୁଡ ପାର୍କ, ବୟନଶିଳ୍ପ କ୍ଲଷ୍ଟର, ଫାର୍ମା କ୍ଲଷ୍ଟର ସହ ଫିସିଂ କ୍ଲଷ୍ଟରର ବିକାଶ କରିବାରେ ମୁଖ୍ୟ ଭୂମିକା ତୁଲାଇବ। ସେହିଭଳି ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରଭାବିତ ଜିଲ୍ଲାକୁ ଅନେକ ଫାଇଦା ହେବ। ସେପଟେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ରାଜ୍ୟ ପାଇଁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ ଯନ୍ତ୍ରୀ। ଅନ୍ୟପଟେ ସ୍ଥାନୀୟ ଲୋକ ବି ନୂଆ ସମ୍ଭାବନା ଓ ସୁଯୋଗ ଆଣିବ ବୋଲି ମତ ରଖିଛନ୍ତି। ଆସନ୍ତା ଅଢେଇ ବର୍ଷ ମଧ୍ୟରେ ପ୍ରସ୍ତାବିତ ଭୁବନେଶ୍ବର ବାଇପାସ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)