Advertisment

Balanga Case: ବଳଙ୍ଗା ପୀଡ଼ିତା ଘଟଣାରେ ଥମୁନି ରାଜନୀତି; ୭ରେ ବିଜେଡ଼ିର ହରତାଳ, ୧୪ରେ କଂଗ୍ରେସର ପଦଯାତ୍ରା

ସେଦିନ ଜାଳି ଦେଇଥିଲା ନିଆଁ, ଆଜି କୋଳେଇ ନେଲା ମାଟି। ସେଦିନ ଯନ୍ତ୍ରଣାରେ ଜଳୁଥିଲା ସର୍ବାଙ୍ଗ, ମୃତ୍ୟୁ ପରେ ଆଜି କବର ଭିତରେ ଆଶ୍ରୟ ନେଇଗଲା ମରଶରୀର ।

Balanga Victim Laid to Rest, Protests Escalate Over Political Blame

Balanga Victim Laid to Rest, Protests Escalate Over Political Blame

Advertisment

ମରଣ ସହ ଯୁଝିଯୁଝି ଶେଷରେ ଦିଲ୍ଲୀ ଏମ୍ସରେ ହାରିଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ସରିଛି ଅନ୍ତିମ ସତ୍କାର। ଆଜି ବାୟାବର ନୂଆ ଗୋପାଳପୁରରେ ହୋଇଛି ଶେଷକୃତ୍ୟ। ଇସଲାମ ଧର୍ମ ଅନୁଯାୟୀ, ଆଜି କବର ଦିଆଯାଇଛି। ଏତେସବୁ ପରେ ବି ଥମୁନି ରାଜନୀତି। କଂଗ୍ରେସ ଓ ବିଜେଡି ଆଜି ବିକ୍ଷୋଭ କରିବା ସହ ଆସନ୍ତା ୭ରେ ପୁରୀରେ ହରତାଲର ଡାକରା ଦେଇଛି ବିଜେଡି। ବିରୋଧୀଙ୍କୁ ନିଶାନା କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଇସ୍ତଫା ଦେଲେ ଯଦି ପୀଡିତା ବଞ୍ଚିଯାଆନ୍ତେ, ମୁଁ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ।

Advertisment

ସେଦିନ ଜାଳି ଦେଇଥିଲା ନିଆଁ, ଆଜି କୋଳେଇ ନେଲା ମାଟି। ସେଦିନ ଯନ୍ତ୍ରଣାରେ ଜଳୁଥିଲା ସର୍ବାଙ୍ଗ, ମୃତ୍ୟୁ ପରେ ଆଜି କବର ଭିତରେ ଆଶ୍ରୟ ନେଇଗଲା ମରଶରୀର । ବିଦାୟ ଜଣାଇଛନ୍ତି ଆତ୍ମୀୟ ସ୍ବଜନ, ଗାଁ ଭାଇ, ଜନପ୍ରତିନିଧି। ଶେଷକୃତ୍ୟରେ ସାମିଲ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶୋକାକୂଳ ପରିବେଶରେ ବାୟାବର ନୂଆ ଗୋପାଳପୁର ଗାଁରେ ହୋଇଥିଲା ଶେଷକୃତ୍ୟ। କିଏ ଲୁହ ଗଡ଼ାଉଥିଲେ ତ ଆଉ କିଏ ଝୁରି ହେଉଥିଲେ ନାବାଳିକାଟିକୁ। ସମସ୍ତଙ୍କ ମୁହଁରେ ବାରି ହେଉଥିଲା, ଅଘଟଣ ପଛର ପ୍ରଶ୍ନ ସବୁ। ଶନିବାର ଦିଲ୍ଲୀ ଏମସରେ ପ୍ରାଣ ହରାଇବା ପରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ମରଶରୀର। ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନିଆଯାଇଥିଲା ବଳଙ୍ଗା ପୈତୃକ ଗାଁ ବାୟାବରର ନୂଆ ଗୋପାଳପୁର। କାଳେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବ, ସେହି ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା ବି ବ୍ୟାପକ ଥିଲା।  ଇସଲାମ୍ ଧର୍ମ ଅନୁସାରେ ଜନାଜା ନମାଜ ପାଠ ପରେ ପୀଡ଼ିତାଙ୍କ ଏଭଳି ସରିଥିଲା ଅନ୍ତିମ ସତ୍କାର।

