ସ୍କୁଲ ରୂପାନ୍ତରୀକରଣ ନାଁରେ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ହରିଲୁଟ୍ !

ସ୍କୁଲ ରୂପାନ୍ତରୀକରଣ ନାଁରେ ସାଂଘାତିକ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ଟଙ୍କା ହରିଲୁଟ୍ ! କେନ୍ଦୁଝର ଜିଲ୍ଲାରେ DMF କେଳେଙ୍କାରୀର କଳା ଫର୍ଦ୍ଦ !

Scam at 5T School

ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ କୋଟି କୋଟି ଟଙ୍କା ଚଳୁକରଣର ଆଉ ଏକ ସାଂଘାତିକ ଅଭିଯୋଗ । ସ୍କୁଲ କାନ୍ଥ ଓ କବାଟ-ଝରକାରେ ଷ୍ଟିକରିଂ ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ପ୍ରାୟ ସାଢ଼େ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ, ତା ପୁଣି ବିନା ଟେଣ୍ଡରରେ ଏବଂ ପୂରା ଜିଲ୍ଲାପାଇଁ ଗୋଟିଏ ମାତ୍ର ସଂସ୍ଥାକୁ । ଏହି ଦୁର୍ନୀତିରେ ତତ୍କାଳୀନ ଜିଲ୍ଲାପାଳଙ୍କ ସଂପୃକ୍ତି ସଂପର୍କରେ ପ୍ରଶ୍ନ ଉଠାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି ।

ସ୍କୁଲ ରୂପାନ୍ତରୀକରଣ ନାଁରେ ସାଂଘାତିକ 'ଷ୍ଟିକର୍' ସ୍କାମ୍ ! ବିନା ଟେଣ୍ଡରରେ କାମ ଦେଇ ୮ କୋଟି ଟଙ୍କା ହରିଲୁଟ୍ ! କେନ୍ଦୁଝର ଜିଲ୍ଲାରେ DMF କେଳେଙ୍କାରୀର କଳା ଫର୍ଦ୍ଦ ! କେନ୍ଦୁଝର ଜିଲ୍ଲାର ସ୍କୁଲ ଗୁଡ଼ିକୁ ଫାଇଭ-ଟି ରୂପାନ୍ତରଣରେ ସାମିଲ କରି, ଗତବର୍ଷ ସୌନ୍ଦର୍ଯ୍ୟକରଣ ନାଁରେ ଷ୍ଟିକରିଂ କରାଯାଇଛି ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ୍ ବା DMF ପାଣ୍ଠିରୁ । ତେବେ ଜାଣିଛନ୍ତି କି, ଏଥିପାଇଁ ଖର୍ଚ୍ଚ ହୋଇଛି କେତେ ଟଙ୍କା ? ଶୁଣିଲେ ଆଖି ତରାଟି ଯିବ । କେବଳ ଷ୍ଟିକରିଂ ପାଇଁ ସ୍କୁଲ ପିଛା ଖର୍ଚ୍ଚ ହୋଇଛି ହାରାହାରି ଅଢ଼େଇ ଲକ୍ଷ ଟଙ୍କା ।

କେନ୍ଦୁଝର ଜିଲ୍ଲାରେ ମୋଟି ୪୫୧ଟି ହାଇସ୍କୁଲ ଥିବା ବେଳେ, ସେଥିରୁ ୩୪୦ଟିରେ ଷ୍ଟିକର ଲଗାଇବାକୁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା । ତେବେ ସାଂଘାତିକ କଥା ହେଲା, ୩ଟି ପର୍ଯ୍ୟାୟରେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି, ଏଥିପାଇଁ କୌଣସି ଟେଣ୍ଡର ହୋଇନି । ଅତି ଚତୁରତାର ସହ ବ୍ଲକ୍ ଓ ମ୍ୟୁନିସିପାଲିଟି ସ୍ତରରେ କୋଟେସନ୍ କଲ୍ ନୋଟିସ ମାଧ୍ୟମରେ କାମ ଦିଆଯାଇଥିବା ଅଭିଯୋଗ ଆସିଛି । ଆଉ ସବୁଠୁ ବଡ଼ କଥା, ସବୁ ସ୍କୁଲ ପାଇଁ କେବଳ ଗୋଟିଏ ଠିକା ସଂସ୍ଥା- ଭୁବନେଶ୍ବରର ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟାଦେଶ ପାଇଥିବାରୁ, ଏ ପୂରା ପ୍ରକଳ୍ପ ଓ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିଛି। ଏହା ପଛରେ ତତ୍କାଳୀନ ଜିଲ୍ଲାପାଳ ତଥା ଡିଏମ୍ଏଫ୍ ମୁଖ୍ୟଙ୍କ ସିଧାସଳଖ ସଂପୃକ୍ତି ଥିବା ଅଭିଯୋଗ କରିବା ସହିତ, ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି ।

ଷ୍ଟିକରିଂ ପାଇଁ ସ୍କୁଲ ପିଛା ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି, ଏହାର ମାନ ଯାଞ୍ଚ ନକରି ବିଲ୍ ପୈଠ କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ବିଭିନ୍ନ ସ୍କୁଲରେ ଷ୍ଟିକର ଛାଡ଼ି ଯାଇଥିବା ମଧ୍ୟ ଦେଖିବାକୁ ମିଳିଲାଣି। ସେପଟେ ମ୍ୟୁନିସିପାଲିଟି ଅଧୀନରେ ଥିବା ସ୍କୁଲ ଗୁଡ଼ିକର ଷ୍ଟିକରିଂ ସଂପର୍କରେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କୁ ପଚାରିବାରୁ ସେ କହିଛନ୍ତି, ସେତେବେଳେ ଆମକୁ ଏ ସଂପର୍କରେ କିଛି ଅବଗତ କରାଯାଇନଥିଲା। ତେବେ ଷ୍ଟିକରିଂକୁ ଦେଖିଲେ ଏତେ ଟଙ୍କା ଖର୍ଚ୍ଚ ହୋଇଥିବା ଲାଗୁନି। ତେଣୁ ଏହାର ତଦନ୍ତ ହେବା ଦରକାର। ତେବେ ଏନେଇ କାମ ପାଇଥିବା ସଂସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ ।