୧୯୫୦ ଜାନୁଆରୀ ୨୬ ତାରିଖରେ ଗଣତାନ୍ତ୍ରିକ ଦେଶର ମାନ୍ୟତା ପାଇଥିଲା ଭାରତ । ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ଡ.ରାଜେନ୍ଦ୍ର ପ୍ରସାଦ । ପ୍ରଥମ ରାଷ୍ଟ୍ରପତିଙ୍କ ପାଇଁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲା ରାଷ୍ଟ୍ରପତି ଭବନ । ୩୪୦ ବଖରା ଥିବା ବିଶାଳ ଭବନରେ ରହିବେ ଦେଶର ପ୍ରଥମ ରାଷ୍ଟ୍ରପତି । ହେଲେ ଏହି ଭବ୍ୟ ଭବନକୁ ଯିବା ପାଇଁ ମନା କରିଦେଇଥିଲେ ଡ. ରାଜେନ୍ଦ୍ର ପ୍ରସାଦ । ରାଷ୍ଟ୍ରପତିଙ୍କୁ ମନେଇବା ପାଇଁ ଚେଷ୍ଟା କରାଗଲା । ବହୁତ ବୁଝାଗଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କଠାରୁ ଆରମ୍ଭ କରି କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ରାଜେନ୍ଦ୍ର ପ୍ରସାଦଙ୍କୁ ବହୁତ ବୁଝାଇଲେ । ଏପରିକି ନିଜେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ବି ତାଙ୍କୁ ବୁଝାଇବାକୁ ପଡିଥିଲା ।
ଭାରତ ସ୍ୱାଧୀନ ହେବା ପରେ ନେହରୁଙ୍କ ପ୍ରଥମ କ୍ୟାବିନେଟରେ ଡା.ରାଜେନ୍ଦ୍ର ପ୍ରସାଦ କୃଷି ମନ୍ତ୍ରୀ ଥିଲେ । ୧୯୪୯, ଡିସେମ୍ବରରେ ଯେତେବେଳେ ସମ୍ବିଧାନ ପ୍ରଣୟନ କରାଗଲା ସେତେବେଳେ ସମସ୍ତେ ଜାଣିଥିଲେ ଯେ, ରାଜେନ୍ଦ୍ର ପ୍ରସାଦ ଦେଶର ପ୍ରଥମ ରାଷ୍ଟ୍ରପତି ହେବେ । ତଥାପି ଏହାକୁ ନେଇ ବହୁ କଳ୍ପନାଜଳ୍ପନା ଚାଲିଥିଲା ।
Also Read
୧୯୫୦, ଜାନୁଆରୀ ୨୪ ତାରିଖରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା । ପ୍ରଥମ ରାଷ୍ଟ୍ରପତି ଭାବେ ରାଜେନ୍ଦ୍ର ପ୍ରସାଦଙ୍କ ନାମ ସ୍ପଷ୍ଟ ହୋଇ ଯାଇଥିଲା । ସମ୍ବିଧାନର ଶେଷ ଅଧିବେଶନରେ ଏହାକୁ ମଞ୍ଜୁରୀ ମିଳିଥିଲା । ଭାରତ ଗଣତାନ୍ତ୍ରିକ ଦେଶ ମାନ୍ୟତା ପାଇବାର ୨ ଦିନ ପୂର୍ବରୁ ଡା.ରାଜେନ୍ଦ୍ର ପ୍ରସାଦଙ୍କୁ ସର୍ବୋଚ୍ଚ ପଦ ପାଇଁ ମନୋନୀତ କରାଯାଇଥିଲା ।
୮ମାସ ପୂର୍ବରୁ ଚାଲିଥିଲା ପୂର୍ବାନୁମାନ
କିଏ ହେବ ଭାରତର ପ୍ରଥମ ରାଷ୍ଟ୍ରପତି ? ଏ ନେଇ ଗଣମାଧ୍ୟମରେ ୧୯୪୯ରୁ ଅଟକଳ ଆରମ୍ଭ ହୋଇ ଯାଇଥିଲା । ସି.ରାଜଗୋପାଳଚାରୀ ଏବଂ ଡା.ରାଜେନ୍ଦ୍ର ପ୍ରସାଦ ଦୁଇଜଣଙ୍କ ନାମ ଏହି ପଦ ପାଇଁ ଶୁଣିବାକୁ ମିଳୁଥିଲା । ରାଜଗୋପାଳଚାରୀ ଗଭର୍ଣ୍ଣର ଜେନେରାଲ ଥିଲେ ଏବଂ ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାର ଅଧ୍ୟକ୍ଷ ଥିଲେ । ହେଲେ ଡା. ରାଜେନ୍ଦ୍ର ପ୍ରସାଦଙ୍କୁ ଏଥିପାଇଁ ମନୋନୀତ କରା ଯାଇଥିଲା । ସମ୍ବିଧାନ ସଭାର କାର୍ଯ୍ୟକାଳ ୧୯୪୯, ସେପ୍ଟେମ୍ବରରେ ପ୍ରାୟତଃ ଶେଷ ହୋଇଯାଇଥିଲା । ୧୯୫୦ ଜାନୁଆରୀ ୨୪ ତାରିଖରେ ସେ ସମ୍ବିଧାନ ସଭାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।
ଭାଇସରାୟ ହାଉସରେ ରହିବାକୁ ଚାହୁଁନ ଥିଲେ ପ୍ରଥମ ରାଷ୍ଟ୍ରପତି
ସେତେବେଳେ ରାଷ୍ଟ୍ରପତି ଭବନ ନ ଥିଲା, ଥିଲା ଭାଇସରାୟ ହାଉସ । ଏହି ଭବନରେ ରହୁଥିଲେ ଇଂରେଜ ଶାସକ ଭାଇସରାୟ । ଡା.ରାଜେନ୍ଦ୍ର ପ୍ରସାଦ କୌଣସି ପରିସ୍ଥିତିରେ ଚାହୁଁନଥିଲେ ଭାଇସରାୟ ରହୁଥିବା ଏହି ଘରେ ରହିବେ ବୋଲି । ଭାଇସରାୟଙ୍କ ପରେ ପ୍ରଥମ ଗଭର୍ଣ୍ଣର ଜେନେରାଲ ରାଜଗୋପାଳଚାରୀ ଏହି ଘରେ ରହୁଥିଲେ । ଦେଶ ସ୍ୱାଧୀନ ହେବା ପରେ ରାଜେନ୍ଦ୍ର ପ୍ରସାଦ ଚାହୁଁଥିଲେ ଏହି ଭବନର ନାଁ ପରିବର୍ତ୍ତନ କରି ରାଷ୍ଟ୍ରପତି ଭବନ କରିବା ପାଇଁ । ତେଣୁ ସେ ଯେତେବେଳେ ଏହି ଘରକୁ ସିଫ୍ଟ ହେଲେ ପ୍ରଥମ କାମ ଭାବରେ ଏହାର ନାମ ପରିବର୍ତ୍ତନ କରିଥିଲେ ।
ତାଙ୍କ ପାଇଁ ଏହା ଥିଲା ବିଳାସର ମହଲ
୩୩୦ ଏକରର ବିଶାଳ ଜାଗାରେ ଛିଡା ହୋଇଥିଲା ରାଷ୍ଟ୍ରପତି ଭବନ । ଚାରି ମହଲା ବିଶିଷ୍ଟ ବିଶାଳକାୟ ପ୍ରାସାଦ । ରାଜେନ୍ଦ୍ର ପ୍ରସାଦ ସାରା ଜୀବନ ଏହି ଭବନ ଏବଂ ପରିସରକୁ ବିଳାସମୟ ଜାଗା ବୋଲି ଭାବୁଥିଲେ । ବିନମ୍ରତା, ସରଳତା ତଥା ଭାରତର ସ୍ୱାଧୀନତା ସଂଗ୍ରାମରେ ଉଦବୃଦ୍ଧ ରାଜେନ୍ଦ୍ର ପ୍ରସାଦ ଏହି ଭାଇସରାୟ ଭବନକୁ ଇଂରେଜ ଶାସନର ପ୍ରତୀକାତ୍ମକ ସଙ୍କେତ ବୋଲି