• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ଆବେଦନ । ଯୌନ ଉତ୍ପୀଡନର ଶିକାର ଉତ୍ତରପ୍ରଦେଶର ମହିଳା ବିଚାରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କୁ ଆତ୍ମହତ୍ୟା ଅନୁମତି ମାଗିବାକୁ ନେଇ ଚର୍ଚ୍ଚା । ମହିଳା ବିଚାରପତିଙ୍କ ଖୋଲା ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ବି ପ୍ରକାଶ ପାଇଛି ପ୍ରତିକ୍ରିୟା । ମହିଳାଙ୍କ ଅଭିଯୋଗ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାଙ୍କୁ ରିପୋର୍ଟ ଦେବା ଲାଗି ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟ ମହାସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

‘ମୋ ଜୀବନକୁ ଡିସମିସ୍ କରି ଦିଅ..ମୁଁ ଶବ ହୋଇ ବଞ୍ଚିବାକୁ ଚାହୁଁନି’ । ଉତ୍ତରପ୍ରଦେଶର ଜଣେ ମହିଳା ଜଜ୍ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏହି ଚିଠିକୁ ନେଇ ଚର୍ଚ୍ଚା । ମହିଳା ବିଚାରପତି ଯେଉଁ ଭାବାବେଗପୂର୍ଣ୍ଣ ଚିଠି ଲେଖିଛନ୍ତି ତାହା ଯେ କୌଣସି ବ୍ୟକ୍ତିଙ୍କ ମନକୁ ଆନ୍ଦୋଳିତ କରିବ । ମହିଳା ବିଚାରପତି ଲେଖିଛନ୍ତି..‘ମୋତେ ପରିତ୍ୟକ୍ତ ବସ୍ତୁ ଭଳି ବ୍ୟବହାର କରାଯାଉଛି । ମୁଁ ନିଜକୁ ଏକ ଅବାଞ୍ଛିତ କୀଟ ଭଳି ଅନୁଭବ କରୁଛି । ମୁଁ ଚାଲୁଥିବା ଏକ ମୁର୍ଦ୍ଦାରରେ ପରିଣତ ହୋଇଛି । ଆତ୍ମା ବିହୀନ, ଜୀବନ ବିହୀନ ଏହି ଶରୀରକୁ ମୁଁ ଆଉ ବେଶି ଦିନ ରଖିବାକୁ ଚାହୁଁନି । ମୁଁ ବଞ୍ଚିବାର ଆଉ କୌଣସି ଉଦ୍ଦେଶ୍ୟ ଦେଖୁନାହିଁ । ଦୟାକରି ମୋତେ ମୃତ୍ୟୁ ଦିଅ, ମୋ ଜୀବନକୁ ଡିସମିସ୍ କରି ଦିଅ ।

ତେବେ ଜଣେ ମହିଳା ବିଚାରପତିଙ୍କଠାରେ ଜୀବନକୁ ନେଇ, ବ୍ୟବସ୍ଥାକୁ ନେଇ କାହିଁକି ଏତେ ହତାଶାପଣ ? କାହିଁକି ପ୍ରଧାନ ବିଚାରପତିଙ୍କୁ ମୃତ୍ୟୁ ମାଗୁଛନ୍ତି ମହିଳା ବିଚାରପତି ? ସେ ଲେଖିଥିବା ଚିଠିରେ ବି ଅଛି ପୂରା କାହାଣୀ । ବାରବାଙ୍କୀ ଜିଲ୍ଲା ଜଜ୍ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ ପୀଡିତା । ଏନେଇ ସେ ହାଇକୋର୍ଟ ଇଣ୍ଟରନାଲ କଂପ୍ଲେଣ୍ଟ କମିଟିକୁ ଜଣାଇଥିଲେ । ତେବେ କମିଟିର ତଦନ୍ତ କେବଳ ଲୋକ ଦେଖାଣିଆ ଥିଲା ବୋଲି ପ୍ରଧାନ ବିଚାରପତିଙ୍କୁ ଜଣାଇଛନ୍ତି ମହିଳା ବିଚାରପତି । ମାମଲାରେ ଜଜ୍‌ଙ୍କ ଅଧସ୍ଥନ କର୍ମଚାରୀଙ୍କୁ ସାକ୍ଷୀ କରାଯାଇଥିଲା । ଏହାକୁ ନେଇ ପୀଡିତା ପ୍ରଶ୍ନ ଉଠାଇବା ସହ ନିଜ ବସ୍‌ଙ୍କ ବିପକ୍ଷରେ ଜଣେ ତଳିଆ କର୍ମଚାରୀ ସାକ୍ଷୀ ଦେବାକୁ କେମିତି ସାହସ କରିବ ସେ ତାହା ବୁଝି ପାରୁନାହାନ୍ତି ବୋଲି କହିଛନ୍ତି । ଅଭିଯୋଗର ନିରପେକ୍ଷ ତଦନ୍ତ ଲାଗି ସଂପୃକ୍ତ ଜିଲ୍ଲା ଜଜ୍‌ଙ୍କୁ ବଦଳି ଲାଗି ସେ ଆବେଦନ କରିଥିଲେ ।

