• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଇଡି ଜାଲରେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ସରକାରର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ରାଜ୍ୟର ବହୁ ଚର୍ଚ୍ଚିତ ସ୍କୁଲ ସର୍ଭିସ୍ କମିଶନ କିକ୍‌ବ୍ୟାକ୍‌ ମାମଲା ଲିଙ୍କରେ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସମ୍ପର୍କୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଛି ୨୧ କୋଟିର ନଗଦ କ୍ୟାସ୍ । ଇଡି ଗତକାଲି ଏତେ ପିରମାଣର ଟଙ୍କା ଜବତ କରିବା ପରେ ଆଜି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରି ଦୁଇ ଦିନ ପାଇଁ ରିମାଣ୍ଡରେ ନେଇଛି । ପରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ସେପଟେ ଏ ଘଟଣା ପରେ ଟିଏମସି ସରକାରର ଦୁର୍ନୀତିର ମୁଖା ଖୋଲିଥିବା ବିଜେପି କହିଥିବା ବେଳେ ଏହା ବିଜେପିର ରାଜନୈତିକ ଷଢ଼ଯନ୍ତ୍ର ବୋଲି ସନ୍ଦେହ କରିଛି ତ୍ରୁଣମୂଳ କଂଗ୍ରେସ ।

ବନ୍ଦ କୋଠରୀ ଭିତରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଟିମ୍ କୋଟିଏ କି ଦୁଇ କୋଟି ନୁହଁ, ନଗଦ ୨୧ କୋଟି । ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସ୍କୁଲ ସର୍ଭିସ କମିଶନ SSC ଦୁର୍ନୀତି ଲିଙ୍କ୍‌ରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଛି ୨୧ କୋଟି ଟଙ୍କା । ରାଜ୍ୟର ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତିରେ ହୋଇଥବା ଏ ବଡ଼ ଘୋଟାଲା ଲିଙ୍କ୍‌ରେ ଗତକାଲି ଅର୍ପିତାଙ୍କ ଘରେ ହଠାତ୍ ଖାନତଲାସି କରିଥିଲା ଇଡି ।

ଆଉ ସର୍ଚ୍ଚ ଅପରେସନ ବେଳେ ସାମ୍ନାକୁ ଆସିଥିଲା ପୁଳା ପୁଳା ଟଙ୍କା ନଗଦ ରାଶି । ଭିତରେ ଥିଲା କେବଳ ୨ ହଜାର ଓ ୫୦୦ ଟଙ୍କିଆ ନୋଟ୍ । ଗଣତି ପରେ ପରିମାଣ ୨୧ କୋଟି ୨୦ ଲକ୍ଷ ବୋଲି ଜଣାପଡ଼ିଛି । ତା ସହ ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ଫୋନ୍, ୫୪ ଲକ୍ଷର ବିଦେଶୀ ମୁଦ୍ରା, ୭୯ ଲକ୍ଷ ଟଙ୍କାର ସୁନା ଗହଣା ବି ଜବତ ହୋଇଛି । ଏତେ ଟଙ୍କା ଗଣିବାକୁ ଇଡି ଅଧିକାରୀମାନେ ବ୍ୟାଙ୍କ୍ ଅଧିକାରୀ ଓ ମେସିନର ସହାୟତା ନେଇଥିଲେ । ଟଙ୍କା ଆଣିବାକୁ ଆଜି ବାକ୍ସ ସହ ରିଜର୍ଭ ବ୍ୟାଙ୍କର ଏକ ସ୍ୱତନ୍ତ୍ର ଟ୍ରକ୍ ଅର୍ପିତାଙ୍କ ଘରକୁ ଯାଇଥିଲା । ଏଣେ ଅର୍ପିତାଙ୍କ ଓକିଲ ଟିମ୍ ଘର ଭିତରକୁ ଯିବାକୁ ଚାହିଁଥିଲେ ବି ସେମାନଙ୍କୁ ପ୍ରବେଶ ଅନୁମତି ଦେଇନଥିଲା ଇଡି ।

 

ଅର୍ପିତାଙ୍କ ଘରୁ ଏତେ ଟଙ୍କା ଜବତ ପରେ ଏହା SSC ଦୁର୍ନୀତି ଲିଙ୍କ୍‌ରେ ସଂଗ୍ରହ ହୋଇଥିବା ଟଙ୍କା ବୋଲି ସୂଚନା ଦେଇଛି ଇଡି । ତେଣୁ ଆଜି ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରି ତାଙ୍କୁ ବ୍ୟାଙ୍କସାଲ କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେଇଛି । ଏପଟେ ଏ ଦୁର୍ନୀତି ଲିଙ୍କରେ ପାର୍ଥ ଚାଟାର୍ଜୀଙ୍କ ବାସଭବନ ସହ ମୋଟ୍ ୧୩ଟି ସ୍ଥାନରେ ରେଡ୍ କରାଯାଇଛି ।

ଖୁବଶୀଘ୍ର ଅର୍ପିତାଙ୍କୁ ଗିରଫ ସହ ମାମଲାରେ ଗିରଫଦାରୀଙ୍କ ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି । ତେଣେ ଘଟଣାକୁ ନେଇ ତେଜିଛି ରାଜନୀତି । କେନ୍ଦ୍ରର ବିଜେପି ସରକାରର ଏହା ରାଜନୈତିକ ଚାଲ କହି ଟିଏମସି ସମାଲୋଚନା କରିଥିବା ବେଳେ ପାର୍ଥ ପାଣିରେ ବୁଡ଼ି ରହୁଥିବା ଜଣେ ବଡ଼ ମାଛ ଏବଂ ସରକାରରେ ଆହୁରି ଅନେକ ଦୁର୍ନତୀଗ୍ରସ୍ତ ଅଛନ୍ତି ବୋଲି କହିଛି ବିଜେପି ।

ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଲିଙ୍କ୍‌ରେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିବା ଅର୍ପିତା ମୁଖାର୍ଜୀ ପେଷାରେ ଜଣେ ଅଭିନେତ୍ରୀ । ବଙ୍ଗଳା ସହ ଓଡ଼ିଆ ଓ ତାମିଲ ଇଣ୍ଡଷ୍ଟ୍ରି ସହ ତାଙ୍କର ସଂପୃକ୍ତି ଥିବା ବେଳେ ଓଲିଉଡ୍‌ରେ ସେ ୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୦୮ରେ ବନ୍ଦେ ଉତ୍କଳ ଜନନୀରୁ କ୍ୟାରିଅର ଆରମ୍ଭ କରିଥିବା ଅର୍ପିତା ପରେ ପରେ ପ୍ରେମରୋଗୀ, ତୋରମୋର ଯୋଡ଼ି ସୁନ୍ଦର, ମୁଁ କଣ ଏତେ ଖରାପ ଓ ରାଜୁ ଆୱାରା ଭଳି ଫିଲ୍ମରେ ଅଭିନୟ କରିଥିଲେ ।