ଭାବୁଥିଲେ । ଆଉ ସେଥିପାଇଁ ଏଠାରେ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ସେ ରାଷ୍ଟ୍ରପତି ଭବନ ପରି ଆଲିଶାନ ମହଲରେ ରହିବା ପରିବର୍ତ୍ତେ ଏକ ସାଧାରଣ ଘରେ ରହିବା ପାଇଁ ଚାହୁଁଥିଲେ । ଏହା ପଛରେ ବି ତାଙ୍କର ମହତ ଉଦ୍ଦେଶ୍ୟ ଥିଲା ।
ରାଜେନ୍ଦ୍ର ପ୍ରସାଦ ଗାନ୍ଧୀ ବିଚାରଧାରେ ବିଶେଷ ପ୍ରଭାବିତ ଥିଲା । ଗାନ୍ଧୀ କହୁଥିଲେ, ଜଣେ ନେତାଙ୍କୁ ଜନତାଙ୍କ ମଧ୍ୟରେ ରହି ସମସ୍ୟାକୁ ବୁଝିବା ଦରକାର । ଡ.ରାଜେନ୍ଦ୍ର ପ୍ରସାଦ ମଧ୍ୟ ଠିକ ସେଇଆ ହିଁ ଭାବୁଥିଲେ । ସେ ଭାବୁଥିଲେ, ରାଷ୍ଟ୍ରପତି ଭବନରେ ରହି ସେ ଜନତାଙ୍କଠାରୁ ଦୂରେଇ ଯିବେ । ତା ଛଡା, ରାଷ୍ଟ୍ରପତି ଭାବନରେ ରହିବା ବେଶ ଖର୍ଚ୍ଚ ବହୁଳ ହେବ । ତେଣୁ ଯେଉଁ ଭିତ୍ତିଭୂମି, ଯେଉଁ ଖର୍ଚ୍ଚ ଏଠି କରାଯାଉଛି ତାହା ଅନ୍ୟ କେଉଁଠି କରାଯାଉ ବୋଲି ସେ ଚାହୁଁଥିଲେ ।
ମନେଇଥିଲେ ନେହରୁ, ପଟେଲ
ବିଭିନ୍ନ କାରଣରୁ ରାଜେନ୍ଦ୍ର ପ୍ରସାଦ ନିଷ୍ପତ୍ତି ନେଇଥିଲେ, ଏହି ଭାଇସରାୟ ଭବନରେ ରହିବେ ନାହିଁ । ତେଣୁ ତାଙ୍କୁ ଏକ ଛୋଟ ଆବାସ ଦେବାକୁ ନେହରୁଙ୍କୁ ଅନୁରୋଧ କରିଥିଲେ । ରାଜେନ୍ଦ୍ର ପ୍ରସାଦଙ୍କର ଏପରି କଥା ଶୁଣି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ରାଷ୍ଟ୍ରପତି ଭବନରେ ରହିବା ପାଇଁ ବୁଝାଇଥିଲେ । ସେମାନେ ଦର୍ଶାଇଥିଲେ ଯେ, ଦେଶର ଶୀର୍ଷ ପଦରେ ବସିଥିବା ବ୍ୟକ୍ତିଙ୍କ ପାଇଁ ଏହି ଭବନ ଉଦ୍ଦିଷ୍ଟ ଅଟେ । ଏହାର ସ୍ୱତନ୍ତ୍ର ଆନୁଷ୍ଠାନିକ ମହତ୍ୱ ରହିଛି । ସୁରକ୍ଷାଠାରୁ ଆରମ୍ଭ କରି ଅନେକ ଦୃଷ୍ଟିକୋଣରୁ ଭାଇସରାୟ ଭବନ ଦେଶର ରାଷ୍ଟ୍ରପତି ଆବାସ ପାଇଁ ସବୁଠାରୁ ଉପଯୁକ୍ତ ଅଟେ । ଏହାପରେ ରାଜେନ୍ଦ୍ର ପ୍ରସାଦ ଏହି ଆବାସରେ ରହିବା ପାଇଁ ରାଜି ହୋଇଥିଲେ । ଶେଷରେ ୧୯୫୦ ଜାନୁଆରୀ ୨୬ ତାରିଖ ଦିନ ଏହି ଆବାସକୁ ଆସିଥିଲେ ।
୧୦ କୋଠରୀକୁ ଛାଡି ବାକି ସବୁ ବନ୍ଦ କରି ଦେଇଥିଲେ
