• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଟଳମଳ ପାଦ, ଲାଲ ଲାଲ ଆଖି, ମୁହଁରେ ମଦର ଗନ୍ଧ । ବାପା ଶବ୍ଦ ଶୁଣିଲେ ଏପରି ଏକ ଚେହେରା ମୋ ଆଖି ସାମ୍ନାକୁ ଚାଲିଆସେ । ସବୁବେଳେ ଗାଳିଗୁଲଜ କରି ଘରର ଶାନ୍ତି ଭଙ୍ଗ କରୁଥିବା ମଣିଷ ମୋ ବାପା । କାହାପାଇଁ ସେ ଆଶୀର୍ବାଦର ଭଣ୍ଡାର ହେଲେ ମୋ ପାଇଁ ଅଭିଶାପ । ହୁଏତ ଅନ୍ୟ ପରିବାର ପାଇଁ ସେ ଘରର ମେଣୁଦଣ୍ଡ, କିନ୍ତୁ ମୋ ପାଇଁ ସେ ନିଶା ସେବନ କରୁଥିବା ଜଣେ ରାକ୍ଷସ ମାତ୍ର । ପିଲାଦିନେ ମୁଁ ମୋ ବାପାଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲି, ଏପରିକି ଚେଷ୍ଟା ମଧ୍ୟ କରିଛି । ” ମା’ଙ୍କ ସଂଘର୍ଷର କାହାଣୀ ବଖାଣି ଜଣେ ଆଇପିଏସ୍‌ ଅଫିସର୍‌ ନିଜ ବହିରେ ଏପରି ବଡ଼ ଖୁଲାସା କରିଛନ୍ତି ।

ବିହାରର କୋସିରେ ନୂତନ ଡିଜି ଭାବରେ ଶିବଦୀପ ବାମନାରାଓ ଲାନ୍ଦେଙ୍କର ପୋଷ୍ଟିଂ ହୋଇଛି । ଆଜି ତାଙ୍କ ନାଁ ଶୁଣିଲେ ଥରହର ହେଉଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ । ହେଲେ ଦିନ ଥିଲା ସେ ନିଜର ଜନ୍ମଦାତା ଅର୍ଥାତ୍‌ ବାପାଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲେ । ଆଇପିଏସ୍ ଅଧିକାରୀ ଶିବଦୀପ ରବିବାର ' Woman Behind the Lion' ପୁସ୍ତକର ଉନ୍ମୋଚନ କରିଛନ୍ତି । ତାଙ୍କ ରଚିତ ଏହି ପୁସ୍ତକରେ ଜଣେ କୁନି ପୁଅର କାହାଣୀ ଅଛି । ଯିଏ ପିଲାଦିନେ ବାପାଙ୍କୁ ହତ୍ୟା କରି ଘରୁ ପଳାଇବା ପାଇଁ ଚାହୁଁଥିଲା । ଆଉ ଆଜି ସେ ଜଣେ ଆଇପିଏସ୍ ଅଧିକାରୀ । ଏ କାହାଣୀ ଆଉ କାହାରି ନୁହେଁ, ସେ ନିଜ ଅଙ୍ଗେନିଭା କାହାଣୀ ବଖାଣିଛନ୍ତି ।

ମୂଳତଃ ମହାରାଷ୍ଟ୍ରର ଆକୋଲାର ଶିବଦୀପଙ୍କ ଘର । ତାଙ୍କର ଦୁଇ ଜଣ ବଡ଼ ଭାଇ ଅଛନ୍ତି । ଆଉ ଛାତ୍ରବୃତ୍ତି ସହାୟତାରେ ହିଁ ଶିବଦୀପ ଇଞ୍ଜିନିୟରିଂ ପାଠ ପଢ଼ିବା ପରେ UPSC କ୍ଲିୟର୍‌ କରିଥିଲେ । ହେଲେ ତାଙ୍କ ପିଲାଦିନ ଭାରି କଷ୍ଟରେ ବିତିଛି । ଘର ଚଳାଇବା ପାଇଁ ମା’ଙ୍କୁ ଖୁବ୍‌ କଷ୍ଟ କରିବା ପାଇଁ ପଡ଼ୁଥିଲା ।  ତାଙ୍କ ବାପା ଜଣେ ଚାଷୀ ଥିବାବେଳେ ସବୁବେଳେ ମଦ ନିଶାରେ ଚୁର୍‌ ରହୁଥିଲେ । ପରିବାର ପାଇଁ ତାଙ୍କ ପାଖରେ ଆଦୌ ସମୟ ନଥିଲା । ସ୍ତ୍ରୀ, ପିଲା ଓ ସଂସାର କଥା କେବେ ଭାବୁନଥିଲେ । କେବେ ମା’ଙ୍କ ଯତ୍ନ ନେଉନଥିଲେ କି ପୁଅ କଥା ଚିନ୍ତା କରୁନଥିଲେ । ଜଣେ ସ୍ୱାର୍ଥପର ମଣିଷ ପରି ନିଜ ଭିତରେ ହିଁ ବ୍ୟସ୍ତ ରହୁଥିଲେ । ପିଲାଙ୍କ ପାଠପଢ଼ା ପ୍ରତି ତାଙ୍କର ଆଦୌ ଆଗ୍ରହ ନଥିଲା । କିନ୍ତୁ ତାଙ୍କ ମା’ ସବୁବେଳେ ଚାହୁଁଥିଲେ ପୁଅ ପାଠ ପଢ଼ି ବଡ଼ ମଣିଷ ହେଉ ।

ଏଥିପାଇଁ ପୁଅକୁ ପ୍ରୋତ୍ସାହିତ କରିବା ସହିତ ସାଧ୍ୟ ମତେ ପାଠପଢ଼ାରେ ସାହାଯ୍ୟ କରୁଥିଲେ । ଘରେ ରୋଜଗାର ଅଧିକ ନଥିବା ବେଳେ ପୁଅଙ୍କ ପାଇଁ ସେ ଅନବରତ କଠିନ ପରିଶ୍ରମ କରୁଥିଲେ । ଆଉ ମା’ଙ୍କ ସଂଘର୍ଷ ପାଇଁ ହିଁ ଆଜି ସେ ଆଇପିଏସ୍‌ ଅଫିସର୍‌ ହୋଇପାରିଛନ୍ତି ।

ଶିବଦୀପ ଲାନ୍ଦେ ଯଦିଓ ବିହାର କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ, କିନ୍ତୁ ଗତ ପାଞ୍ଚ ବର୍ଷ ଧରି ସେ ମହାରାଷ୍ଟ୍ରରେ ନିଜର କର୍ତ୍ତବ୍ୟ ନିର୍ବାହ କରୁଛନ୍ତି । ଶିବଦୀପ ଯେତେବେଳେ ଲାବିହାରରେ ଏସଟିଏଫର ଏସପି ଭାବରେ କାମ କରୁଥିଲେ, ସେତେବେଳେ ତାଙ୍କୁ ମହାରାଷ୍ଟ୍ର କ୍ୟାଡରକୁ ସ୍ଥାନାନ୍ତର କରାଯାଇଥିଲା । ବିହାରକୁ ଫେରିବା ବେଳକୁ ସେ ମହାରାଷ୍ଟ୍ରରେ ଏଟିଏସରେ ଡିଜି ପଦରେ ମୁତୟନ ହୋଇଥିଲେ । ଏବେ ସେ ବିହାରର ସହରସା ରେଞ୍ଜର ଡିଆଇଇଛି ଅଛନ୍ତି ।