ତନ୍ତ୍ର କରି ମୁଣ୍ତରେ ପୁରାଇଥିଲେ ୭୦ ଛୁଞ୍ଚି, ବାହାରୁଛି ଗୋଟିଏ ପରେ ଗୋଟିଏ ସତ!

ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଛନ୍ତି ଆଧୁନିକ ମଣିଷ । ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ତାନ୍ତ୍ରିକର କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Needles

ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଛନ୍ତି ଆଧୁନିକ ମଣିଷ । ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ତାନ୍ତ୍ରିକର କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତନ୍ତ୍ରମନ୍ତ୍ର ନାଁରେ ଜଣେ ଯୁବତୀର ମୁଣ୍ଡ ଭିତରେ ପୁରାଇଥିଲା ପାଖାପାଖି ୯୦ ଛୁଞ୍ଚି । ଏବେ ଗୁରୁତର ଅବସ୍ଥାରେ ଯୁବତୀ ଜଣକ ଚିକିତ୍ସାଧିନ ଅଛନ୍ତି । କିନ୍ତୁ ଘଟଣାକୁ ନେଇ ଲାଗିରହିଛି ବାଦବିବାଦ.... ବିଶ୍ୱାସ ବନାମ ବିଜ୍ଞାନ ।

ଗୁରୁତର ଯୁବତୀଜଣକ ହେଲେ ରେଶମା ବେହେରା । କେମିତି ଏବଂ କେଉଁ ପରିସ୍ଥିତିରେ ବିଶ୍ୱାସ ଜନ୍ମାଇ ରେଶମାଙ୍କ ମୁଣ୍ଡ ଭିତରେ ଛୁଞ୍ଚି ପୂରାଇଥିଲା ତାନ୍ତ୍ରିକ ତେଜରାଜ ରଣା । ଆଉ ତାନ୍ତ୍ରିକ ଉପରେ ବିଶ୍ୱାସ କରି ଚାରିବର୍ଷ ପରେ, ଗୁରୁତର ରେଶମାଙ୍କୁ ଅଣାଯାଇଥିଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ।

ମୁଣ୍ଡରୁ ଆଠଟି ଛୁଞ୍ଚି କାଢିଲା ପରେ ସିଟି ସ୍କାନ କରାଯାଇଥିଲା । ଆଉ ସେଥିରେ ଦେଖିବାକୁ ମିଳିଥିଲା ଭୟଙ୍କର ଚିତ୍ର । ମୁଣ୍ଡ ଭିତରେ ଥିଲା ପେନ୍ଥା ପେନ୍ଥା ଛୁଞ୍ଚି । ତେଣୁ ସାଙ୍ଗେ ସାଙ୍ଗେ ରେଶମାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ବୁର୍ଲା ଡାକ୍ତରଖାନାରେ ମୁଣ୍ଡ ଭିତରୁ କଢ଼ାଯାଉଛି ଗୋଟିଏ ପରେ ଗୋଟିଏ ଛୁଞ୍ଚି ।

ଗୋଟି ଗୋଟି କରି ୭୦ ଟି ଛୁଞ୍ଚି କାଢି ଥକି ଯାଇଥିଲେ ଡାକ୍ତର । ଦ୍ୱିତୀୟ ଦଫାରେ ଆଉ ଆଠଟି ଛୁଞ୍ଚି କଢାଯାଇଛି । ସର୍ବମୋଟ ୮୬ ଟି ଛୁଞ୍ଚି କଢାଗଲାଣି । ଏବେ ବି ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ରେଶମା । ତାଙ୍କ ହାତରେ ବି କଟା ଦାଗ ରହିଛି । ରେଶମାଙ୍କ ବାପା କହୁଥିଲେ, ଆପେ ଆପେ ହାତ କଟିଯାଉଥିଲା ।

କିନ୍ତୁ ରେଶମାଙ୍କ ବଡ ଭଉଣୀ କହୁଛନ୍ତି, ମାଁଙ୍କ ମୃତ୍ୟୁ ପରେ ମାନସିକ ବିଷାଦ ଯୋଗୁଁ ନିଜେ ହାତ କାଟିଦେଉଥିଲା ସାନ ଭଉଣୀ । ମାନସିକ ଡାକ୍ତରଙ୍କ କହିବା କଥା, ଏହା କୌଣସି ତନ୍ତ୍ରମନ୍ତ୍ର ନୁହେଁ, ବରଂ ମାନସିକ ରୋଗୀର ଲକ୍ଷଣ । ଏବେ ଆସନ୍ତୁ ଜାଣିବା ଚର୍ଚ୍ଚିତ ତାନ୍ତ୍ରିକ ତେଜରାଜ ରଣାର କାରନାମା ଉପରେ ।

କଣ୍ଟାବାଂଜି ଥାନା ଜାମୁଟଝୋଲା ଗାଁର ତାନ୍ତ୍ରିକ ତେଜରାଜ ରଣାର ତନ୍ତ୍ରମନ୍ତ୍ରର ସାଧନା ପୀଠ । ଘର ଭିତରେ ରେଶମାଙ୍କ ମୁଣ୍ଡରେ ପାଖାପାଖି ନବେ ଛୁଞ୍ଚି ପୂରାଇଥିଲା ତେଜରାଜ । ଆଉ ତେଜରାଜକୁ ସହଯୋଗ କରିଥିଲେ ତାଙ୍କ ସ୍ତ୍ରୀ ଓ ପୁତୁରା । ଗୁରୁତର ରେଶମାଙ୍କ ବାପା ଦେଇଥିବା ଏଫ.ଆଇ.ଆର କପିରେ ତେଜରାଜଙ୍କ ସମେତ ସ୍ତ୍ରୀ ଓ ପୁତୁରାଙ୍କ ନାଁ ବି ଲେଖାଯାଇଛି ।

କେବଳ ତେଜରାଜଙ୍କୁ ଗିରଫ କରି ଲୁଚାଛପା ଭାବରେ କୋର୍ଟ ଚାଲାଣ କରିଛି କଣ୍ଟାବାଂଜି ପୋଲିସ । ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଆଉ କିଛି ମହିଳାଙ୍କ ମୁଣ୍ଡରେ ବି ଛୁଞ୍ଚି ପୂରାଇଥିବାର ଚର୍ଚ୍ଚା ହେଉଛି । ତେଣୁ ପୋଲିସ ଏନେଇ ଅଧିକ ତଦନ୍ତ କରିବା ଜରୁରୀ ।