ଘର ଭିତରେ ପଡିଥିଲା ସ୍ୱାମୀଙ୍କ ଶବ। ହେଲେ ତାଙ୍କ ପାଖରେ ବସି କାନ୍ଦିବା ପାଇଁ ତାଙ୍କୁ ଭାଗ୍ୟ ଯେମିତି ଅନୁମତି ଦେଇ ନ ଥିଲା। ହୃଦୟ ଫାଟି ଯାଉଥିଲା। ମୁଣ୍ଡ ଉପରେ ଆକାଶଟା ଛିଣ୍ଡି ପଡ଼ିଲା ପରି ଲାଗୁଥିଲା। ହେଲେ କର୍ତ୍ତବ୍ୟ ପାଖରେ ଏ କଷ୍ଟସବୁ ବି ହାର ମାନି ଯାଇଥିଲା । ଅନ୍ଧାର ରାତିରେ ସେ ଏକା ଏକା ଆସିଥିଲେ କୋଦାଳଟିଏ ଧରି। ଘର ପାଖରେ ମାଟି ହାଣି ଗାତ କରୁଥିଲେ। ଏଇ ଗାତରେ ସବୁଦିନ ପାଇଁ ଶୁଆଇ ଦେବେ ଜୀବନସାଥୀକୁ। ତାଙ୍କର ଦୁଭାର୍ଗ୍ୟ ବି ଦେଖ, ଏମିତି ଦୁର୍ଦ୍ଦିନରେ ସାହି ପଡିଶା ଚାରିକାନ୍ଧ ଦେବା ତ ଦୂର କଥା କେହି ବି ତାଙ୍କୁ ସହାୟତାର ହାତ ଟିକିଏ ବଢାଇ ନ ଥିଲେ। ଆଖିର ଲୁହ ଆଖିରେ ଶୁଖି ଯାଇଥିଲା। ତଥାପି ଭଙ୍ଗା ହୃଦୟରେ ଏକା ଏକା ସ୍ୱାମୀଙ୍କ ଶେଷକୃତ୍ୟ କରୁଥିଲେ।
ଏ ଦୃଶ୍ୟ ଥିଲା ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ ।ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡେଇ ନେଇଥିଲା। ବହୁ ଚେଷ୍ଟା କରିବି ସ୍ୱାମୀଙ୍କୁ ବଞ୍ଚେଇ ପାରି ନଥିଲେ। ସ୍ୱାମୀଙ୍କ ବିୟୋଗ ତାଙ୍କୁ ଯେତିକି ଦୁଃଖ ଦେଇଥିଲା ତାଠାରୁ ଅଧିକ ଦୁଃଖ ଦେଇଥିଲା ସାହିପଡିଶାଙ୍କ ଅମାନବିକ ବ୍ୟବହାର ।
Also Read
ବଡ଼ ନଈ ଗାଁର ଭଞ୍ଜ ମୁଣ୍ଡା। ସଂସାର କହିଲେ ସ୍ୱାମ-ସ୍ତ୍ରୀ ଦୁଇଜଣ। ପୁଅ-ଝିଅ ନାହାନ୍ତି। ଭଞ୍ଜ ଜ୍ୱର ହେବାରୁ ତାଙ୍କ ପତ୍ନୀ କତି ତାଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଯାହାକଛି ସମ୍ବଳ ଥିଲା ସବୁ ଖର୍ଚ୍ଚ କରିଦେଲେ କତି। ହେଲେ ଭାଗ୍ୟ ସାଥ ଦେଲାନି। ଧୋକା ଦେଇ ତାଙ୍କ ହାତ ଛାଡ଼ି ସବୁଦିନ ପାଇଁ ଚାଲିଗଲେ ସ୍ୱାମୀ।
ଏକା ଏକା କ’ଣ କରିବେ ଜାଣି ପାରି ନ ଥିଲେ। ଶେଷରେ ଧାରକରଜ କରି ଏକ ଗାଡି ଭଡା କରି ସ୍ୱାମୀଙ୍କୁ ଡାକ୍ତରଖାନାରୁ ଘରକୁ ଆଣିଥିଲେ। ଭାବିଥିଲେ ସାହିପଡ଼ିଶାଙ୍କ ସହଯୋଗରେ ଗାଁରେ ଶେଷ କୃତ୍ୟ ସମ୍ପନ୍ନ କରିବେ। ହେଲେ ଶବ ସତ୍କାର ପାଇଁ କେହି ଜଣେ ବି ଆଗେଇ ଆସି ନ ଥିଲେ। କେତେ ନେହୁରା ହେଲେ। ହେଲେ କେହି ଶୁଣିଲେନି। ଶେଷରେ କାହାରି ସହଯୋଗ ନ ମିଳିବାରୁ ବାଧ୍ୟ ହୋଇ ନିଜ ଘର ପାଖରେ ନିଜେ ଗାତ ଖୋଳି ଶବକୁ ପୋତି ଦେଇଥିଲେ କତି।