ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ ! ଆଲୋଚନା ସଫଳ ହୋଇଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Nursing Staff Protest

ଆଜି ରାତି ସୁଦ୍ଧା ଆନ୍ଦୋଳନରୁ ଓହରିପାରନ୍ତି ନର୍ସ । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘ ରାଜି ହୋଇଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ନର୍ସିଂ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା ହୋଇଛି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସେମାନଙ୍କୁ ଅପିଲ୍ କରିଛି ଏବଂ ସେମାନେ ରାଜି ହୋଇଛନ୍ତି । ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ରାଜି ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଅନ୍ୟପକ୍ଷରେ ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ, ଆସନ୍ତାକାଲିଠାରୁ ଆମେ ରୋଗୀସେବାରେ ଯୋଗ ଦେବୁ ବୋଲି କହିଛନ୍ତି ନର୍ସିଂ ସଂଘ ସଭାପତି ।

ସୂଚନାଯୋଗ୍ୟ ଯେ, ୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନୋତି, ଆର୍ଥିକ ସୁବିଧା ପ୍ରଦାନ, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ ଭଳି ୧୦ ଦଫା ଦାବି ନେଇ ୪ ଦିନ ହେଲା ଆନ୍ଦୋଳନରେ ବସିଥିଲା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଆଜି ଠାରୁ ନର୍ସମାନେ ଦିନରାତି ସିରିଞ୍ଜ୍ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିଲେ ।