Advertisment

ଲଗାତର ୧୦ ଥର ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦି, କହିଲେ ୨୦୨୪ରେ ବି ଉଡ଼ାଇବି

ନାଁ ନ ନେଇ ବିରୋଧୀଙ୍କୁ ମୋଦିଙ୍କ ପଲିଟିକାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ । କୌଳିକ ବୃତ୍ତିଧାରୀଙ୍କ ପାଇଁ ଘୋଷଣା କଲେ ବିଶ୍ବକର୍ମା ଯୋଜନା ।

undefined

Narendra Modi

Advertisment

୨୦୨୪ରେ ପୁଣି ଲାଲକିଲ୍ଲା ଫେରିବାର ଦମ୍ଭୋକ୍ତି । ନାଁ ନନେଇ ବିରୋଧୀଙ୍କୁ ପଲିଟିକାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ପରିବାରବାଦ, ଭ୍ରଷ୍ଟାଚାର ଓ ତୁଷ୍ଟୀକରଣ ନୀତିକୁ ହମଲା । ୭୭ତମ ସ୍ୱାଧୀନତା ଦିବସରେ କ୍ରମାଗତ ୧୦ମ ଥର ପାଇଁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ତ୍ରିରଙ୍ଗା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜ ଅଭିଭାଷଣରେ ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଓ ସନ୍ଦେଶ ଦେଇଛନ୍ତି ।

Advertisment

୧୪୦ କୋଟି ଦେଶବାସୀଙ୍କୁ ପରିବାରଜନ ବୋଲି ସମ୍ବୋଧନ କରି ମୋଦି ୩ଟି କୁ-ବ୍ୟବସ୍ଥା, ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟୀକରଣ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ ବୋଲି କହିଥିଲେ। ଏମିତିକି ପରିବାରବାଦକୁ କଟାକ୍ଷ କରି କିଛି ଲୋକଙ୍କ ପାଇଁ ପାର୍ଟି ପରିବାର ପାଇଁ, ପାର୍ଟି ପରିବାରର ଓ ପାର୍ଟି ପରିବାର ଦ୍ୱାରା ବୋଲି କହିଥିଲେ।

ତାସହ ୨୦୧୪ରେ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ସରକାରକୁ ଆସିବା ପରଠୁ ଦେଶର ବିକାଶ ପାଇଁ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଲକ୍ଷ୍ୟରେ କାର୍ଯ୍ୟ କରି ଚାଲିଛି ବୋଲି କହିବା ସହ ୨୦୨୪ରେ ପୁଣି ଲାଲକିଲ୍ଲା ଆସିବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଦେଶର ବିକାଶ ନେଇ ଏଇ ଲାଲକିଲ୍ଲାରୁ ୨୦୨୪ରେ ହିସାବ ଦେବି ବୋଲି କହିଥିଲେ ମୋଦି। ୨୦୧୪ରେ ସରକାର ଗଠନ ପରଠୁ ବହୁ ସଂସ୍କାର ଆଣିଛି ଓ ଏଥିପାଇଁ ହିମତ୍ ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Advertisment

ଦୀର୍ଘ ୯୦ ମିନିଟ୍ ଭାଷଣରେ ଦେଶରୁ ଗରିବୀ ହ୍ରାସ ଓ ମଧ୍ୟମ ବର୍ଗଙ୍କ ଶକ୍ତିବୃଦ୍ଧିର ଦିଗ ବି ଦେଖାଇଥିଲେ ପ୍ରଧାନମନ୍ତ୍ରୀ। ଆସନ୍ତା ୫ବର୍ଷରେ ଏହି ପ୍ରତିଶ୍ରୁତି ପୂରଣର ଗ୍ୟାରେଣ୍ଟି ଦେଇ- ସହରରେ ବସ୍ତି ଲୋକଙ୍କ ଜୀବନ ମାନ ବଢ଼ାଇବାକୁ ଘର, ବ୍ୟାଙ୍କରୁ ରିହାତିରେ ଋଣ ଦେବାକୁ ବ୍ୟବସ୍ଥା ହେଉଥିବା କହିଥିଲେ । ୧୦ ବର୍ଷ ତଳେ ରାଜ୍ୟମାନଙ୍କୁ ୩୦ ଲକ୍ଷ କୋଟି ଟଙ୍କା ଯାଉଥିଲା, ଏବେ ତାହା ୧୦୦ ଲକ୍ଷ କୋଟିରେ ପହଞ୍ଚିଥିବା କହିଥିଲେ ପ୍ରଧାନମନ୍ତ୍ରୀ।

