ୱାକଫ ବୋର୍ଡ ସଂଶୋଧନ ବିଲ ବିଧାନସଭାରେ ପାରିତ ହୋଇଯାଇଛି । ବିଳମ୍ବିତ ରାତି ପ୍ରାୟ ୧.୫୬ରେ ଲୋକସଭା ଅଧ୍ୟକ୍ଷ ଓମ ବିରଲା ୱାକଫ ବିଲ ପାରିତ ହୋଇଥିବା ନେଇ ଘୋଷଣା କରିଥିଲେ । ବିଜେପି ସହଯୋଗୀ ଦଳ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ଅନ୍ୟପକ୍ଷେ ଅସଦୁଦ୍ଦୀନ ଓବେସୀ କହିଛନ୍ତି, ବିଲ ସଂଶୋଧନ କରି ମୁସଲିମ ସଂପ୍ରଦାୟ ପ୍ରତି ସରକାର ଅନ୍ୟାୟ କରିଛନ୍ତି । ଏହା ଦ୍ୱାରା ଅନୁଚ୍ଛେଦ ୨୫,୨୬ର ଉଲ୍ଲଘଂନ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।
କାହିଁକି ୱାକଫ ବୋର୍ଡ ସଂଶୋଧନ ପାଇଁ ସରକାର ବିଲ ଆଣିଥିଲେ ? କ’ଣ ଥିଲା ଏଥିରେ ତ୍ରୁଟି ?
ଭାରତରେ ଏକ ଧାରଣା ରହିଛି ୱାକଫ ବୋର୍ଡ ଯେଉଁ ଜମିକୁ ଚାହିଁବ ନିଜ କବଜାକୁ ନେଇ ନିଜ ସମ୍ପତ୍ତି ବୋଲି କହି ପାରିବ । ଏପରି ଧାରଣାରେ କେତେ ସତ୍ୟତା ରହିଛି ? କ’ଣ ରହିଛି ଏହି ଧାରଣା ପଛର କାରଣ ? ଏମିତି କରିବା ପଛରେ ସତରେ କ’ଣ ୱାକଫ ବୋର୍ଡର କିଛି ଆଇନ ରହିଛି ?
Also Read
ୱାକଫ ବୋର୍ଡ ଅଣ-ମୁସଲିମ ସମ୍ପତ୍ତି କିମ୍ବା ଅନ୍ୟ ଲୋକଙ୍କ ସମ୍ପତ୍ତି ଉପରେ ଅବୈଧ ଅଧିକାର ସାବ୍ୟସ୍ତ କରିଥାଏ ବୋଲି ଅଧିକାଂଶ ସମୟରେ ଅଭିଯୋଗ ଆସିଥାଏ । କେତେକ କ୍ଷେତ୍ରରେ ୱକଫ ବୋର୍ଡ ବହୁ ପୁରୁଣା ଦାନପତ୍ର ବା Waqf Deeds ଆଧାରରେ ଜମିକୁ ନିଜର ବୋଲି ଦାବି କରିଥାଏ । ଏହି ନୀତିରେ ଆନ୍ଧ୍ର ପ୍ରଦେଶର କେତେକ ହିନ୍ଦୁ ମନ୍ଦିରର ସମ୍ପତ୍ତି ମଧ୍ୟ ୱାକଫ ନିଜ ରେଜିଷ୍ଟ୍ରରରେ ସାମିଲ କରି ଦେଇଛି । ପରେ ଏହାକୁ ନେଇ କୋର୍ଟରେ ମାମଲା ଦାଏର କରାଯାଇଛି ।
