କେବେ ଖୋଲିବ ଯାଜପୁର ମ୍ୟୁଜିୟମ ? ଖତ ହେବାକୁ ବସିଲାଣି ନବନିର୍ମିତ କୋଠା

୧୦ କୋଟିର ସଂଗ୍ରହାଳୟ ପାଲଟିଛି ଭୂତକୋଠି। ପୁରାତନ ଐତିହ୍ୟ ସଂସ୍କୃତିର ରକ୍ଷଣାବେକ୍ଷଣ କଣ ହେବ, ବରଂ ନିଜେ ହିଁ ଖତ ହେବାକୁ ବସିଲାଣି କୋଠା।

Museum Turned Into a Haunted House

୧୦ କୋଟିର ସଂଗ୍ରହାଳୟ ପାଲଟିଛି ଭୂତକୋଠି । ଜରାଜୀର୍ଣ୍ଣ ଅବସ୍ଥାରେ ପୁରାତନ ଐତିହ୍ୟ, ସଂସ୍କୃତି । ପରିକଳ୍ପନା ହେଲା, ଖର୍ଚ୍ଚ ହେଲା କୋଟି କୋଟି । ପ୍ରାଚୀନ କୀର୍ତ୍ତିରାଜିର ନା ହେଉଛି ସଂରକ୍ଷଣ, ନା ଖୋଲୁଛି ତାଲା । ଯାଜପୁର ଜିଲ୍ଲାର ସଂଗ୍ରହାଳୟ । ମ୍ୟୁଜିୟମ କମ୍ ଜିଲ୍ଲା ଟୁରିଜିମ କାର୍ଯ୍ୟାଳୟ ଭାବେ ୧୦ କୋଟି ଟଙ୍କା ବ୍ୟୟରେ ଓଟିଡିସି ପକ୍ଷରୁ ଏହାକୁ ପୂର୍ବ ବିଜେଡି ସରକାର ଅମଳରେ ୨୦୨୧ରେ ନିର୍ମାଣ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା, ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବହେଳିତ ଅବସ୍ଥାରେ ପଡ଼ିଥିବା ପ୍ରାଚୀନ ଓ ବିରଳ ବୌଦ୍ଧ, ଜୈନ କୀର୍ତ୍ତିରାଜିର ସଂରକ୍ଷଣ କରିବା । ହେଲେ ବିଡମ୍ବନାର ବିଷୟ, ତିଆରି ପରଠୁ ଖୋଲୁନି ତାଲା । ଯାହାଫଳରେ କାମରେ ତ ଆସୁନି ମ୍ୟୁଜିୟମ ବରଂ ଭୂତପ୍ରାୟ ହେବାକୁ ବସିଲାଣି କୋଠା ।

ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅବହେଳିତ ଅବସ୍ଥାରେ ମୂତ୍ତିକୁ ଉଦ୍ଧାର କରାଯାଇଛି । କିଛି ମୂର୍ତ୍ତି ସଂସ୍କୃତି ଭବନ ପାଖ ଏକ ଛୋଟ କୋଠରୀରେ ଥିବାବେଳେ ଆଉ କିଛିର ଭାଗ୍ୟରେ ଖୋଲା ଆକାଶ ହିଁ ଲେଖା । ଯେମିତି ୧୮୬୯ ମସିହାରେ ସନ୍ଥମାଧବ ଗାଁରୁ ଇଂରେଜ ଅମଳରେ ଉଦ୍ଧାର ହୋଇଥିବା ବିରଳ ଶୟନ ମୁଦ୍ରାରେ ବୌଦ୍ଧ ମୂର୍ତ୍ତି ।

ତା ସହିତ ସୁଉଚ୍ଚ ଗଣେଶ, ଗରୁଡ ସହ ଚାମୁଣ୍ଡା ଭଳି ପୁରାତନ ମୂର୍ତ୍ତି ଏବଂ ଅନେକ ବିଲୁପ୍ତପ୍ରାୟ ଶିଳାଲିପି । ସଂଗ୍ରହାଳୟରେ ଏଗୁଡିକୁ ରକ୍ଷଣାବେକ୍ଷଣ କରାଗଲେ ଲୋକଲୋଚନକୁ ଆସିପାରନ୍ତା ବୋଲି ମତ ପ୍ରକାଶ ପାଇଛି। ତେଣେ ମ୍ୟୁଜିୟମକୁ ଟୁରିଜିମ ବିଭାଗ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିନଥିବାବେଳେ ଏନେଇ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।