ତାସହ ଗତ ୫ବର୍ଷରେ ସାଢ଼େ ୧୩ କୋଟି ଲୋକଙ୍କ ଗରିବୀ ଦୂର ହୋଇଛି ଓ ଦେଶ ପ୍ରଥମ ସଂକଳ୍ପ ନେଇ ମୋ ସରକାର କାମ କରୁଛି ବୋଲି କହିଥିଲେ । ତାଙ୍କର ପ୍ରତିଟି ମୁହୂର୍ତ୍ତ ଏବଂ ପ୍ରତିଟି ଟଙ୍କା ଲୋକଙ୍କ କଲ୍ୟାଣ ପାଇଁ ବିନିଯୋଗ ହେଉଥିବା ଦର୍ଶାଇଥିଲେ ମୋଦି। ଓବିସି ବର୍ଗର ଲୋକଙ୍କ ଉପକାର ଲକ୍ଷ୍ୟରେ ଖୁବଶୀଘ୍ର ବିଶ୍ୱକର୍ମା ଯୋଜନା ଆରମ୍ଭ ହେବାର ଘୋଷଣା କରି ଏଥିରେ ବିଭିନ୍ନ କୌଳିକ ବର୍ଗ ଯେମିତିକି ବଣିଆ, କୁମ୍ଭାର, ବାରିକ ଓ ସଫେଇ କର୍ମଚାରୀ ଉପକୃତ ହେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

Advertisment

ନିଜ ଅଭିଭାଷଣରେ ମଣିପୁର ହିଂସା ତାଙ୍କୁ ବ୍ୟଥିତ କରିଥିବା କହିଥିଲେ ମୋଦି । ଦେଶର ଯବାନମାନଙ୍କୁ ଶୁଭେଚ୍ଛା ଜଣାଇ ବର୍ତ୍ତମାନ ସମୟରେ ସୀମାନ୍ତ ସବୁଠୁ ଅଧିକ ସୁରକ୍ଷିତ ବୋଲି କହିଥିଲେ। ବିବିଧତା ଭିତରେ ଏକତାର ସଂକଳ୍ପ ନେଇ ୨୦୪୭ ସୁଦ୍ଧା ଶ୍ରେଷ୍ଠ ଭାରତ ନିର୍ମାଣ ଲାଗି ରାଷ୍ଟ୍ର ଚରିତ୍ରର ନୂଆ ମନ୍ତ୍ର ବି ଦେଇଥିଲେ ପ୍ରଧାନମନ୍ତ୍ରୀ।

ମୋଦି କହିଥିଲେ- କରୋନା ପରେ ବିଶ୍ବର ଗତିପଥ ବଦଳିଛି ଏବଂ ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରି ଭାରତ ବିଶ୍ବମିତ୍ରର ପରିଚୟ ସୃଷ୍ଟି କରିଛି। ଦେଶରେ ନାରୀ ଶକ୍ତିର ଉତଥାନ ସନ୍ଦେଶ ଦେଇ ଜି-୨୦କୁ ସଫଳ କରିବାରେ ମହିଳାଙ୍କ ଭୂମିକା, ଚନ୍ଦ୍ରୟାନ-ଥ୍ରୀ ମିଶନରେ ମହିଳା ବୈଜ୍ଞାନିକଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଡ଼ି ହୋଇଥିବା କହିଥିଲେ ମୋଦି।

ଆଜିର ଲାଲକିଲ୍ଲା ସମାରୋହରେ ଦେଶର କୋଣ ଅନୁକୋଣରୁ ସାମିଲ ହୋଇଥିବା ଶ୍ରମଯୋଗୀ, ଖଦି କାରିଗର, ଶିକ୍ଷକ, ନର୍ସ, ମତ୍ସ୍ୟଜୀବୀ, ସରପଞ୍ଚଙ୍କ ଭଳି ୧୮ଶହ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସହ ହାତ ମିଳାଇ ସେଲଫି ନେଇଥିଲେ ପ୍ରଧାନମନ୍ତ୍ରୀ। ଏଥର ଲାଲକିଲ୍ଲାରେ ପ୍ରଥମ ଥର ପାଇଁ ସ୍ୱଦେଶୀ 105 MM ଲାଇଟ୍ ଫିଲ୍ଡ ଗନ ସାଲ୍ୟୁଟ୍ ଦିଆଯାଇଥିଲା।

Narendra Modi Independence Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