ଜୁଲାଇ ୨୨ରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ; ୨୪ରେ ହେବ ଉପବାଚସ୍ପତି ନିର୍ବାଚନ

ଆସନ୍ତା ୨୨ ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍।

Odisha Legislative Assembly

ଆସନ୍ତା ୨୨ ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍। ସୂଚନା ଅନୁସାରେ, ଜୁଲାଇ ୨୨ରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ତା ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ୨୩ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂପର୍କରେ ଆଲୋଚନା ହେବ ।

 ସେହି ୨୩ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା । ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।

ତେବେ ଏହା ପୂର୍ବରୁ ସ୍ବତନ୍ତ୍ର ଅଧିବେଶନରେ ନବନିର୍ବାଚିତ ବିଧାୟକ ମାନେ ଶପଥ ନେଇଛନ୍ତି । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ପ୍ରଥମେ ଶପଥ ନେଇଥିଲେ । 

ଏହା ପରେ ପରେ ବିଧାୟକ ମାନେ ଜଣେ ଜଣେ କରି ଶପଥ ନେଇଥିଲେ । ଏଥର କିନ୍ତୁ ଅନେକ ପୁରୁଣା ମୁହଁଙ୍କୁ ମିଳିଛି ନୂଆ ପରିଚୟ । ନବୀନ ପଟ୍ଟନାୟକ ଏଥର ଆଉ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ବିରୋଧୀ ଦଳ ଆସନରେ ବସିଛନ୍ତି। ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ନେଇଥିଲେ । ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।