ଉପର ଚକଚକିଆ, ଭିତର ଫମ୍ପା । ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ ଟି ସ୍କୁଲ ଗୁମର । କେବଳ ଦଳୀୟ ନେତାଙ୍କ ପକେଟ ଗରମ ପାଇଁ ନବୀନ ସରକାର କରିଥିଲେ କି ଫାଇଭ ଟି ସ୍କୁଲ ? ଗ୍ରାଉଣ୍ଡ ରିୟଲଟି କିଛି ସେୟା ହିଁ କହୁଛି । ଉମରକୋଟ ଅଂଚଳା ସ୍ଥିତ ସଂଗ୍ରାମୀ ବାଳ ପୂଜାରୀ ହାଇସ୍କୁଲ । ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଅଂଚଳ । ହେଲେ ଏଠି ପୂରା ହଡ଼ପ ହୋଇଯାଇଛି ଅନୁଦାନ ଟଙ୍କା । ୬୦ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ଟଙ୍କା ସ୍କୁଲ ଆକାଉଣ୍ଟକୁ ଯାଇଛି । ହେଲେ ବିଡମ୍ବନାର କଥା ସ୍କୁଲରେ ପାଚେରୀ ନାହିଁ କି ଗେଟ୍ ନାହିଁ । ଲାଇବ୍ରେରୀଟେ ତିଆରି ହୋଇନି । ଏମିତି କି ସ୍କୁଲର ଗୋଟିଏ ଶୌଚାଳୟ ଟିଏ ମଧ୍ୟ ନାହିଁ । ନିମ୍ନ ମାନର କାମ କରାଯାଇ ଖାଲି ଚୂନ ମାରି ଟଙ୍କା ହରିଲୁଟ କରାଯାଇଛି ବୋଲି କହିଛନ୍ତି ଖୋଦ ପ୍ରଧାନ ଶିକ୍ଷକ ।
Also Read
ଆଉ ୬୦ ଲକ୍ଷ ଟଙ୍କା ଖର୍ଚ୍ଚରେ ରୂପାନ୍ତିକରଣ ହୋଇଥିବା ସ୍କୁଲ ହେଉଛି ବାଲେଶ୍ବର ଆଇଟିଆଇ ହାଇସ୍କୁଲ। ଏଠି ସ୍ଥିତି ସଂଗୀନ । ରଙ୍ଗ ମାରି ଚକାଚକ ହୋଇଯାଇଛି ସ୍କୁଲ। କିନ୍ତୁ ସ୍କୁଲକୁ ଆବର୍ଜନା ପାଣିରେ ପଶି ଯିବାକୁ ପଡୁଛି। ଭିତରକୁ ଗଲେ କେଉଁଠି ସ୍ମାର୍ଟ କ୍ଲାସରୁ ପାଣି ଗଳୁଛି ତ ଆଉ କେଉଁଠି କାନ୍ଥ ଫାଟି ଆଁ କରିଛି । 5T ରେ ଆସିଥିବା କମ୍ପ୍ୟୁଟର ତ ଅଛି ହେଲେ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି ।
ଏପଟେ ବିଧାନସଭାରେ ଆସିଥିବା ତଥ୍ୟ କହୁଛି, ଫାଇଭ ଟି ହାଇସ୍କୁଲ ରୂପାନ୍ତିକରଣରେ ବିଜେଡି ସରକାର ଖର୍ଚ୍ଚ କରିଛନ୍ତି ୩ ହଜାର ୮୭ କୋଟି ୩୫ ଲକ୍ଷ । ରାଜ୍ୟରେ ୬ ହଜାର ୫୬୪ଟି ହାଇସ୍କୁଲ ରୁପାନ୍ତିକରଣରେ ଖର୍ଚ୍ଚ ହୋଇଛି ଏହି ଟଙ୍କା । ବଡ କଥା ହେଲା ଏହି ଲିଖିତ ପ୍ରଶ୍ନରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ହେଲେ କେମିତି ଆଜି ଯାଏଁ ଫାଇଭ୍-ଟି ଦୁର୍ନୀତି ନୂଆ ସରକାରଙ୍କ ନଜରକୁ ଆସିଲାନି ?
ଏମିତି କି ଉପରୋକ୍ତ ପ୍ରଶ୍ନରେ ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ମାନସ ଦତ୍ତ ନିଜ ଅଂଚଳ ଆଇଟିଆଇ ହାଇସ୍କୁଲ ନେଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ମନ୍ତ୍ରୀ କହୁଛନ୍ତି ଦୁର୍ନୀତି ନଜରକୁ ଆସିଲେ ତଦନ୍ତ ହେବ। ଗତକାଲି ମଧ୍ୟ ଗୁରୁଦିବସ ଅବସରରେ ଫାଇଭ୍- ଟି ସଫଳ ହୋଇ ନ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଏବେ ଦେଖିବାର କଥା ନୂଆ ସରକାର କେବେ କରୁଛନ୍ତି ଫାଇଭ-ଟି ସ୍କୁଲ ରୁପାନ୍ତିକାରଣର ତଦନ୍ତ, ଆଉ କ’ଣ ହେଉଛି କାର୍ଯ୍ୟାନୁଷ୍ଠାନ ।