୧୯୬୪ ଏବଂ ୧୯୯୫ର ୱାକଫ ବୋର୍ଡ ସର୍ଭେରେ ଅନେକ ଅଣ ୱାକଫ ଜମିକୁ ଭୁଲରେ ୱକଫ ସମ୍ପତ୍ତି ବୋଲି ଘୋଷଣା କରାଯାଇଥିଲା । ଏଥିମଧ୍ୟରେ ଥିଲା ଦିଲ୍ଲୀର ହୌଜ ଖସ ଇଲାକାରେ ଥିବା ଏକ ହିନ୍ଦୁ ମନ୍ଦିରର ସମ୍ପତ୍ତି । ପରେ ଏହାକୁ ହାଇକୋର୍ଟ ରଦ୍ଦ କରି ଦେଇଥିଲେ । ଅନେକ ମାମଲାରେ ଅଦାଲତ ୱାକଫ ବୋର୍ଡ ଦାବିକୁ ଖାରଜ କରି ଦେଇଛନ୍ତି । କାଶୀ ବିଶ୍ୱନାଥ-ଜ୍ଞାପବ୍ୟାପୀ ମାମଲାରେ ପୁରା ପରିସର ୱାକଫର ବୋଲି ଦାବି କରିଛି ବୋର୍ଡ । ହେଲେ କୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି ।
ଅନେକ ରାଜ୍ୟରେ ଅଧିକରୁ ଅଧିକ ଜମି ୱାକଫ ଅଧିନକୁ ଆଣିବା ପାଇଁ ଉପରୁ ଚାପ ପଡିଥାଏ । ଯାହାଫଳରେ ଉକ୍ତ ଜମି ଉପରେ ୱାକଫର ନିୟନ୍ତ୍ରଣ ରହିବ ।
କ’ଣ କହେ ଆଇନ ?
ୱାକଫ ଆକ୍ଟ ୧୯୯୫ର ଧାରା ୪ ଅନୁସାରେ, ବୋର୍ଡର ଅଧିକାର ରହିଛି , ଯଦି ଐତିହାସିକ ପ୍ରମାଣପତ୍ର ଥିବ ତେବେ ଯେ କୌଣସି ସମ୍ପତ୍ତିକୁ ୱାକଫ ତା’ର ବୋଲି ଘୋଷଣା କରିପାରିବ । ଯଦି କେହି ବ୍ୟକ୍ତି ବା ସଂସ୍ଥା ବୋର୍ଡର ଏହି ଦାବିକୁ ବିରୋଧ କରେ ତେବେ ୱାକଫ ଟ୍ରିବ୍ୟୁନାଲ ବା କୋର୍ଟ ନିଷ୍ପତ୍ତି ନେଇଥାଏ ।
ଅନ୍ୟପକ୍ଷେ ୱାକଫ ବୋର୍ଡ କହେ, ସେ ଏପରି ଜମି ଉପରେ ନିଜର ଅଧିକାର ଜାହିର କରିଥାନ୍ତି ଯାହା ଆଇନତଃ ୱକଫ ଦାନପତ୍ର କିମ୍ବା ଐତିହାସିକ ରେକର୍ଡରେ ଥାଏ । ତେବେ ସମାଲୋଚକମାନେ ଦାବି କରନ୍ତି, ୱାକଫ ବୋର୍ଡ ଅନେକ ସମୟରେ ଜମିର ପୁରୁଣା ରେଜେଷ୍ଟ୍ରିର ଫାଇଦା ଉଠାଇ ଏହାକୁ ନିଜର ବୋଲି ଦାବି କରିଥାଏ । ହେଲେ ପ୍ରକୃତରେ ଏହାର ମାଲିକାନା ଅନ୍ୟପାଖରେ ଥାଏ । ଏଥିସହିତ ଆହୁରି ଅନେକ ଅଭିଯୋଗ ୱାକଫ ବୋର୍ଟ ବିରୋଧରେ ଆସେ । ଯେମିତି, ଭ୍ରଷ୍ଟାଚାର, ବେଆଇନ ଭାବେ ଜମି ଉପରେ କବ୍ଜା କରିବା, ରାଜନୈତିକ ହସ୍ତକ୍ଷେପ, ପ୍ରଶାସନିକ ଅବହେଳା ଆଦି ।
ୱାକଫ ବୋର୍ଡର ସମ୍ପତ୍ତି କେତେ ?
