ୱାୟନାଡ଼ରେ ପ୍ରକୃତିର ତାଣ୍ତବ, ମୃତ୍ୟୁ ମୁଖରୁ ଜୀବନ ଫେରାଇବା ପାଇଁ ଚାଲିଛି ଅପରେସନ୍

କେରଳରେ ପୁଣି ବିପର୍ଯ୍ୟୟର କରାଳ ତାଣ୍ଡବ । ୱାୟନାଡ଼ର ମେପାଡ଼ି ପାହାଡ଼ରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୯୩ କୁ ବୃଦ୍ଧି ପାଇଛି ।

Wayanad Landslides

କେରଳରେ ପୁଣି ବିପର୍ଯ୍ୟୟର କରାଳ ତାଣ୍ଡବ । ୱାୟନାଡ଼ର ମେପାଡ଼ି ପାହାଡ଼ରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୯୩ କୁ ବୃଦ୍ଧି ପାଇଛି । ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ସେପଟେ ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପୁଣି ଭଗବାନଙ୍କ ନିଜ ଦେଶରେ ଭୟାବହ ବିପତ୍ତି । ଯମଦୂତ ସାଜି ଜୀବନ ନେଲା ଭୂସ୍ଖଳନ ବିପର୍ଯ୍ୟୟ । ପାହାଡ଼ ଧସିଲା, ବସୁଧା ଫାଟିଲା, ତାଣ୍ଡବ ରଚିଲା ପ୍ରଳୟ । ପାହାଡ଼ ଧସିବା ପରେ ପ୍ରଖର ଜଳସ୍ରୋତରେ କାଗଜ ଡଙ୍ଗା ଭଳି ଭାସିଯାଉଛି କାର୍ ।

ଭୟଙ୍କର ଭୂସ୍ଖଳନ ପରେ ସବୁ କିଛି ଛାରଖାର । ଭୂସ୍ଖଳନର ଭୟବହତା ଏତେ ଅଧିକ ରହିଛି ଯେ, ମୃତ୍ୟୁସଂଖ୍ୟା ଶହେ ଟପିପାରେ ବୋଲି ଆଶଙ୍କା କରାଯାଉଛି । ସମୟ ପ୍ରାୟ ଭୋର୍ ୪ଟା । ସ୍ଥାନ- ୱାୟନାଡ଼, କେରଳ । ରାତି ପାହିନଥିଲା, ଲୋକଙ୍କ ନିଦ ଭାଙ୍ଗିନଥିଲା । ହେଲେ ସେପଟେ ଦୁର୍ଯୋଗକୁ ଡାକି ସାରିଥିଲା ରାତିର ଲଗାଣ ବର୍ଷା । କେହି କିଛି ବୁଝିବା ଆଗରୁ ଘର ଉପରେ ଅଜାଡ଼ି ହୋଇପଡ଼ିଲା ଶହ ଶହ ଟନ୍ ପଥର ଓ ମାଟି ଅତଡ଼ା ।

ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ହୋଇଛି । ଆଉ ଏସବୁ ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର, ଛାତି ଥରାଇ ଦେଲା ଭଳି ଦୃଶ୍ୟ । ନିଶ୍ଚିହ୍ନ ହୋଇଯାଇଛି ବିସ୍ତୀର୍ଣ୍ଣ ଜନବସତି । ମାଟିରେ ମିଶିଯାଇଛି ଘରଦ୍ୱାର । ଧୋଇ ଯାଇଛି ରାସ୍ତାଘାଟ ।

ଛିନ ଛତର ରେଳ ଧାରଣା । କେଉଁଠି ଗଛ ପଡ଼ି ଜିପ୍ ଭାଙ୍ଗି ରୁଜି ଯାଇଛି ତ ପୁଣି କେଉଁଠି ରାସ୍ତା ପାଲଟି ଯାଇଛି ନଈ । ଆକାଶ ମାର୍ଗରୁ ନିଆଯାଇଥିବା ଫଟୋଗପଡ଼ିକୁ ଦେଖିଲେ ଭୂସ୍ଖଳନ ପରେ କେମିତି ବିପର୍ଯ୍ୟୟ ତାଣ୍ଡବ ରଚିଛି ତାହା ସହଜରେ ଅନୁମେୟ କରାଯାଇପାରେ ।

ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ । ଦେବଦୂତ ସାଜି ଅନେକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ସେନା ଯବାନ । ଉଦ୍ଧାର କାର୍ଯ୍ୟରେ ଜି ଜାନ୍ ଲଗାଇ ମୃତ୍ୟୁ ମୁଖରୁ ଜୀବନ ଫେରାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି କେରଳ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଏବଂ ଏନଡିଆରଏଫ୍ ଟିମ୍ ।

ନୌସେନା ବି ଅପରେସନରେ ସାମିଲ ହେବାର ସମ୍ଭାବନା ରହିଛି । ଏହି ରେସକ୍ୟୁ ଅପରେସନରେ ସେନାର MI ୧୭ ଓ ALH ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ତେବେ ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା ଓ ପ୍ରତିକୂଳ ପରିସ୍ଥିତି । ମାଟି ତଳୁ ଜୀବନ ଖୋଜା ଚାଲିଛି ବୋଲି କହିଛନ୍ତି NDRF DIG ।

ଆହତମାନଙ୍କ ଉନ୍ନତ ଚିକିତ୍ସା ପାଇଁ ସବୁ ପ୍ରକାର ସୁବିଧା କରାଯାଉଥିବା କହିଛନ୍ତି କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ବିପର୍ଯ୍ୟୟ ପରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରାଯାଇଛି । ରେସକ୍ୟୁ ଅପରେସନ ପାଇଁ ସବୁ ପ୍ରକାର କେନ୍ଦ୍ରୀୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପିଏମ୍ । ଏହା ସହ ସେ ନିଜେ ବ୍ୟକ୍ତିଗତ ଭାବେ ସ୍ଥିତିର ଅନୁଧ୍ୟାନ କରୁଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍ । ଏହା ପୂର୍ବରୁ ୨୦୧୮ ଓ ୨୦୧୯ରେ ବନ୍ୟା ଏବଂ ୨୦୨୦ରେ ପେଟୁମୁଣ୍ଡି ଭୂସ୍ଖଳନ ମଧ୍ୟ କେରଳରେ ବଡ଼ ଧରଣର ବିପତ୍ତି ଆଣିଥିଲା ।