ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର ଜନତା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ଏସଓଜି ଯବାନ ଏବଂ ଏସପିଜି ପକ୍ଷରୁ ମକ୍ଡ୍ରିଲ୍ କରାଯାଉଛି । ମୁଖ୍ୟ ଶାସନ ସଚିବ ମଧ୍ୟ ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜାନୁଆରୀ ୮ରୁ ଭୁବନେଶ୍ୱରରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।
୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ଲାଗି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ । ଏଥିପାଇଁ ଜନତା ମଇଦାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । କେଉଁଠି ଉଦଘାଟନୀ ମଞ୍ଚ କାମ ଚାଲିଛି ତ’ ଆଉ କେଉଁଠି ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଷ୍ଟେଜ୍ ତିଆରି ଓ ସାଜସଜା । ସବୁଠି ରହିଛି ଓଡ଼ିଆ କଳା, ସଂସ୍କୃତି, କାରୁକାର୍ଯ୍ୟର ଛାପ ।
ପ୍ରବାସୀ ଭାରତୀୟ ଦିବସ ପାଳନ ଲାଗି ଜନତା ମଇଦାନରେ ଛିଡ଼ା ହେଲାଣି ୧୦ଟି ବିଶାଳ ହ୍ୟାଙ୍ଗର । ସବୁଠୁ ବଡ଼ ହ୍ୟାଙ୍ଗରରେ ଉଦଘାଟନୀ ଓ ଉଦ୍ଯାପନୀ ମଞ୍ଚ ରହିବ । ଏହାପାଖକୁ ଲାଗି ରହିଛି ପ୍ଲାନେରୀ ହ୍ୟାଙ୍ଗର, ଯେଉଁଠି ପ୍ରବାସୀ ଭାରତୀୟଙ୍କ ଲାଗି ବିଭିନ୍ନ ଅଧିବେଶନ ରହିବ । ଏହାପାଖକୁ ଲାଗି ରହିଛି ଥିମ୍ ପାଭିଲିୟନ । ଥିମ୍ ପାଭିଲିୟନରେ ମାଣ୍ଡଭି ଟୁ ମସ୍କଟ୍, ଦି ରାମାୟଣ, କଣ୍ଟ୍ରିବ୍ୟୁସନ ଅଫ୍ NRIS ଓ ଇନ୍କ୍ଲୁସିଭ୍ ଇଣ୍ଡିଆ ପାଭିଲିୟନ ସମେତ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ରହିଛି ।
Also Read
ଅଧିକ ପଢ଼ନ୍ତୁ: ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ
ଓଡ଼ିଶା ପାଭିଲିୟନରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ସ୍ଥପତି ଠାରୁ ଆରମ୍ଭ କରି ଟସର, କୋଟପାଡ୍, ପଶାପଲି, ମାଣିଆବନ୍ଧ ହସ୍ତତନ୍ତଠୁ ଆରମ୍ଭ କରି ତାରକସୀ କାମ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କାମ ଆଦିକୁ ପ୍ରଦର୍ଶିତ କରାଯିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଏବେ ସୁଦ୍ଧା ଅଢ଼େଇ ହଜାରରରୁ ଅଧିକ ପଞ୍ଜୀକରଣ କଲେଣି ।
ଏହି ସମୟରେ ଭୁବନେଶ୍ୱରରେ ଏକାମ୍ର ଉତ୍ସବ, ପଥ ଉତ୍ସବ, ମୁକ୍ତେଶ୍ୱର ଫେଷ୍ଟିଭାଲ ସହ ପୁରୀରେ ସି ବିଚ୍ ଫେଷ୍ଟିଭାଲ ମଧ୍ୟ ଚାଲିବ । ପ୍ରବାସୀ ଭାରତୀୟଙ୍କୁ ରାଜ୍ୟର ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ବୁଲାଇ ନେବାକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହିପାରୁଥିବା ଗାଇଡ୍ ନିୟୋଜିତ ହେବେ । ହୋମ୍ ଷ୍ଟେ ଜରିଆରେ ପ୍ରବାସୀ ଭାରତୀୟଙ୍କ ରହିବା ବ୍ୟବସ୍ଥା କରାଯାଇ ଓଡ଼ିଶାର ଖାଦ୍ୟ ପ୍ରଣାଳି, ଆତିଥେୟତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲାଗି ଏକ ବଡ଼ ସୁଯୋଗ ଆସିଛି ।
ଏହି ଉତ୍ସବ ବେଳେ ସାରା ବିଶ୍ବର ଫୋକସ ଓଡ଼ିଶା ଉପରେ ରହିବ। ଏହି ମହାକୁମ୍ଭ କେବଳ ଆନ୍ତର୍ଜାତିକ ପର୍ଯ୍ୟଟକ ନୁହେଁ, ଘରୋଇ ପର୍ଯ୍ୟଟକଙ୍କୁ ମଧ୍ୟ ଓଡ଼ିଶାକୁ ଆକୃଷ୍ଟ କରିବାରେ ବେଶ୍ ସହାୟକ ହେବ । ଏବେ ସମସ୍ତଙ୍କ ଅପେକ୍ଷା ଜାନୁଆରୀ ୮କୁ । ଯେତେବେଳେ ଏହି ବହୁ ପ୍ରତୀକ୍ଷିତ ସମ୍ମିଳନୀ ଶୁଭାରମ୍ଭ ହେବ ।