Woman dies during interrogation
ମହିଳାଙ୍କ ନାଁରେ ଥିଲା ସାଇବର ଠକେଇ ମାମଲା । ମହାରାଷ୍ଟ୍ର ନାସିକ ସାଇବର ସେଲ୍ ପକ୍ଷରୁ ଏନେଇ ଚାଲିଥିଲା ପଚରାଉଚରା । ଆଉ ସେହି ସମୟରେ ହଠାତ ଟଳିପଡିଲେ ମହିଳା । ପଚରାଉଚରା ବେଳେ ହିଁ ଚାଲିଗଲା ଜୀବନ । ମୃତକ ହେଲେ ମୀନାବେନ ମୋହନଭାଇ ରାଥୋଡ । ଆମରୋଲି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ନାସିକ ସାଇବର ସେଲ୍ ଅଧିକାରୀଙ୍କ ବୟାନ ରେକର୍ଡ କରିବ ବୋଲି କହିଛି ।
ନାସିକ ସାଇବର ସେଲର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ବରିଷ୍ଠ ପୋଲିସ ଅଧିକାରୀ ଶୁଭାଶିଷ ଧାୱଲେ ଏବଂ ଅନ୍ୟ ଦୁଇ ଜଣ ଅଧିକାରୀ ଗତ ରବିବାର ଗୁଜରାଟର ସୁରଟ ଆସିଥିଲେ । ଆମରୋଲି ପୋଲିସ ସହାୟତାରେ ସେମାନେ ମୀନାବେନଙ୍କ ଘରକୁ ଯାଇଥିଲେ । ଯାହାକି ବରୋଦି ଷ୍ଟ୍ରିଟ୍ ନିକଟ ଛପ୍ରାଭାଠାରେ ଅବସ୍ଥିତ । ଏହାପରେ ମୀନାବେନଙ୍କୁ ପଚରାଉଚରା ପାଇଁ ଆମରୋଲି ପୋଲିସ ଷ୍ଟେସନ ଡ଼କାଯାଇଥିଲା । ୭ ମାସ ତଳେ ମୀନାବେନଙ୍କ ଆକାଉଣ୍ଟକୁ ୬ ଲକ୍ଷ ଟଙ୍କା ଟ୍ରାନସଫର ହୋଇଥିଲା । ଯାହାକୁ ସେ ତୁରନ୍ତ ଉଠାଇ ଦେଇଥିଲେ । ଏକ ସାଇବର ଫ୍ରଡ୍ କେସରେ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେଥିରୁ କିଛି ଟଙ୍କା ମୀନାବେନଙ୍କ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଥିଲା । ଯାହାର ତଦନ୍ତ କରୁଥିଲା ନାସିକ ସାଇବର ସେଲ୍ ।
ଅପରାହ୍ନରେ ପୁଅ ପବି ରାଥୋଡ ସହ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ମୀନାବେନ । ପୋଲିସ ମୀନାବେନଙ୍କୁ ପଚରାଉଚରା କରିବା ସମୟରେ ପାୱାରକଟ୍ ବା ବିଦ୍ୟୁତ କାଟ୍ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ସେହି କ୍ୟାମ୍ପସ ଭିତରେ ଥିବା ଏକ ଗାର୍ଡେନକୁ ନେଇ ପଚରାଉଚରା କରିଥିଲା । ଆଉ ସେହି ସମୟରେ ହିଁ ହଠାତ୍ ମୀନାବେନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା । ସେ ଉତ୍ତର ଦେବା ପରିବର୍ତ୍ତେ ହଠାତ୍ ଭୟଭୀତ ହୋଇଯାଇଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଦେଖି ସୁରଟ ମ୍ୟୁନସିପାଲ କର୍ପୋରେସନର SMIMER ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us