ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଖଣ୍ତନ କଲେନି ଗଜପତି; ବଢ଼ୁଛି ଚର୍ଚ୍ଚା, ହେବ ଯାଞ୍ଚ

ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଜୋର୍ ଧରୁଛି ଚର୍ଚ୍ଚା ।

Ratna Bhandar

ଶ୍ରୀମନ୍ଦିର ଭିତରେ ସୁଡ଼ଙ୍ଗ ରହିଛି କି? ଏମିତି କିଛି ଚର୍ଚ୍ଚାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁଡ଼ଙ୍ଗ ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ମହାରାଜା । ସୁଡ଼ଙ୍ଗ ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା କେବଳ ASI ଯାଞ୍ଚ ଦ୍ୱାରା ଜଣାପଡ଼ିବ । ଭିତର ଓ ବାହାର ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବା ପରେ ଏନେଇ ଅନୁଧ୍ୟାନ ଆରମ୍ଭ କରାଯିବ।

ରତ୍ନ ଭଣ୍ଡାରର ମରାମତି ନିତାନ୍ତ ଆବଶ୍ୟକ । କାରଣ ASI ଦାୟିତ୍ୱ ନେବା ପରଠୁ ଆଉ ମରାମତି ହୋଇନି, ତାସହ କେବେ ଶେଷ ଥର ପାଇଁ ରତ୍ନ ଭଣ୍ଡାର ମରାମତି ହୋଇଥିଲା ତାହା ଜଣାପଡ଼ିନି । ତେଣୁ ଏହାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଗଜପତି । ଏବେ ଭିତର ରତ୍ନ ଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାରକୁ ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଉଛି।

ଅଧିକ ପଢ଼ନ୍ତୁ: ଅପେକ୍ଷାର ଅନ୍ତ ଘଟିଲା; ଖୋଲିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର...

ସେଠି ସ୍ୱତନ୍ତ୍ର ଓ ସୁରକ୍ଷିତ କବାଟ ଲାଗିଛି, କବାଟ ସିଲ୍ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଟ୍ରେଜେରୀରେ ଚାବି ଦାଖଲ କରିବେ । ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର ସାରିବାକୁ ଉଦ୍ୟମ କରାଯାଉଥିବା ବେଳେ ଆସନ୍ତାକାଲି ଯାଏଁ ସମୟ ଥିବା କହିଛନ୍ତି ଗଜପତି ମହାରାଜା । ସେପଟେ ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଜୋର ଧରୁଛି ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: ୫ ଦଶନ୍ଧି ପରେ ଭିତର ଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ

ଆଉ ଏହାରି ଭିତରେ ଗଜପତି ମହାରାଜାଙ୍କ ଯାଞ୍ଚ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଥିବା କଥା ଚର୍ଚ୍ଚା ହେଉଛି । ଆଉ କିଛି କୋଠରୀ ଓ ସୁଡ଼ଙ୍ଗ ଯଦି ଥାଏ ତାହା ASI ଯାଞ୍ଚ ପରେ ଜଣାପଡ଼ିବ ବୋଲି ଗଜପତି କହିଛନ୍ତି । ଆଉ ଏହାରି ଭିତରେ ରତ୍ନଭଣ୍ଡାରରେ ସାପ ଥିବା ନେଇ ପୁଣି ଉଠିଛି ଦାବି ।

ଏହାକୁ ନେଇ ବି ବରିଷ୍ଠ ସେବାୟତ ମତ ରଖିଛନ୍ତି । ପ୍ରତିଦିନ ରତ୍ନ ଭଣ୍ଡାର ବାହାର ପାଖରେ ଥିବା ଏକ ଗାତରେ ସାପଙ୍କ ଉଦ୍ଦେଶ୍ୟରେ ଖେଚୁଡ଼ି ଭୋଗ ଦିଆଯାଏ । ବହୁ ପୂର୍ବରୁ ଏହି ନିୟମ ପାଳନ ହେଉଛି । ରତ୍ନଭଣ୍ଡାରର ଦାୟିତ୍ୱ ପ୍ରଭୁ ଲୋକନାଥଙ୍କର, ତେଣୁ ସାପଙ୍କୁ ପ୍ରତିଦିନ ଖାଇବାକୁ ଦିଆ ହେଉଛି ବୋଲି ବରିଷ୍ଠ ସେବାୟତ ମତ ଦେଇଛନ୍ତି ।

ସେପଟେ ସବୁ ପ୍ରତୀକ୍ଷାର ଘଟିଛି ଅନ୍ତ । ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାରକୁ କରାଯାଉଛି ସ୍ଥାନାନ୍ତର । ଶୁଭ ମୁହୂର୍ତ୍ତ ଭାବେ ସକାଳ ୯ଟା ୫୧ ମିନିଟରରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ପୂର୍ବ ନିର୍ଦ୍ଧାରିତ ୧୧ ଜଣିଆ କମିଟି । ସ୍ୱତନ୍ତ୍ର ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିରକୁ ଯାଇ ରତ୍ନ ଭଣ୍ଡାରରେ ପ୍ରବେଶ କରିଥିଲେ ।

ସବୁଠୁ ବଡ଼ କଥା ହେଉଛି, ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ରତ୍ନ ଭଣ୍ଡାରକୁ ଯାଇଥିଲେ । ଭିତର ଓ ବାହାର ରତ୍ନଭଣ୍ଡାର ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ଗତଥର ରତ୍ନ ଭଣ୍ଡାରକୁ ଗଜପତିଙ୍କ ପ୍ରତିନିଧି ଯାଇଥିବା ବେଳେ ଏଥର ଗଜପତି ଖୋଦ୍ ରତ୍ନଭଣ୍ଡାରକୁ ଯାଇଛନ୍ତି ।

ସେପଟେ ରତ୍ନ ଭଣ୍ଡାର ଟିମ୍‌କୁ ସମ୍ପୂର୍ଣ୍ଣ ଭାବେ ସହାୟତା କରିବା ସହ ଆଗୁଆ ଯାଇ ସ୍ଥିତି ଯାଞ୍ଚ କରିଛି ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ । କୌଣସି ବି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉନ୍ନତ ଓ ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ନେଇ ଟିମ୍ ଯାଇଛି । ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାର କାର୍ଯ୍ୟ ଆରମ୍ଭ ହୋଇଛି ।