ରାଷ୍ଟ୍ରପତି ଭବନକୁ ଯିବା ପରେ ପରେ ସେ ଅଧିକରୁ ଅଧିକ କୋଠରୀ ବନ୍ଦ କରି ଦେଇଥିଲେ । କେବଳ ଦୁଇଟି କୋଠରୀ ନିଜ ବ୍ୟବହାର ପାଇଁ ରଖିଥିଲେ । ଅନ୍ୟ ୮ଟି କୋଠରୀ ଅତିଥିମାନଙ୍କ ପାଇଁ ରଖାଯାଇଥିଲା । ସେ ଚାହୁଁଥିଲେ ଏହି ଭବନରୁ ଇଂରେଜ ଆଦବକାଇଦା ଯେପରି ନ ରୁହେ ।
ରୋଷେଇ ଘରର ଶୁଦ୍ଧିକରଣ କରିଥିଲେ
ରାଜେନ୍ଦ୍ର ପ୍ରସାଦ ସମ୍ପୂର୍ଣ୍ଣ ଶାକାହାରୀ ଥିଲେ । ପୂର୍ବରୁ ଏହି ଭବନର ରୋଷେଇ ଘରେ ନିୟମିତ ଆମିଷ ଖାଦ୍ୟ ପ୍ରସ୍ତୁତ ହେଉଥିଲା । ହେଲେ ସେ ଏହା ଉପରେ ପ୍ରତିବନ୍ଧକ ଳଗାଇଥିଲେ । ତାଙ୍କ ପାଇଁ ପୂରା କିଚେନକୁ ଭଲ ଭାବେ ଧୁଆ ଯାଇଥିଲା, ଶୁଦ୍ଧିକରଣ କରାଯାଇଥିଲା । ତା ପରେ ଶାକାହାରୀ ଖାଦ୍ୟ ରନ୍ଧା ଯାଇଥିଳା । ଏପରିକି ସେ ଡାଇନିଂ ଟେବୁଲ ଉପରେ ବି ଖାଉ ନ ଥିଲେ ।
ଯେତେବେଳେ ରାଜଗୋପାଳଚାରୀ ପ୍ରଥମ ଗଭର୍ଣ୍ଣର ଜେନେରାଲ ହୋଇଥିଲେ ସେତେବେଳେ ସେ ମଧ୍ୟ ଏଠାରେ ରହିବାକୁ ଚାହୁଁ ନ ଥିଲେ । ସେ ମଧ୍ୟ କହୁଥିଲେ, ଏତେ ବଡ ନିବାସରେ ସର୍ବୋଚ୍ଚ ବ୍ୟକ୍ତି ରହିବାର କିଛି କାରଣ ନାହିଁ । ଏପରି ପୂର୍ବରୁ ଏହି ଭବନରେ ପ୍ରାୟ ୨ହଜାର କର୍ମଚାରୀ ନିଯୁକ୍ତି, ବେହିସାବ ଖର୍ଚ୍ଚକୁ ନେଇ ଆପତ୍ତି ଉଠାଇଥିଲେ । ଏମିତି ବ୍ୟବସ୍ଥା ଓ ଖର୍ଚ୍ଚ ଇଂରେଜ ଭାଇସରାୟଙ୍କ ସମୟରୁ ଚଳି ଆସୁଥିଲା । ସେ ରାଷ୍ଟ୍ରପତି ଭବନର ମୁଗଲ ଗାର୍ଡେନରେ ଗହମ ଏବଂ ଆଳୁ ଚାଷ କରିବାକୁ ଚାହୁଁଥିଲେ ।
ସେହିପରି ନୀଲମ ସଞ୍ଜିବ ରେଡ୍ଡି ଯେତେବେଳେ ରାଷ୍ଟ୍ରପତି ହେଲେ ସେ ମଧ୍ୟ ଏହି ରାଜକୀୟ ପରିପାଟିର ଘୋର ବିରୋଧୀ ଥିଲେ । ସେ ମଧ୍ୟ ଏଠାରେ ରହିବା ପାଇଁ ଚାହୁଁ ନ ଥିଲେ । ସେ କହୁଥିଲେ, ଭାରତ ପରି ଗରିବ ଦେଶର ରାଷ୍ଟ୍ରପତି ଏମିତି ରାଜକୀୟ ଐଶ୍ୱର୍ଯ୍ୟ ଭିତରେ ରହିବା ଠିକ ନୁହେଁ । ସେ ଚାହୁଁଥିଲେ ଏହି ଭବନର ଅନ୍ୟ କୌଣସି କାମରେ ଉପଯୋଗ ହେଉ । ସେ ମଧ୍ୟ ନିଜ ପାଇଁ ଏକ ସାଧାରଣ ଘର ଚାହୁଁଥିଲେ । ହେଲେ ରାଷ୍ଟ୍ରପତି ପଦର ଗରିମାକୁ ଦୃଷ୍ଟିରେ ରଖି ସେ ଏହି ଭବନରେ ରହିଥିଲେ ।