ଭାରତରେ ୱାକଫ ବୋର୍ଡ ତୃତୀୟ ବୃହତ ଭୂସମ୍ପତ୍ତିର ମାଲିକ ବୋଲି କୁହାଯାଏ । ୨୦୨୨ ଡିସେମ୍ବର ସୁଦ୍ଧା ବୋର୍ଡର ସମ୍ପତ୍ତି ପାଖାପାଖି ୮.୭୨ ଲକ୍ଷ ଥିଲା ବୋଲି ଜଣାଯାଇଛି । ବିଭିନ୍ନ ରିପୋର୍ଟ ଅନୁସାରେ ୱାକଫ ପାଖରେ ପ୍ରାୟ୯.୪ ଲକ୍ଷ ଏକର ଜମି ଥିବାର ଅନୁମାନ କରାଯାଏ । ଏହି ସମ୍ପତ୍ତି ମଧ୍ୟରେ ରହିଛି ମସଜିଦ, ମଦ୍ରାସା, କବ୍ରସ୍ଥାନ, ଅନ୍ୟ ଧାର୍ମିକ ଏବଂ ସାମୁଦାୟିକ ବ୍ୟବହାର ଯୋଗ୍ୟ ଜମି । ଭାରତରେ ମୁଖ୍ୟତଃ ୱାକଫକୁ ଦାନ କରିଥାନ୍ତି ମୁସଲିମ ଶାସକ, ସୁଫି ସନ୍ଥ, ଧନୀ ବ୍ୟବସାୟୀ, ଅନ୍ୟ ଧାର୍ମିକ ନେତା । ୱାକଫ ବୋର୍ଡ ମୁଖ୍ୟତଃ ଧର୍ମ କାମ ଉଦ୍ଦେଶ୍ୟରେ ସମର୍ପିତ ସମ୍ପତ୍ତିର ଦେଖାଶୁଣା କରେ । ଥରେ ୱାକଫ ଅଧୀନକୁ ସମ୍ପତ୍ତି ଆସିଯିବା ପରେ ଏହା ଦାନ କରିଥିବା ବ୍ୟକ୍ତିଙ୍କ ନାମରୁ ସିଧାସଳଖ ଆଲ୍ଲାଙ୍କ ନାମକୁ ଚାଲିଯାଇଥାଏ । ଏଥିରେ ଆଉ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ପାରେ ନାହିଁ ।
କେଉଁଠୁ ଆସିଲା ଏହି ଶବ୍ଦ ?
ୱାକଫ ଶବ୍ଦର ଉତ୍ପତି ଅରବ ଶବ୍ଦ ବକୁଫାରୁ ଆସିଛି ଯାହାର ଅର୍ଥ ହେଉଛି ଖୁଦାଙ୍କ ନାମରେ ସମର୍ପିତ ବସ୍ତୁ ବା ଲୋକଙ୍କ ଉପକାର ପାଇଁ ଦିଆଯାଇଥିବା ଧନ । ଭାରତରେ ୱାକଫ ପରିଚାଳନା ସ୍ୱାୟତ୍ତ ଥିବାବେଳେ ପାକିସ୍ତାନ, ବାଂଲାଦେଶରେ ଏହା ସରକାରୀ ନିୟନ୍ତ୍ରଣରେ ରହିଛି । ଭାରତରେ ୱାକଫ ଆଇନ ଅଳ୍ପସଂଖ୍ୟକ ଅଧିକାର ସହ ଜଡିତ ଥିବାବେଳେ ପାକିସ୍ତାନ ଏବଂ ବାଂଲାଦେଶରେ ଇସଲାମିକ ପ୍ରଶାସନର ଏହା ଏକ ଅଂଶ ।
ୱାକଫ ବୋର୍ଡକୁ କିଏ ଦେଇଛନ୍ତି କେତେ ଦାନ ?