ମରଣ ବିରୋଧରେ ୨ ସପ୍ତାହ ଧରି ଲଢ଼େଇ କରି ଶେଷରେ ନାବାଳିକା ଝିଅଟି ତ ଚାଲିଗଲା ଆରପାରି। ହେଲେ ସମ୍ବେଦନଶୀଳ ଘଟଣାର ଏହି ପୃଷ୍ଠଭୂମି ଉପରେ କିନ୍ତୁ ସରୁନି ରାଜନୀତିର ରୁଟି ସେକା। ପୀଡ଼ିତାଙ୍କ ମୃତ୍ୟୁ ଓ ପୋଲିସ ତଦନ୍ତର ଗତିବିଧି ଉପରକୁ ଅଙ୍ଗୁଳି ଉଠାଉଥିବା ବିରୋଧୀ ଆଜି ଗର୍ଜିଛନ୍ତି ରାଜଧାନୀରେ। ସିଏମଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ଓ ଯୁବ କଂଗ୍ରେସ ମଧ୍ୟରେ ଉପୁଜିଥିଲା ଏଭଳି ପରିସ୍ଥିତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଥିଲା ଯୁବ କଂଗ୍ରେସ। ପିସିସି ସଭାପତି କହିଛନ୍ତି, ଯେଉଁସ୍ଥାନରେ ପୀଡ଼ିତାଙ୍କୁ ନିଆଁ ଲାଗିଥିଲା, ସେହି ସ୍ଥାନରୁ ନିମାପଡ଼ା ଯାଏଁ ୧୪ ତାରିଖରେ ପଦଯାତ୍ରା କରାଯିବ। ସେହିପରି ମାଷ୍ଟରକ୍ୟାଣ୍ଟିନରେ ଛାତ୍ର ଏବଂ ଯୁବ ବିଜେଡ଼ି ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଆସନ୍ତା ୭ରେ ପୁରୀରେ ହରତାଲ୍ ଡାକରା ଦେଇଛି ବିଜେଡି।

Advertisment

ଝିଅର ମୃତ୍ୟୁ ପାଇଁ କାହାକୁ ଦୋଷାରୋପ କରିନାହାଁନ୍ତି ପୀଡ଼ିତାଙ୍କ ବାପା। ଏପରିକି ରାଜନୀତି ନକରିବାକୁ ନିବେଦନ ବି କରିଛନ୍ତି। ଏହି ଘଟଣାରେ ଏଯାଏଁ ଅନ୍ୟ କାହାର ସଂପୃକ୍ତି ଥିବା ଜଣାପଡ଼ିନଥିବା କରିସାରିଛି କ୍ରାଇମବ୍ରାଞ୍ଚ ସହାୟତାରେ ତଦନ୍ତ କରୁଥିବା ପୁରୀ ପୋଲିସ। ତଥାପି ପ୍ରଶ୍ନ ଉଠାଇ ଇସ୍ତଫା ଦାବି କରୁଛନ୍ତି ବିରୋଧୀ। ଯାହାଙ୍କୁ ପାଲଟା ନିଶାନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି, ଇସ୍ତଫା ଦେଲେ ଯଦି ଝିଅଟିର ଜୀବନ ବଞ୍ଚିଯାଇପାରନ୍ତା, ତା’ହେଲେ ମୁଁ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ। ମୃତ୍ୟୁବରଣ କରିଥିବା ଛୋଟ ଝିଅକୁ ନେଇ ରାଜନୀତି ଗ୍ରହଣୀୟ ନୁହେଁ।

ଜୁଲାଇ ୧୯ରେ ଜଳିଯାଇଥିଲେ ବଳଙ୍ଗା ପୀଡ଼ିତା। ଏହାପଛରେ ମାନସିକ ଚିନ୍ତା ବୋଲି କହିଥିଲେ ବାପା। ହେଲେ କାହିଁକି ଥିଲା ମାନସିକ ଚିନ୍ତା ? ତାହାର ଉତ୍ତର କେବେ ଆସୁଛି, ତାକୁ ଅପେକ୍ଷା।

Advertisment
Political Blame Game In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