• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପାଣ୍ଠି ଚିନ୍ତା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଏକ ନୂଆ ଅଭିଯାନ ଲଞ୍ଚ କରିଛି ‘ଡୋନେଟ୍‌ ଫର୍‌ ଦେଶ’ ଅର୍ଥାତ କ୍ରାଉଡ଼ ଫଣ୍ଡିଂ କ୍ୟାମ୍ପେନ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗଗେ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଓଡିଶାରେ ପାଣ୍ଠି ସହ ସମର୍ଥନ ପାଇଁ ଅପିଲ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏହି କ୍ୟାମ୍ପେନରେ ପ୍ରତ୍ୟେକ ବୁଥରେ ୧୦ଟି ପରିବାରକୁ ଚି଼ହ୍ନଟ କରାଯିବା । ସେହି ପରିବାର ଠାରୁ ଟଙ୍କା ଆଣିବେ କଂଗ୍ରେସ ନେତା ।

ଦେଶର ପ୍ରମୁଖ ବିରୋଧି ଦଳର ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୮ ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୮ ଡିସେମ୍ବରକୁ କଂଗ୍ରେସର ୧୩୮ ତମ ପ୍ରତିଷ୍ଠା ଦିବସ ରହିଛି । ୧୮ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଠାରୁ ସର୍ବନିମ୍ନ ୧୩୮ ଟଙ୍କା ସଂଗ୍ରହ ହେବ । ସେହିପରି ପାଣ୍ଠି ଆକାରରେ ୧୩୮୦ ଓ ୧୩ ହଜାର ୮୦୦ ଟଙ୍କା କିମ୍ବା ଏହାର ୧୦ ଗୁଣ ଟଙ୍କା ସଂଗ୍ରହ କରିବାକୁ କଗ୍ରେସ ଲକ୍ଷ୍ୟ ରଖିଛି । ୧୯୨୦ -୨୧ ମସିହାରେ ମହାତ୍ମାଗାନ୍ଧୀଙ୍କ ତିଲକ୍ ସ୍ୱରାଜ ଫଣ୍ଡରୁ ପ୍ରେରଣା ପାଇ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିଛି ।

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ଟଙ୍କା ନେଇ କଂଗ୍ରେସ ବ୍ୟାକ ଫୁଟ୍‌ରେ ଥିବାରୁ ଛବି ସୁଧାରିବାକୁ ଏହି ପ୍ରୟାସ କି ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି ଏହା କଳା ଟଙ୍କା ବୋଲି ପ୍ରମାଣିତ ହୋଇନି । କଂଗ୍ରେସର ଏହି ଅଭିଯାନକୁ ନେଇ ବିରୋଧି ଟାର୍ଗେଟ କରିଛନ୍ତି । ବିଜେପି କହିଛି, ଜନସାଧାରଣଙ୍କ ଟଙ୍କାକୁ ଲୁଟିବା ଏବଂ ଗାନ୍ଧି ପରିବାରକୁ ସମୃଦ୍ଧ କରିବା କଂଗ୍ରେସର ନୂଆ ପ୍ରୟାସ ।

ଆସନ୍ତା ୨୦ ତାରିଖରେ ଦିଲ୍ଲୀ ଯିବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା । ଏ ନେଇ ଦିଲ୍ଲୀରୁ ଡାକରା ଆସିଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି, ସବୁ ବିଧାୟକ,ବରିଷ୍ଠ ନେତା ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବେ । ୨୦୨୪ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବସିବ ଓଡିଶା ନେତାଙ୍କ ବୈଠକ । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କେମିତି କଂଗ୍ରେସ ଲଢିବ ସେ ନେଇ ଦିଲ୍ଲୀର ରଣନୀତି ପ୍ରସ୍ତୁତ ହେବ ।