• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତକୁ ଆସିବ ଡିଜିଟାଲ୍ ଟଙ୍କା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରିବା ବେଳେ ଏକଥା କହିବା ପରେ ସାରା ଦେଶରେ ଏହି ଚର୍ଚ୍ଚା । ଚଳିତ ବର୍ଷଠାରୁ ଆମ ଦେଶ ଭାରତରେ ଲାଗୁ ହେବାକୁ ଯାଉଛି ଏହି ଡିଜିଟାଲ କରେନ୍ସି । ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ଏହି ଡିଜିଟାଲ ଟଙ୍କା ବା କ୍ରିପ୍ଟୋ କରେନ୍ସି ।

ଚଳିତ ବର୍ଷ ଦେଶ‌ରେ ଲାଗୁ ହେବାକୁ ଯାଉଛି କ୍ରିପ୍ଟୋ ଓ ଡିଜିଟାଲ କରେନ୍ସି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରେ ଏହା ପ୍ରଚଳିତ ହେବ । ଆମେମାନେ ସାଧାରଣତଃ କାଗଜରେ ତିଆରି ଟଙ୍କା ବ୍ୟବହାର କରୁଛୁ । ତେବେ ଏହି ଡିଜିଟାଲ ଟଙ୍କାକୁ କିଭଳି ବ୍ୟବହାର କରାଯିବ, ଏନେଇ ଏକ ଗାଇଡଲାଇନ୍ ଜାରି କରିବାକୁ ଯାଉଛି ଆରବିଆଇ । ବିଶ୍ୱ ବଜାରରେ କ୍ରିପ୍ଟୋ କରେନ୍ସିର ଚାହିଦା ବଢ଼ୁଥିବା ଦେଖି ଭାରତ ମଧ୍ୟ ନିଜ ଅର୍ଥନୀତିରେ ଏହାକୁ ଲାଗୁ କରିବାକୁ ଗୋଡ କାଢ଼ିଛି।

କ୍ରିପ୍ଟୋ କରେନ୍ସିରୁ ଲୋକମାନେ ଟଙ୍କା ରୋଜଗାର କରୁଛନ୍ତି । ଯେଉଁଭଳି ଲୋକମାନେ ସେୟାର ମାର୍କେଟରେ ପୁଞ୍ଚି ନିବେଶ କରି ବ୍ୟବସାୟ କରୁଛନ୍ତି ଠିକ୍ ସେହିଭଳି କ୍ରିପ୍ଟୋ କରେନ୍ସିରେ ପୁଞ୍ଜି ନିବେଶ କରି ବିକ୍ରି ବଟା କରି ହେବ ।

ସେୟାର ମାର୍କେଟକୁ ଦେଶରେ ନିୟମିତ କରାଯାଇଥିବା ବେଳେ କ୍ରିପଟୋ କରେନ୍ସିକୁ ଏପର୍ଯ୍ୟନ୍ତ ଭାରତରେ ନିୟମିତ କରାଯାଇନାହିଁ । ଏମିତିରେ ବି ଅନେକ ଆପ୍ ମାଧ୍ୟମରେ କ୍ରିପ୍ଟୋ କରେନ୍ସିରେ ବିକ୍ରି ବଟା‌ କରାଯାଉଛି । ଯଦି ଆପଣ ଗୋଟିଏ ବିଟ୍ କଏନ୍ କିଣନ୍ତି, ତାହେଲେ ତାହା ଆପଣଙ୍କୁ ଲାଭବାନ କରିପାରେ କିମ୍ବା କ୍ଷତି ସହିବାକୁ ବି ପଡ଼ିପାରେ। ଆପଣ କିଣିଥିବା ବିଟ୍ କଏନ୍‌ର ମୂଲ୍ୟ ବେଳେବେଳେ ଅଧିକ ହୋଇଯାଏ ତ ଆଉ କେତେବେଳେ କମ୍ ହୋଇପା‌ରେ।

