ମାନବିକତା ଦେଖାଇଲେ ଆଶାକର୍ମୀ, ନିଜ କାନ୍ଧରେ ବୃଦ୍ଧାଙ୍କୁ ବୋହି ଆଣିଲେ ବାତ୍ୟା ଆଶ୍ରୟସ୍ଥଳୀ

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ ।

Asha Worker

ମାନବିକତା ଦେଖାଇଲେ ଆଶାକର୍ମୀ । ନିଜ କାନ୍ଧରେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ଆଣିଲେ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ । ଶିବାନୀ ଦେବଦୁତ ସାଜି ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି ।

ଏହି ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଦେଇଛି ।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଆଶା ଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ବ ପ୍ରକୃତ ନାରୀଶକ୍ତିର ପରିଚୟ । ସେହିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଲେଖିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକଟି ଜୀବନର ସୁରକ୍ଷା କରିବା ହେଉଛି ଲୋକଙ୍କ ସରକାରର ଦାୟିତ୍ବ ଓ କର୍ତ୍ତବ୍ୟ। ଏକ ଅମୂଲ୍ୟ ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶିବାନୀଙ୍କ ଏହି ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ସେହିପରି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ଶିବାନୀଙ୍କ ଭଳି ଅନେକ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଆଜି ଗର୍ବିତ ଓ ସୁରକ୍ଷିତ ।