ୱାକଫ କୁ ଦାନ ଦେବାରେ ସବୁଠାରୁ ଆଗରେ ଅଛନ୍ତି ହାଇଦ୍ରାବାଦର ନିଜାମ । ହାଇଦ୍ରାବାଦରେ ୧୦ ଜଣ ନିଜାମ ଥିଲେ । ପ୍ରଥମ ଥିଲେ ମୀର କମରୁଦ୍ଦିନ ଖାନ (୧୭୨୪-୧୭୪୮) ଏବଂ ଶେଷ ଥିଲେ ଉସମାନ ଅଲି ଖାନ । ବିଶେଷକରି ନିଜାମ ଉଲ୍ ମୁଲ୍କ ଆସଫ୍ ଜାହ ସପ୍ତମ ଡେକାନ୍ ଅଞ୍ଚଳରେ ୱାକଫ୍ ପାଇଁ ହଜାର ହଜାର ଏକର ଜମି ଦାନ କରିଥିଲେ । ଯଦିଓ ନିଜାମ ୱାକଫକୁ କେତେ ଜମି ଦେଇଛନ୍ତି ତାର ପୂରା ତଥ୍ୟ ନାହିଁ, ତେବେ ନିଜାମ ଦାନ ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ବୋଲି କୁହାଯାଏ । ଗୋଲକୁଣ୍ଡା ଏବଂ ବିଜାପୁର ସୁଲତାନମାନେ ମଦ୍ରାସା ଏବଂ ଧାର୍ମିକ ସଂସ୍ଥାନକୁ ହୃଦୟ ଖୋଲି ଦାନ ଦେଇଥିଲେ ।
ମୋଗଲ ଶାସକ ଓ ତାଙ୍କ ପରିବାର
ମୋଗଲ ବାଦଶାହ ଅକବର ୱାକଫ ବୋର୍ଡକୁ ଅନେକ ଜମି ଦେଇଛନ୍ତି । ଏଥିମଧ୍ୟରୁ ଅଧିକ ଜମି ଧାର୍ମିକ ସ୍ଥଳ ପାଇଁ ଦେଇଛନ୍ତି । ଅକବରଙ୍କ ପରେ ଶାହାଜାନ, ଆଉରଙ୍ଗଜେବ ମଧ୍ୟ ଦିଲ୍ଲୀ, ଆଗ୍ରା, ହାଇଦ୍ରାବାଦରେ ମସଜିଦ ଏବଂ ଦରଗାହ ପାଇଁ ବିପୁଳ ସମ୍ପତ୍ତି ଦାନ କରି ଯାଇଛନ୍ତି । ଏପରିକି ବେଗମ ଏବଂ ରାଜକୁମାରୀମାନେ ମଧ୍ୟ ଅନେକ ସମ୍ପତ୍ତି ୱାକଫ କୁ ଦାନ କରି ଯାଇଛନ୍ତି ।
ସୁଫି ସନ୍ଥ ଓ ମୁସଲିମ ବ୍ୟବସାୟୀ
ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଔଲିଆ ଏବଂ ଆଜମେରର ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ପରି ସୁଫି ସନ୍ଥମାନେ ଦରଗାହ ପାଇଁ ବିଶାଳ ସମ୍ପତ୍ତି ଦାନ କରି ଯାଇଛନ୍ତି । ଅନ୍ୟପକ୍ଷେ ଅହମ୍ମଦାବାଦର ସର ସୈୟଦ ମୁହମ୍ମଦ ଏବଂ ଓକିଲ ପରିବାର ପରି ଉଦ୍ୟୋଗପତି ଶିକ୍ଷା ଏବଂ ଧର୍ମାନୁଷ୍ଠାନ ପାଇଁ ୱାକଫକୁ ସମ୍ପତ୍ତି ଦାନ କରି ଯାଇଛନ୍ତି । ଉତ୍ତର ପ୍ରଦେଶ ଓ ବିହାରର ଧନୀ ମୁସଲିମ ଜମିଦାର ଗ୍ରାମୀଣ ଇଲାକାର ଜମି ୱାକଫ ବୋର୍ଡକୁ ଦାନ କରି ଯାଇଛନ୍ତି ।