କାହିଁକି ନା ଯେତେବେଳେ ଟେସଲା କମ୍ପାନୀର ମୁଖ୍ୟ ଇଲନ୍ ମସ୍କ କହିଥିଲେ ଯେ, ତାଙ୍କ କାରଗୁଡ଼ିକୁ ବିଟ୍ କଏନ୍‌ରେ କିଣାଯାଇପାରିବ ନାହିଁ, ସେହି ସମୟରେ କ୍ରିପ୍ଟୋ କରେନ୍ସି ବଜାର କ୍ଷତି ସହିଥିବା ବେଳେ ଜାପାନରେ ଯେତେବେଳେ ଏହାକୁ ବୈଧ କରାଗଲା, ସେତେବେଳେ ଏହାର ଚାହିଦା ବଢ଼ିଥିଲା।

ଏମିତି କି କ୍ରିପ୍ଟୋ କରେନ୍ସି ସାହାଯ୍ୟରେ ଆପଣ କିଛି ବି ଜିନିଷ କିଣିପାରିବେ। କାହିଁକି ନା ଏବେ ଆମାଜନ୍ ଓ ଆପଲ୍ ଭଳି ବଡ଼ବଡ଼ କମ୍ପାନୀ କ୍ରିପ୍ଟୋ କରେନ୍ସିକୁ ଗ୍ରହଣ କରୁଛନ୍ତି। ଏହି ଡିଜିଟାଲ ଟଙ୍କାକୁ ରଖିବା ପାଇଁ ଏକ ଡିଜିଟାଲ ଓ୍ୱାଲେଟ୍ ମଧ୍ୟ ରହିଛି। ଯାହାର ଏକ ସାର୍ବଜନୀନ ଡିଜିଟାଲ କୋଡ୍ ରହିବ। ଅର୍ଥାତ୍ ଯଦି ଆପଣ କୌଣସି ଜିନିଷ କିଣୁଛନ୍ତି, ତାହେଲେ ଆପଣ ଏହି ସାର୍ବଜନୀନ ଡିଜିଟାଲ କୋଡ୍ ଦ୍ୱାରା ଆପଣଙ୍କ ଡିଜିଟାଲ ଆକାଉଣ୍ଟରୁ କମ୍ପାନୀର ଡିଜିଟାଲ କୋଡକୁ ଟଙ୍କା ପଠାଇ ପାରିବେ।

କିନ୍ତୁ ଧ୍ୟାନ ରଖନ୍ତୁ ଯେ, ଏହାଦ୍ୱାରା ଆର୍ଥିକ ହେରଫେର ମଧ୍ୟ ହେଉଛି। ନିକଟରେ ଏକ ବିଦେଶ କମ୍ପାନୀ ଏଭଳି ହେରଫେରର ସମ୍ମୁଖୀନ ହୋଇଛି। ତେଣୁ ଏହି ସମସ୍ୟାକୁ ନଜରରେ ରଖି ଭାରତ କ୍ରିପ୍ଟୋ କରେନ୍ସକୁ ନେଇ କୌଣସି ପଦକ୍ଷେପ ନେଇନାହିଁ। କିନ୍ତୁ କୁହାଯାଉଛି ଆଗାମୀ ଅଧିବେଶନରେ ସଂସଦରେ ଏନେଇ ଆଲୋଚନା କରାଯିବ।

କହିବାକୁ ଗଲେ, ଭାରତରେ ଡିଜିଟାଲ କରେନ୍ସିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରିବ। ଆରବିଆଇ ଯେଉଁ ଡିଜିଟାଲ କରେନ୍ସି ଜାରି କରିବାକୁ ଯାଉଛି ତାର ନାଁ ରହିବ- ସେଂଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି। ଆରବିଆଇ ବାଲାନ୍ସ ସିଟରେ ଏହାର ସଂପୂର୍ଣ୍ଣ ତଥ୍ୟ ମଧ୍ୟ ରହିବ ବୋଲି କୁହାଯାଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now