• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହିଳାମାନେ ମଥାରେ ସିନ୍ଦୁର ନପିନ୍ଧିବା, ସ୍ୱାମୀଙ୍କ ପ୍ରତି ନିଷ୍ଠୁରତାର ଭାବ । ଏକଥା ଆମେ କହୁନାହୁଁ, ବରଂ ମଧ୍ୟପ୍ରଦେଶ ଇନ୍ଦୋର କୋର୍ଟ ଏଭଳି ରାୟ ଶୁଣାଇଛନ୍ତି । ଏକ ମାମଲାର ଶୁଣାଣୀ ବେଳେ କୋର୍ଟ କହିଛନ୍ତି ଯଦି କୌଣସି ବିବାହିତ ମହିଳା ମଥାରେ ସିନ୍ଦୁର ଲଗାଇବା ପାଇଁ ମନା କରୁଛନ୍ତି, ତେବେ ତାହା ସ୍ୱାମୀଙ୍କ ପ୍ରତି ଥିବା ନିଷ୍ଠୁରତାର ପ୍ରମାଣ ।

୨୦୧୭ରେ ଦମ୍ପତ୍ତିଙ୍କ ବିବାହ ହୋଇଥିଲା । ସେମାନେ ଇନ୍ଦୋରର ମୂଳ ବାସିନ୍ଦା । ତାଙ୍କର ୫ ବର୍ଷର ଶିଶୁପୁତ୍ର ବି ରହିଛି । ବିବାହର ୫ ବର୍ଷ ପରେ ସ୍ୱାମୀଙ୍କୁ ଛାଡ଼ି ଦେଇଥିଲେ ପତ୍ନୀ । ଆଉ ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଛି ।

ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ମହିଳା ଜଣକ ସ୍ୱାମୀଙ୍କଠାରୁ ଅଲଗା ହୋଇ ଅନ୍ୟ ଏକ ଘରେ ରହୁଛନ୍ତି । ତେଣୁ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଉ ନ୍ୟାୟ ଭିକ୍ଷା କଲେ । କୋର୍ଟଙ୍କ ସମ୍ମୁଖରେ ନିଜ ବୈବାହିକ ଅଧିକାର ପାଇଁ ଆବେଦନ କଲେ ।

ସିନ୍ଦୁର ପିନ୍ଧିବାକୁ ମନା କଲେ ପତ୍ନୀ

କୋର୍ଟରେ ମାମଲାର ଶୁଣାଣୀ ବେଳେ, ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ପତ୍ନୀଙ୍କ ପାଖରେ କୌଣସି ପ୍ରକାର ଠୋସ୍‌ କାରଣ ନଥିଲା । ଏମିତିକି ମଥାରେ ସିନ୍ଦୁର ନଲଗାଇବା ପଛର କାରଣ କ’ଣ ରହିଛି, ତାହା ମଧ୍ୟ କହିପାରିଲେନି ପତ୍ନୀ । କିନ୍ତୁ ଯେତେବେଳେ ମହିଳା ଜଣଙ୍କ କୋର୍ଟରେ ଅଭିଯୋଗ କଲେ, ସ୍ୱାମୀ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି ବା ଅଧିକ ଯୌତୁକ ମାଗୁଛନ୍ତି । ସେତେବେଳେ କୋର୍ଟ ପାଲଟା ପ୍ରଶ୍ନ କଲେ, ଯଦି ଏଭଳି କିଛି ସ୍ଥିତି ଉପୁଜିଥିଲା ତେବେ ପୋଲିସରେ ଅଭିଯୋଗ କଲେ ନାହିଁ କାହିଁକି ?

ସିନ୍ଦୁର ହେଉଛି ଧାର୍ମିକ କର୍ମ

ଶୁଣାଣି ବେଳେ ଏହା ମଧ୍ୟ ମହିଳା ଜଣକ ସ୍ୱୀକାର କଲେ ଯେ, ସେ ସିନ୍ଦୁର ପିନ୍ଧନ୍ତି ନାହିଁ । ଏହି ସମୟରେ କୋର୍ଟ କହିଲେ, ସିନ୍ଦୁର ହେଉଛି ହିନ୍ଦୁ ବିବାହିତାଙ୍କ ପ୍ରତୀକ । ଏହା ଏକ ଧାର୍ମିକ କର୍ମ । ମହିଳା ବିବାହ କରିଛନ୍ତି ବୋଲି, ଏହା ଏକ ସଙ୍କେତ । ମାର୍ଚ୍ଚ ଏକ ତାରିଖରେ ଇନ୍ଦୋର କୋର୍ଟର ପ୍ରିନ୍ସପାଲ ଜଜ୍ ଏନ୍‌ପି ସିଂହ ନିଜ ଅର୍ଡରରେ ଏହା କହିଛନ୍ତି ।

ମହିଳା ଜଣକ ଭୁଲ କରୁଛନ୍ତି । ଏଭଳି କରିବା ଉଚିତ୍‌ ନୁହେଁ । ସିନ୍ଦୁର ନପିନ୍ଧିବା ସ୍ୱାମୀଙ୍କ ପ୍ରତି ମହିଳାଙ୍କ ଅପମାନ ବୋଲି ମଧ୍ୟ କୁହାଯାଇପାରେ । କୋର୍ଟ ମହିଳାଙ୍କୁ ଭର୍ତ୍ସନା କରିବା ସହ ପୁଣି ସ୍ୱାମୀଙ୍କ ପାଖକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।