• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଖିରୁ ଧାର ଧାର ହୋଇ ଲୁହ ବହି ଆସୁଛି । ଭଉଣୀକୁ ପାଖରେ ପାଇ ଭାଇ ଆଜି ଭାରି ଖୁସି । ଦେଖିବା ମାତ୍ରେ ଦଉଡ଼ି ଯାଇ ଖୁସିରେ ଆଲିଙ୍ଗନ କରୁଛନ୍ତି, ମୁଣ୍ଡକୁ ଆଉଁସି ଦେଉଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଭାଇଭଉଣୀଙ୍କ ଭେଟଘାଟର ମୁହୂର୍ତ୍ତ ସତରେ ଖୁବ ମର୍ମସ୍ପର୍ଶୀ । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଉଛି ଭାଇଭଉଣୀଙ୍କ ପବିତ୍ର ବନ୍ଧନ ସେମିତି ଅତୁଟ ରହିଛି । ପ୍ରେମ, ବିଶ୍ୱାସ, ମମତା କିଛି ବି ବଦଳି ନାହିଁ । ବଦଳି ଯାଇଛି ତ କେବଳ ବୟସ ଆଉ ସମୟ ।

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଜଣେ ବୃଦ୍ଧ ମହିଳା ନିଜ ଗେଲବସରର ସାନ ଭାଇକୁ ଭେଟିଛନ୍ତି । ଦୀର୍ଘ ୨୦ ବର୍ଷ ହେବ କେହି କାହାକୁ ଦେଖି ନଥିଲେ । ହେଲେ ଏବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏତେ ବର୍ଷ ପରେ ହେଉ ପଛେ ଭାଇ ଭଉଣୀର ଦେଖା ପାଇଛି । ଏତେ ବର୍ଷ ପରେ ହେଉ ପଛେ ଏଥର ହାତରେ ପୁଣି ସୁରକ୍ଷାର ଡୋର ବାନ୍ଧିଦେବ ଭଉଣୀ ।

ଶ୍ରଦ୍ଧା ଭରା ସୂତା ଖିଅରେ ସବୁ ପୁରୁଣା ସ୍ମୃତି ଉଜାଗର ହେବ । ଭଗବାନ୍‌ ହତଭାଗିନୀ ଭଉଣୀର ଡାକ ଶୁଣିଛନ୍ତି । ଅଛିଣ୍ଡା ବନ୍ଧନ ଆଜି ପୁଣି ଯୋଡ଼ି ହୋଇଛି । ଭାଇଭଉଣୀଙ୍କ ମିଳନର ସାକ୍ଷୀ ପାଲଟିଛି ଇନଷ୍ଟାଗ୍ରାମ୍‌ । ବୃଦ୍ଧ ଭାଇଭଉଣୀଙ୍କୁ ଏକାଠି ଦେଖି ୟୁଜରଙ୍କ ଆଖିରେ ବି ଲୁହ ଆସିଯାଇଛି ।

Sikhexpo ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଭିଡିଓ ସେୟାର କରାଯାଇଛି । ଗୁରୁପ୍ରୀତ ସିଂ ନାମକ ଜଣେ ବ୍ୟକ୍ତି ଭିଡିଓକୁ ପୋଷ୍ଟ କରିଛନ୍ତି । ଏହି ଭିଡିଓ ୧୮ ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରାଯାଇଥିଲା । ଏପର୍ଯ୍ୟନ୍ତ ଏହାକୁ ୪ ଲକ୍ଷରୁ ଅଧିକ ଥର ଭିଉ ହୋଇଛି । ଭିଡିଓକୁ ୭୦,୦୦୦ ରୁ ଅଧିକ ଲାଇକ୍ ମଧ୍ୟ ମିଳିଛି । ଭିଡିଓ ଦେଖି ଅନେକ ଲୋକ ଭାବପ୍ରବଣ ହୋଇଯାଉଛନ୍ତି ।