Advertisment

ସରକାର୍ କା ମାଲ୍ ଦରିଆ ମେ ଡାଲ୍ ! କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍ ?

କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍। ଚାର୍ଜିଂ ଷ୍ଟେସନ୍ ନଥିବାରୁ ୭ ମାସ ହେବ ପୁରୀରେ ଖତ ଖାଉଛି ୩୫ଟି ବ୍ୟାଟେରି ବସ୍ । ବ୍ୟବସ୍ଥାର ଅପାରଗତାକୁ ଦାୟୀ କରି ତେଜୁଛି ଅସନ୍ତୋଷ ।

ଅଦ୍ୟତନ ହୋଇଛି
35 Battery-Operated Bus

35 Battery-Operated Bus

Advertisment

ବ୍ୟବସ୍ଥାର ଅପରାଗତା ପାଇଁ ଖତ ଖାଉଛି ବ୍ୟାଟେରୀ ବସ୍। ଆମେ କହୁଛୁ ଶ୍ରୀକ୍ଷେତ୍ର ପୁରୀ ପାଇଁ ଗତ ନବୀନ ସରକାର ଅମଳରେ ଆସିଥିବା ୩୫ଟି ଇ-ବସ୍ କଥା। ଚାର୍ଜିଂ ଷ୍ଟେସନର ବ୍ୟବସ୍ଥା ନ କରି ପରିକ୍ରମା ପ୍ରକଳ୍ପ ଆଳରେ ସରକାର ସେତେବେଳେ ତରବରିଆ ଭାବେ ଇ-ବସ୍ କିଣି ପକାଇଥିଲେ। ହେଲେ ଏବେ ଯାଏଁ ବି ଭିତ୍ତିଭୂମି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନଥିବାରୁ ଏସବୁ ବସ୍ ସମଙ୍ଗ ପାର୍କିଂ ସ୍ଥଳରେ ସେବେଠୁ ସେମିତି ପଡ଼ି ରହିଛି ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । 

Advertisment

ସରକାର୍ କା ମାଲ୍ ଦରିଆ ମେ ଡାଲ୍ ! ହେଲେ ଏଠି ଦରିଆରେ ତ ଫିଙ୍ଗା ହେଇନି, ରହଣି ସ୍ଥଳରେ ଖତ ଖାଉଛି ଅର୍ଖ ନୂଆ ବସ୍ । ଗୋଟିଏ ଦୁଇଟି ନୁହେଁ ୩୫ଟି ବ୍ୟାଟେରୀ ଚାଳିତ ବସ୍ । ସାଧାରଣ ଜନତା ନୁହେଁ, ଖତ ଖୁଆଉଛି ଆମ ବ୍ୟବସ୍ଥା। ଟିକେ ନିଘା ନାହିଁ, ଟିକିଏ ବି ଅନୁଶୋଚନା ବି ଯେମିତି ନାହିଁ, କୋଟି କୋଟି ଟଙ୍କାରେ ଆସିଥିବା ବସ୍‌ର ସ୍ଥିତିକୁ ଦେଖି। ଆନୁସଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ନକରି କିଣି ଦେଲେ, ଏକରକମ୍ ଫିଙ୍ଗିଦେଲେ। ପୁରୀ ସମଙ୍ଗ ପାର୍କିଂ ସ୍ଥଳରେ ୭ ମାସ ତଳୁ କିଣା ହୋଇ ଆସିବା ପରଠୁ ଇଞ୍ଚେ ବି ଗଡ଼ିନି।