ନୂଆ ପିଢି କଥା କହିଲେ, ପୂର୍ବତନ ଉପରାଷ୍ଟ୍ରପତି ଅବଦୁଲ ହମିଦ ଅନସାରୀ ଏବଂ ବିଶିଷ୍ଟ ଶିଳ୍ପପତି ୱିପ୍ରୋର ମାଲିକ ଅଜୀମ ପ୍ରେମଜୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ୱାକଫକୁ ବିପୁଳ ସମ୍ପତ୍ତି ଦାନ କରି ଯାଇଛନ୍ତି ।
ୱାକଫ ବୋର୍ଡ ନାଁରେ ସବୁଠାରୁ ଅଧିକ ସମ୍ପତ୍ତି ଥିବା ସହର
କେବଳ ହାଇଦ୍ରାବାଦ ୱାକଫ ବୋର୍ଡ ପାଖରେ ୭୭,୦୦୦ ପ୍ରପର୍ଟି ରହିଛି । ଏଥିପାଇଁ ଏହି ସହରକୁ ଭାରତୀୟ ୱାକଫର ରାଜଧାନୀ ବୋଲି କୁହାଯାଏ । ୱାକଫ ନାମରେ ସାରା ଦେଶରେ ଯେତିକି ସମ୍ପତ୍ତି ରହିଛି ତାହାର ୩୦% ସମ୍ପତ୍ତି ଏକା ହାଇଦ୍ରାବାଦରେ ରହିଛି ।
ହ୍ରାଇଦ୍ରାବାଦରେ ମକ୍କା ମସଜିଦ (୪୦୦ ବର୍ଷ ପୁରୁଣା, ୧୦ ଏକରରୁ ଅଧିକ ଜମି) ସମେତ ଚାରମିନାର ପାଖାପାଖି ବାଣିଜ୍ୟିକ ଦୋକାନ ରହିଛି ଯେଉଁଥିରୁ ବାର୍ଷିକ କୋଟି କୋଟି ଟଙ୍କା ଆୟ ହୋଇଥାଏ । ଏହା ବ୍ୟତୀତ ଡେକାନ ଅଞ୍ଚଳରେ ନିଜାମମାନେ ଦାନ କରିଥିବା ହଜାର ହଜାର ଏକର ଜମି ୱାକଫ ଅଧୀନରେ ରହିଛି ।
ତେଲେଙ୍ଗାନା ୱାକଫ ବୋର୍ଡ ସବୁଠାରୁ ଧନୀ
ଦେଶରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୱାକଫ ପାଖରେ ୧.୨ ଲକ୍ଷ ସମ୍ପତ୍ତି ରହିଛି । ତେଲେଙ୍ଗାନା ୱକଫ ଦେଶର ସବୁଠାରୁ ଧନୀ ୱାକଫ ବୋର୍ଡ । ଆନ୍ଧ୍ରପ୍ରଦେଶରେ ଶାହି ମସଜିଦ (କୁର୍ନୁଲ) ପରି ସମ୍ପତ୍ତି ରହିଛି ଯାହା ୨୦୦ ବର୍ଷର ପୁରୁଣା ଐତିହାସିକ ସମ୍ପତ୍ତି । ସେହିପରି କଡପା, ଅନନ୍ତପୁରରେ ଚାଷଜମି ମଧ୍ୟ ୱକଫ ନାମରେ ରହିଛି ।
