Advertisment

କାଠଗଡ଼ାକୁ ଟଣା ହେଲେ ବାପାମା’ ଛେଉଣ୍ତ; ମୃତ ବାପାଙ୍କ ଋଣ ପାଇଁ କୋର୍ଟରୁ ଆସିଥିଲା ସମନ୍...

ଅକାଳରେ ଆରପାରିକୁ ଚାଲିଗଲେ ବାପାମାଆ । ହେଲେ ଦିବଂଗତ ବାପା ଚାକିରି କାଳରେ କରିଥିବା ଋଣ ପାଇଁ, ଏବେ କୋର୍ଟରେ ହାଜର ହେଲେ ୨ ନାବାଳକ ପୁଅ ।

2 minors appeared at Bargarh court

2 minors appeared at Bargarh court

Advertisment

ଅକାଳରେ ଆରପାରିକୁ ଚାଲିଗଲେ ବାପାମାଆ । ହେଲେ ଦିବଂଗତ ବାପା ଚାକିରି କାଳରେ କରିଥିବା ଋଣ ପାଇଁ, ଏବେ କୋର୍ଟରେ ହାଜର ହେଲେ ୨ ନାବାଳକ ପୁଅ । ପ୍ରାୟ ୫ ଲକ୍ଷ ଟଙ୍କା ପରିଶୋଧ ଦାବି କରି କେଶ୍ କରିଛି ବ୍ୟାଙ୍କ । ଏହି ମାମଲାରେ ହାଜର ହେବାକୁ ୭ ଓ ୧୧ ବର୍ଷୀୟ ଦୁଇ ପିଲାଙ୍କୁ ଆସିଥିଲା ସମନ୍ । ବରଗଡ଼ର ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ, ଏ ସଂପର୍କରେ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ।

Advertisment

 ସ୍କୁଲ ଯିବା ବୟସରେ କୋର୍ଟକୁ ଟଣା ହେଲେ ଦୁଇ କୁନିପୁଅ । ମୃତ ବାପାଙ୍କ ଋଣ ପାଇଁ ନାବାଳକ ପୁଅଙ୍କୁ ଆସିଲା ସମନ୍ । ପ୍ରାୟ ୫ ଲକ୍ଷ ବକେୟା ଋଣ ପାଇଁ କେସ୍ କରିଛି ଷ୍ଟେଟ୍ ବ୍ୟାଙ୍କ । ଦୁଇ ବାପାମାଆ ଛେଉଣ୍ଡ ନାବାଳକ। ଜଣଙ୍କ ବୟସ ୧୧, ଆଉ ଜଣଙ୍କୁ ମାତ୍ର ୭ ବର୍ଷ । ଅଦାଲତି ସମନ୍ ପାଇ, ବରଗଡ଼ ସିଭିଲ କୋର୍ଟରେ ହାଜର ହୋଇଥିଲେ । ୨ ଶିଶୁଙ୍କୁ ହାଜର ହେବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଖୋଦ୍ କୋର୍ଟ କର୍ମଚାରୀ । 

ବଲାଙ୍ଗିର ତୁଷୁରା ବାସିନ୍ଦା ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଥାନାଧିକାରୀ ଥିବା ବିଧୁଭୂଷଣ ପୁଟା ୨୦୨୦ ମସିହାରେ ହୃଦଘାତରେ ପ୍ରାଣ ହରାଇଥିଲେ । ଏହାପରେ ୨୦୨୧ରେ କୋଭିଡରେ ଆଖି ବୁଜିଲେ ତାଙ୍କ ପତ୍ନୀ ସସ୍ମିତା । ବାପାମାଆ ଛେଉଣ୍ଡ ହୋଇଗଲେ ସେମାନଙ୍କର ୨ ପିଲା । ସେବେଠୁ ସମ୍ବଲପୁର କେନାଢିପାରେ ଅଜା ସାରଥି ଧୁରୁଆଙ୍କ ଘରେ ରହିଆସୁଛନ୍ତି ଉଭୟ । ସାରଥିଙ୍କ କହିବା ଅନୁସାରେ, ବରଗଡ଼ ଷ୍ଟେଟବ୍ୟାଙ୍କ ଶାଖାରୁ କିଛି ମାସ ତଳେ ନୋଟିସ ଆସିବା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କର ଦିବଂଗତ ଜ୍ବାଇଁ ଚାକିରି କାଳରେ ୭ ଲକ୍ଷ ଟଙ୍କା ଋଣ ନେଇଥିଲେ । ସେଥିରୁ ୨ ଲକ୍ଷ ପରିଶୋଧ ହୋଇଥିବା ବେଳେ, ବକେୟା ପ୍ରାୟ ୪ ଲକ୍ଷ ୯୯ ହଜାର ଟଙ୍କା ଶୁଝିବାକୁ ନୋଟିସ ଆସିଥିଲା। ଏହାପରେ ବ୍ୟାଙ୍କର ଅଭିଯୋଗ କ୍ରମେ, ଜାନୁଆରୀରେ ଦୁଇ ନାବାଳକ ନାତିଙ୍କ ନାଁରେ ଆସିଲା କୋର୍ଟ ସମନ। ଯାହାକୁ ମାନି, ସେ ଦୁଇ ଛୁଆଙ୍କୁ ଧରି ପ୍ରାୟ ଶହେ କିଲୋମିଟର ଦୂର ବରଗଡ଼ କୋର୍ଟରେ ହାଜର ହୋଇଥିଲେ। ତେବେ କୋର୍ଟରେ ଦୁଇ ନାବାଳକଙ୍କର କେବଳ ଫଟୋ ଉଠାଇ, ଆଉ ନଆସିବାକୁ କୁହାଯାଇଥିବା ଜଣାଇଛନ୍ତି ସାରଥି । ତେବେ ଋଣର ସ୍ଥିତିକୁ ନେଇ ସେ ଏବେବି ସନ୍ଦିହାନ ଅଛନ୍ତି ।

Advertisment

ଋଣ ମାମଲାରେ ୨ ନାବାଳକଙ୍କୁ କୋର୍ଟକୁ ଡାକିବା କେତେ ଯୁକ୍ତିଯୁକ୍ତ ? ସେମାନଙ୍କୁ ଶୁଝିବାକୁ ପଡ଼ିବ କି ଦିବଂଗତ ବାପାଙ୍କ ଋଣ ? ନା ୭୨ ବର୍ଷୀୟ ଅଜାଙ୍କୁ ବୋହିବାକୁ ପଡ଼ିବ ଋଣ ବୋଝ ? ଏଭଳି ସ୍ଥିତି ପାଇଁ କଣ କହୁଛି ବ୍ୟାଙ୍କ ନିୟମ ? ବ୍ୟାଙ୍କ ପକ୍ଷରୁ ୨ ଶିଶୁଙ୍କୁ କୋର୍ଟକୁ ଟଣାଯିବା ନେଇ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ମାନବାଧିକାର କମିଶନଙ୍କ ପର୍ଯ୍ୟନ୍ତ, ବିଭିନ୍ନ ସ୍ତରରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେମାନଙ୍କ ଅଜା କହିଛନ୍ତି। ତେବେ ଏସଂପର୍କରେ ବରଗଡ଼ ଷ୍ଟେଟବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ, ତାହା ସମ୍ଭବ ହୋଇପାରିନି। 

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