ଶ୍ରୀମନ୍ଦିର ପ୍ରଶାସନ ଲୋଗୋ ସହ ସାଂସ୍କୃତିକ ଚିତ୍ରରେ ଚିତ୍ରିତ ହୋଇ ସେମିତି ଧାଡ଼ି ହୋଇ ଠିଆ ହୋଇଛି। ଖୋଲା ଆକାଶ ତଳେ ପଡ଼ି ପଡ଼ି ସେ ଭିତରୁ କେତୋଟି ଭାଙ୍ଗିରୁଜି ବି ଗଲାଣି । ହେଲେ କାହିଁକି ଏମିତି ଅବସ୍ଥା ? କୁହାଯାଉଛି, ପୂର୍ବ ସରକାର ଅମଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଖି ଆଗରେ ରଖି  ଇ-ବସ୍ ସବୁ ତ ଅଣାଗଲା କିନ୍ତୁ, ଚାର୍ଜିଂ ଷ୍ଟେସନ୍ ଉପରେ ଧ୍ୟାନ ଦିଆଗଲାନି। ଆଉ ୭ ମାସ ଭିତରେ ବି ବିଭିନ୍ନ ସ୍ଥାନରେ ଚାର୍ଜିଂ ଷ୍ଟେସନ୍ କାମ ସଂପୂର୍ଣ୍ଣ ହୋଇ ନଥିବାରୁ ବସ୍ ଗଡ଼ି ପାରୁନି । ୟା ଭିତରେ ୨ଟି ଚାର୍ଜିଂ ଷ୍ଟେସନ୍ କାମ ସରିଥିଲା ବେଳେ ଆହୁରି ୫ଟି ଚାର୍ଜିଂ ଷ୍ଟେସନର ପ୍ରସ୍ତୁତି ଚାଲିଛି । ତେବେ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଇ-ବସ୍ ଗୁଡ଼ିକ ବ୍ୟବହାର ନହୋଇ ନଷ୍ଟ ହେଉଥିବା ଦେଖି ଅସନ୍ତୋଷ ବଢ଼ିବାରେ ଲାଗିଛି।

Advertisment

ପ୍ରତିଦିନ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କୁ ମାଗଣା ପୁଣି ପରିବେଶ ଅନୁକୁଳ ବସ ବ୍ୟବସ୍ଥା ଯୋଗାଇବା ପାଇଁ  ଇ-ବସ୍ ସବୁକୁ ଆଣିଥିଲେ ପୂର୍ବ ସରକାର। ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ପୁରୀ ରେଳ ଷ୍ଟେସନ୍ ଓ ବସ୍ ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବାରେ ଏସବୁ ବ୍ୟବହାର ହୋଇଥାନ୍ତା। ହେଲେ ୟା ଭିତରେ ନୂଆ ସରକାର ବଦଳି, ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ନେଇଥିଲେ ବି ଇ-ବସ୍ ଯାତ୍ରୀ ସେବାରେ ଲାଗି ପାରୁନି । ତେବେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ କହିବା କଥା ଖୁବ୍ ଶୀଘ୍ର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯାଇ ବସ୍‌ ଗୁଡ଼ିକ କାର୍ଯ୍ୟକ୍ଷମ କରାଯିବା ଉପରେ ନିଷ୍ପତ୍ତି ନିଆଯିବ।

ବ୍ୟାଟେରି ଚାଳିତ ସବୁ ବସ୍‌ରେ ୨୫ଟି ସିଟ୍ ରହିଛି । ଏଥିସହିତ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ବସରେ ଚଢ଼ିବାକୁ ସ୍ବତନ୍ତ୍ର ଲିଫ୍ଟର ବ୍ୟବସ୍ଥା ରହିଛି । ହେଲେ ଏଥିପାଇଁ ଭିତ୍ତିଭୂମି କେବେ ସଂପୂର୍ଣ୍ଣ ହେଉଛି, ବସ୍ ଗୁଡି଼କର ପରିଚାଳନା ଭାର ରାଜ୍ୟ ପରିବହନ ବିଭାଗ ପାଖରେ ରହୁଛି ନା ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହୁଛି, ଏସବୁର ଉତ୍ତର ଏବେ ବି ଅସ୍ପଷ୍ଟ। ଏଭିତରେ ଆସନ୍ତାକାଲି ହେବାକୁ ଥିବା ପରିଚାଳନା କମିଟିର ବୈଠକ ଉପରେ ନଜର ରହିଛି।

Advertisment

Bus Travel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