-ତେଲେଙ୍ଗାନା ୱାକଫ ବୋର୍ଡର ବାର୍ଷିକ ଆୟ ୫୦୦ କୋଟି (ଭଡା ଏବଂ ଦାନ)
-ଆନ୍ଧ୍ରପ୍ରଦେଶରେ ୮୫ ପ୍ରତିଶତ ୱାକଫ ଜମି ଗ୍ରାମୀଣ ଅଞ୍ଚଳରେ ରହିଛି
ଉତ୍ତରପ୍ରଦେଶ ୱାକଫ ବୋର୍ଡ
ଉତ୍ତରପ୍ରଦେଶ ୱାକଫ ପାଖରେ ୧.୫ ଲକ୍ଷ ସମ୍ପତ୍ତି ରହିଛି । ଲକ୍ଷ୍ନୌର ବଡ ଇମାମବାଡା ଏବଂ ମସଜିଦ ଜମି ୱକଫ ନାମରେ ରହିଛି । ସେହିପରି କାନପୁର, ମେରଠ, ମୁରାରାଦାବଦରେ ଶିଳ୍ପଭିତ୍ତିକ ଜମି ଏବଂ ଧାର୍ମିକ ସ୍ଥଳ ୱାକଫ ବୋର୍ଡ ନାମରେ ରହିଛି ।
କର୍ଣ୍ଣାଟକରେ ରହିଛି କେତେ ସମ୍ପତ୍ତି
-ବେଙ୍ଗାଲୁର, ଗୁଲବର୍ଗା, ବିଦରର ୱାକଫ ବୋର୍ଡ ପାଖରେ ରହିଛି ୩୦ ହଜାରରୁ ଅଧିକ ୱାକଫ ପ୍ରପର୍ଟି
-୨୦୨୩ ରିପୋର୍ଟ ଅନୁସାରେ ବେଙ୍ଗାଲୁରର ୯୦% ୱକଫ ଜମି ଅବୈଧ କବଜା କରିଛି ବୋର୍ଡ
ସେହିପରି କୋଲକାତା, ମୁର୍ଶିଦାବାଦ ଐତିହାସିକ ମସଜିଦ, ହଗୁଳି ନଦୀ ପାଖରେ ବାଣିଜ୍ୟିକ ଭୂମି ୱାକଫ ବୋର୍ଡ ନାମରେ ରହିଛି ।
କହିବାକୁ ଗଲେ ଦେଶରେ ୫ଟି ରାଜ୍ୟର ୱାକଫ ପାଖରେ ସବୁଠାରୁ ଅଧିକ ସମ୍ପତ୍ତି ରହିଛି । ଏହି ରାଜ୍ୟଗୁଡିକ ହେଉଛି, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ।
ରୋଚକ ତଥ୍ୟ
-ତେଲେଙ୍ଗାନା ୱାକଫ ବୋର୍ଡ ଦେଶର ସବୁଠାରୁ ଧନୀ ଅଟେ । ଏହା ପାଖରେ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ସମ୍ପତ୍ତି ରହିଛି ।
-ଉତ୍ତର ପ୍ରଦେଶରେ ୱାକଫ ଜମିର ୪୦% କୃଷିଭିତ୍ତିକ ଜମି ଅଟେ । ଏଥରୁ ବୋର୍ଡକୁ ଅଧିକ ଆୟ ମିଳିଥାଏ
-କେରଳରେ ୱାକଫ ସମ୍ପତ୍ତିର ପରିଚାଳନାକୁ ସବୁଠାରୁ ସ୍ୱଚ୍ଛ ବୋଲି ବିବେଚନା କରାଯାଏ
-୭୫% ୱାକଫ ସମ୍ପତ୍ତିର ପ୍ରକୃତ ମୂଲ୍ୟ ସରକାରୀ ରେକର୍ଡ ତୁଳନାରେ ବହୁତ ଅଧିକ