ମିଳିବ ଦଶହରା ଭେଟି, ଉତ୍ସାହିତ ମହିଳା; ରାତି ପାହିଲେ ଆସିବ ସୁଭଦ୍ରା ଟଙ୍କା

ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି ।

Subhadra Yojana

ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି । ବାରିପଦାରେ ମୁଖ୍ୟମନ୍ତ୍ରୀ ବଡ଼ ସଭା କରି ମହିଳାଙ୍କ ଖାତାକୁ ଟଙ୍କା ପଠାଇବେ । ଯେଉଁଥିପାଇଁ ମହିଳାମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ସେପଟେ ଗୋଟିଏ ମାସରେ ସୁଭଦ୍ରା ଯୋଜନା ପାଇଁ ଏକ କୋଟି ମହିଳା ଆବେଦନ କରିବା ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ମିଳିବ ଦଶହରା ଭେଟି, ଉତ୍ସାହିତ ମହିଳା । ଆଉ ଏପଟେ ବାରିପଦାରେ ଭବ୍ୟ ଆୟୋଜନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତାକାଲି ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ । ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଉ କିଛି ମନ୍ତ୍ରୀ ବି ଉପସ୍ଥିତ ରହିବେ ।

ଏହି ଅବସରରେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଓ ଏକ କୋଟିତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଟଙ୍କା । ଦିନ ୧୨ଟା ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ମାସକ ଭିତରେ କୌଣସି ସରକାରୀ ଯୋଜନାରେ ଏକ କୋଟି ମହିଳା ପଞ୍ଜୀକରଣ କରିବା ରେକର୍ଡ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯିବାକୁ ଥିବାରୁ ହିତାଧିକାରୀଙ୍କ ଘରେ ଏବେ ବେଶ୍ ଉତ୍ସାହ । ଆଉ କିଛି ମହିଳା ସୁଭଦ୍ରା ଟଙ୍କା ଆସିଲେ ବ୍ୟବସାୟରେ ବିନିଯୋଗ କରିବେ ବୋଲି କହିଛନ୍ତି । ସେପ୍ଟେମ୍ବର ୧୭ରେ ପ୍ରଥମ ପର୍ଯ୍ୟାୟରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କୁ ଖାତାକୁ ଟଙ୍କା ଯାଇଥିଲା । ଆସନ୍ତାକାଲି ଅକ୍ଟୋବର ୯ରେ ଆଉ ୩୫ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାପରେ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା ।