• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହାତରେ ଆଉ କେଇଟା ଦିନ ବାକି ରହିଲା । ଚାହୁଁ ଚାହୁଁ ୨୦୨୪ରେ ପ୍ରବେଶ କରିବ ସାରା ବିଶ୍ୱ । ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ନୂଆବର୍ଷରେ କିଛି ନୂଆ ସଂକଳ୍ପ ନେଇ ଜୀବନ ଗାଡ଼ିକୁ ଆଗକୁ ନେବା ପାଇଁ । ତେବେ ୨୦୨୩ ବର୍ଷଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବେଶ୍‌ ଗର୍ବିତ ଓ ସ୍ମରଣୀୟ ବର୍ଷ । କାହିଁକି ନା ଏହି ବର୍ଷ ଆମ ଦେଶର ଚମକ ସାରା ବିଶ୍ୱ ଦେଖିଛି । ଆମର ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ବେଶ୍‌ ଆଗକୁ ବଢ଼ିଛି । ସେ ଚନ୍ଦ୍ରଯାନ-୩ କଥା ହେଉ ବା ଆଦିତ୍ୟ L1..ସବୁଠି ଭାରତର ପ୍ରଶଂସା ସାରା ବିଶ୍ୱ କରିଛି । ଏସବୁ ସଫଳତାର ଶ୍ରେୟ ଯିବ ISRO କୁ । ISRO ର ପ୍ରତିଟି ହିରୋକୁ ଦେଶବାସୀଙ୍କ ପକ୍ଷରୁ ସାଲ୍ୟୁଟ୍‌ ।

ଚନ୍ଦ୍ରଯାନ-୩

ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ଭାବେ ଗୌରବ ଅର୍ଜନ କରିଛି ଭାରତ ।

ଶଗଡ଼ ଗାଡ଼ିରେ ସାଟେଲାଇଟ୍, ସାଇକେଲ ପଛରେ ରକେଟ୍ । ଏକଦା କିଛି ଏମିତି ଥିଲା ଇସ୍ରୋର ମିଶନ୍ ଅପରେସନ୍ କଂପ୍ଲେକ୍ସ । ୬୦-୭୦ ଦଶକରେ ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ, ଆଜି ଜହ୍ନ ରାଇଜରେ ବି ଉଡ଼ାଇ ପାରିଛି ଭାରତର ବିଜୟ ଧ୍ୱଜା ।

ତେବେ ଭାରତର ମୁନ୍ ମିଶନ ଆରମ୍ଭ ହୋଇଥିଲା ୨୦୦୮ ମସିହାରେ । ୨୦୦୮ ଅଗଷ୍ଟ ୨୮ରେ ଜହ୍ନକୁ ଯାଇଥିଲା ଚନ୍ଦ୍ରୟାନ-୧। ଅଗଷ୍ଟ ୨୦୦୯ ଯାଏଁ ଚନ୍ଦ୍ର ଚାରିପଟେ ବୁଲିଥିଲା ଅର୍ବିଟର୍ । ଚନ୍ଦ୍ରର ମେରୁ ଅଞ୍ଚଳରେ ଜଳର ସନ୍ଧାନ କରି ସାରା ଦୁନିଆକୁ ଚମକାଇ ଦେଇଥିଲା ପ୍ରଥମ ଚନ୍ଦ୍ରୟାନ । ପ୍ରଥମ ଥର ପାଇଁ ଜହ୍ନରେ ଜଳ ଥିବା ନେଇ ଏଭଳି ସ୍ପଷ୍ଟ ତଥ୍ୟ ଦେଇଥିଲା ଯେ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା ଭାରତର ସ୍ପେଶ୍ ମିଶନ୍ ।

ପ୍ରଥମ ମୁନ୍ ମିଶନର ସଫଳତା ଭାରତକୁ ବାଟ କଢ଼ାଇ ନେଇଥିଲା ଦ୍ୱିତୀୟ ଚନ୍ଦ୍ର ଅଭିଯାନ 'ଚନ୍ଦ୍ରୟାନ-୨' ଆଡ଼କୁ । ଏହି ମିଶନର ଲକ୍ଷ୍ୟ ଥିଲା ଚନ୍ଦ୍ର ଚାରିପଟେ ଅର୍ବିଟର ବୁଲାଇବା, ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମକୁ ସଫ୍ଟଲ୍ୟାଣ୍ଡିଂ କରିବା ଏବଂ ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଗଡ଼ାଇବା ।

୨୦୧୯ ମସିହା ଜୁଲାଇ ୨୨ରେ ଇସ୍ରୋର ବାହୁବଳୀ ରକେଟ୍ ଜିଏସ୍ଏଲ୍‌ଭି ମାର୍କ-ଥ୍ରୀ ସହାୟତାରେ ଉତକ୍ଷେପଣ ହୋଇଥିଲା ଦ୍ୱିତୀୟ ଚନ୍ଦ୍ରୟାନ । ସେପ୍ଟେମ୍ବର ୨ରେ ଯୋଜନା ମୁତାବକ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇଥିଲା, ଚନ୍ଦ୍ରୟାନ-୨ର ଅର୍ବିଟର । ଯାହାକି ଏବେବି କାର୍ଯ୍ୟକ୍ଷମ ଅଛି ଏବଂ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ସହିତ ଇସ୍ରୋର ଯୋଗାଯୋଗ ମାଧ୍ୟମ ସାଜିଛି ।

ତେବେ ସେପ୍ଟେମ୍ବର ୬ରେ ଅଧୁରା ରହିଯାଇଥିଲା ଭାରତର ସଫ୍ଟଲ୍ୟାଣ୍ଡିଂ ସ୍ୱପ୍ନ । ଅବତରଣର ଶେଷ ମୁହୂର୍ତ୍ତରେ ଠିକ୍ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ୨ କିଲୋମିଟର ପୂର୍ବରୁ ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହୋଇ କ୍ରାଶ୍ ଲ୍ୟାଣ୍ଡ୍ କରିଥିଲା ଲ୍ୟାଣ୍ଡର ବିକ୍ରମ । ସଫଳତା ହାତରେ ଲାଗିଲାନି ସିନା, ହେଲେ ଇସ୍ରୋକୁ ଦ୍ୱିତୀୟ ମୁନ୍ ମିଶନରୁ ମିଳିଲା ବଡ଼ ଉପଲବ୍ଧି । ବିଫଳତାରୁ ଶିଖି ପୁଣି ଅଣ୍ଟା ସଳଖି ଛିଡ଼ା ହେଲେ ଭାରତୀୟ ମହାକାଶ ବିଜ୍ଞାନୀମାନେ ।

୪ ବର୍ଷର କଠିନ ପରିଶ୍ରମ, ଆମୂଳଚୂଳ ତ୍ରୁଟି ସମୀକ୍ଷା ଏବଂ ସେଥିରେ ସୁଧାର ଆଣିବା ସହ ଅନେକ ଉନ୍ନତ ଜ୍ଞାନ କୌଶଳକୁ ସାମିଲ କରାଗଲା ଚନ୍ଦ୍ରୟାନ-୩ରେ । ସଫ୍ଟଲ୍ୟାଣ୍ଡିଂ ବେଳେ ଯେକୌଣସି ତ୍ରୁଟିର ଯେପରି ଆପେଆପେ ତତ୍କାଳ ସମାଧାନ କରିପାରିବ ଲ୍ୟାଣ୍ଡର୍, ସେଦିଗରେ ଶହ ଶହ ଥର ସବୁ ପ୍ରକାର ପୂର୍ବାଭ୍ୟାସ କରାଯାଇଥିଲା ଲଞ୍ଚିଂ ପୂର୍ବରୁ । ଯାହାର ପରିଣାମ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛି ଭାରତ ।

ଆଦିତ୍ୟ L1

ଚନ୍ଦ୍ରଯାନ-୩ ର ସଫଳତା ପରେ ISRO ଆଉ ଏକ ଇତିହାସ ରଚିଥିଲା । ସୂର୍ଯ୍ୟ ଅଭିମୁଖେ ଇସ୍ରୋ ପଠାଇଥିଲା ‘ଆଦିତ୍ୟ L1’ । ସେପ୍ଟେମ୍ବର ୨, ଶନିବାର, ଦିନ ୧୧ଟା ୫୦ । ସୂର୍ଯ୍ୟ ଅଭିମୁଖେ ଇସ୍ରୋ ପଠାଇଥିଲା 'ଆଦିତ୍ୟ-L1' । ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଭାରତ ପଠାଇଥିଲା ତାହାର ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ PSLV C-57 ରକେଟ୍ ସହାୟତାରେ ଉତକ୍ଷେପଣ ହୋଇଥିଲା ଆଦିତ୍ୟ-L1 । ଆଉ ମାତ୍ର କିଛି ଦିନ ପରେ ଇସ୍ରୋକୁ ମିଳିବ ସୂର୍ଯ୍ୟ ମିଶନରେ ସବୁଠୁ ବଡ଼ ସଫଳତା । ଆଉ ଅଳ୍ପ ବାଟ ରହିଲା ଏଲ ୱାନ ପଏଣ୍ଟ । ଇସ୍ରୋର ମିଶନ ସୂର୍ଯ୍ୟକୁ ସଫଳ କରିବାକୁ L1 ପଏଣ୍ଟ ଅଭିମୁଖେ ଯାଉଛି ଆଦିତ୍ୟ L1 । ଆସନ୍ତା ନୂଆବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ଆଦିତ୍ୟ L1 ପହଞ୍ଚିବ ଲାଗରେଞ୍ଜ ପଏଣ୍ଟ ୱାନରେ । ସୂର୍ଯ୍ୟ ସଂପର୍କରେ ବିଭିନ୍ନ ତଥ୍ୟ ଓ ଗବେଷଣା ପାଇଁ ଆଦିତ୍ୟ L1 ପହଞ୍ଚିବ ତାର ଗନ୍ତବ୍ୟସ୍ଥଳରେ ।

ଗଗନାୟନ

ଚନ୍ଦ୍ରଯାନ, ଆଦିତ୍ୟ L1 ବା ସୂର୍ଯ୍ୟୟାନ ପରେ ଗଗନୟାନର ପ୍ରଥମ ଫ୍ଲାଇଟ୍ ଟେଷ୍ଟ୍ ହୋଇସାରିଛି । ଚଳିତବର୍ଷ ଗୋଟିକ ପରେ ଗୋଟିଏ ବଡ଼ ସଫଳତା ହାତେଇଥିବା ଇସ୍ରୋ, ଆଜି ବି ଭାରତୀୟ ମହାକାଶ ଅଭିଯାନ କ୍ଷେତ୍ରରେ ଯୋଡ଼ିଛି ସ୍ୱର୍ଣ୍ଣିମ ଅଧ୍ୟାୟ । ମହାକାଶକୁ ମଣିଷ ପଠାଇବା ଲାଗି ପ୍ରସ୍ତାବିତ ମିଶନ୍ ଗଗନୟାନ ପାଇଁ ଭାରତ ବଢ଼ାଇଛି ବିଶ୍ୱାସ ଓ ଭରସାର ପ୍ରଥମ ପାଦ । କ୍ରୁ ଏସକେପ୍ ସିଷ୍ଟମର ଇନ-ଫ୍ଲାଇଟ୍ ଆବୋର୍ଟ ଡେମନଷ୍ଟ୍ରେସନ ବା ସରଳ ଭାଷାରେ କହିଲେ, ଗଗନୟାନ ଉତକ୍ଷେପଣ ପରେ ପରେ ମିଶନକୁ ଅଧାବାଟରେ ରୋକିବାକୁ ପଡ଼ିଲେ, ମହାକାଶଚାରୀମାନେ କିପରି ସୁରକ୍ଷିତ ଭାବେ ପୃଥିବୀକୁ ଫେରିପାରିବେ, ତାର ଏକ ସଫଳ ତଥା ରୋମାଞ୍ଚକର ପରୀକ୍ଷଣ କରାଯାଇଛି ।