• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣିପୁରରେ ହିଂସା ବଢ଼ି ଚାଲିଥିବା ବେଳେ ୮ଟି ଜିଲ୍ଲାରେ କର୍ଫ୍ୟୁ ଘୋଷଣା ହୋଇଛି । ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ପରିସ୍ଥିତିକୁ ଦେଖି ମଣିପୁରରେ ଆସାମ ରାଇଫଲସ ଓ ସେନା ମୁତୟନ କରାଯାଇଛି । ଏଥିସହ ମଣିପୁର ପୋଲିସ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ମଣିପୁରରେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଅଧିକ ଲୋକ ଏକାଠି ହେବା ଉପରେ ଜାରି ହୋଇଛି କଟକଣା । ଅଧିକ ଉତ୍ତେଜନା ପ୍ରବଣ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ବିଶେଷ କରି ଅଧିକ ଆଦିବାସୀ ସମ୍ପ୍ରଦାୟ ରହୁଥିବା ଚୁରାଚାନ୍ଦପୁର, କାଙ୍ଗପୋକପି ଓ ଇମ୍ପାଲ ୱେଷ୍ଟ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ।

ଅଧିକ ପଢ଼ନ୍ତୁ: ମଣିପୁର ହିଂସାକୁ ନେଇ ସରକାର ଶକ୍ତ ! ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ

ଏଥିସହ କାକଚିଙ୍ଗ, ଥୋଉବାଲ, ଜିରିବାମ୍, ବିଷ୍ଣୁପୁର ଜିଲ୍ଲାରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ହିଂସା ବଢୁଥିବାରୁ ସେନା ଓ ଆସାମ ରାଇଫଲସର ଯବାନମାନେ ସହରରେ ପଇଁତରା ମାରିବା ସହ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ ଅଛନ୍ତି । ଘଟଣାସ୍ଥଳରେ ରହି ପ୍ରଭାବିତ ଲୋକମାନଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଛନ୍ତି । ଏପରିକି ଘରଘର ବୁଲି ଲେକାମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୭ ହଜାର ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏଭଳି ସ୍ଥିତିରେ ମଣିପୁରର ଅଲମ୍ପିଆନ୍ ବକ୍ସର ଏମସି ମାରିକମ୍ ଶାନ୍ତିରକ୍ଷା ପାଇଁ ଅପିଲ କରିଛନ୍ତି । ହିଂସାକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି । ହିଂସାରେ ସାଧାରଣ ଲୋକଙ୍କ ଜୀବନ ଯିବା ଅତ୍ୟନ୍ତ ଦୁଃଖଦାୟକ । ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ସେ ଅପିଲ କରିଛନ୍ତି ।...

କାହିଁକି ଜଳୁଛି ମଣିପୁର ?

ହିଂସାର କାରଣ କଣ ? ବହୁଦିନ ଧରି କୁହୁଳୁଥିବା ଅଶାନ୍ତି ପୁଣି କାହିଁକି ଉତ୍ତେଜନାର ରୂପ ନେଇଛି? ମଣିପୁରରେ ଆଦିବାସୀ ଏକତା ମାର୍ଚ୍ଚ ବେଳେ ହିଂସାର ରୂପ ନେଇଥିଲା ପ୍ରତିବାଦ । ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା । ଆଉ ପରେ ଏହାକୁ ନେଇ ହିଂସାକାଣ୍ଡ ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବାକୁ ପୋଲିସ ଲୁହବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା । ..

୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଛନ୍ତି ।

ଅନ୍ୟପକ୍ଷରେ ନାଗା ଓ କୁକି ସମ୍ପ୍ରଦାୟ ଏହାକୁ ବିରୋଧ କରୁଛନ୍ତି । ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ । ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀ ମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଏହି ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦିନରୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି । ...

ସେପଟେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ଜଙ୍ଗଲ ସୁରକ୍ଷା ପାଇଁ କଡା ପଦକ୍ଷେପ ନେଇଛନ୍ତି । ଏଥିପାଇଁ ବେଆଇନ ଭାବେ ରହୁଥିବା ଶରଣାର୍ଥୀ ଓ ଡ୍ରଗ ମାଫିଆ ଏଭଳି ହିଂସାକୁ ଉସୁକାଉଥିବା ଚର୍ଚ୍ଚା ହେଉଛି ।