ତେବେ ସୁପ୍ରିମକୋର୍ଟ ମାତ୍ର ୮ ସେକେଣ୍ଡରେ ତାକୁ ଖାରଜ କରିଦେବା ନେଇ ମହିଳା ଜଜ୍ କ୍ଷୋଭ ପ୍ରକାଶ କରିଛନ୍ତି । ଲେଖିଛନ୍ତି- କେହି ଶୁଣନ୍ତିନି, କେହି ଚିନ୍ତା କରନ୍ତିନି । ଯଦି ତୁମେ ଅଭିଯୋଗ କରିବ, ତୁମେ ହିଁ ନିର୍ଯାତିତ ହେବ । ଏବଂ ମୁଁ ଯେତେବେଳେ କେହି ଶୁଣନ୍ତିନି ବୋଲି କହୁଛି, ସେଥିରେ ସୁପ୍ରିମ୍ କୋର୍ଟ ବି ଅନ୍ତର୍ଭୁକ୍ତ ଅଛନ୍ତି । ତମେ ମାତ୍ର 8 ସେକେଣ୍ଡର ହିୟରିଂ ସୁଯୋଗ ପାଇବ, ଅପମାନ ଏବଂ ଏହାର ପରିଣାମରେ ଧମକ ବି ପାଇବ । ତମକୁ ଆତ୍ମହତ୍ୟା କରିବା ବାଧ୍ୟ କରାଯିବ । ଏବଂ ଯଦି ତୁମେ ଭାଗ୍ୟବାନ, ( ମୋ ଛଡ଼ା) ତାହେଲେ ପ୍ରଥମ ପ୍ରୟାସରେ ତୁମ ଆତ୍ମହତ୍ୟା ଉଦ୍ୟମ ସଫଳ ହେବ । ଯଦି ଅନ୍ୟ କେହି ମହିଳା ଭାବୁଥାନ୍ତି ଯେ ସେ ବ୍ୟବସ୍ଥା ବିରୋଧରେ ଲ଼ଢିପାରିବେ, କହି ଦେଉଛି, ମୁଁ କିନ୍ତୁ ପାରିବିନି ।

ଏଠି ପ୍ରଶ୍ନ, ବିବାଚରପତି ହୋଇ ଜଣେ ଯଦି ଏତେ ଅସହାୟ ତା ହେଲେ ସାଧାରଣ ମଣିଷଙ୍କ କଥା ବୁଝିବ କିଏ ? ଆମ ନ୍ୟାୟିକ ବ୍ୟବସ୍ଥା କଣ ଏତେ ଅସହାୟ ଯେ ମହିଳା ବିଚାରପତି ଏଭଳି ଏକ ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କଲେ । ପୀଡିତା ଏ କଥା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ନ୍ୟାୟ ପାଇଁ ମୋତେ ଯଦି ବାର ଦୁଆର ବୁଲିବାକୁ ପଡୁଛି ମୁଁ ଲୋକଙ୍କୁ କି ନ୍ୟାୟ ଦେବି ବୋଲି ସେ ପ୍ରଧାନ ବିଚାରପତିଙ୍କଠୁ ଜାଣିବାକୁ ଚାହିଁଛନ୍ତି ।