Advertisment

୨୦୦ ମୁହାଁ କେରଳ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା, ଧ୍ବଂସସ୍ତୁପ ତଳୁ ଚାଲିଛି ରେସ୍କୁ ଟିମର ଜୀବନ ଖୋଜା

୨ ଶହ ମୁହାଁ ହେଲାଣି କେରଳ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା । ଏବେ ବି ଶତାଧିକ ଲୋକ ଧସିଥିବା ପାହାଡ଼ ତଳେ ଚାପି ହୋଇ ରହିଛନ୍ତି, ବନ୍ୟାରେ ଭାସି ନିଖୋଜ ଅଛନ୍ତି।

undefined

Wayanad Landslide

Advertisment

ଆକାଶରେ ସିନ୍ଦୁରା ଫାଟିବା ଆଗରୁ, ତାଣ୍ଡବ ରଚିଦେଇ ଗଲା ପ୍ରକୃତି । ରାତି ପାହିଲା ବେଳକୁ ସବୁ ଛାରଖାର । ଶୋଇଥିବା ଅବସ୍ଥାରେ କିଏ ଭାସିଗଲା, କିଏ ଧସିଥିବା ପାହାଡ଼ ତଳେ ଦବିଗଲା । ତ ଆଉ କିଏ ସବୁ ଦିନ ପାଇଁ ହଜିଗଲା । ଖବର ନେବାକୁ କି ଖୋଜି ଜାବୁଡ଼ି ଧରିବାକୁ ନାହାନ୍ତି ତାଙ୍କର ବି କେହି ଆପଣାର । ସୋମବାର ବଡ଼ି ଭୋରରୁ କେରଳ ୱାୟନାଡ଼ ଜିଲ୍ଲାରେ ତିନି ତିନିଟି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି ୫ଟି ଗାଁ।

Advertisment

ବିଶାଳକାୟ ପଥର ଖଣ୍ଡ ତଳ ହେଉ କି କାଦୁଅ ଭର୍ତ୍ତି ମାଟି, ଖୋଜିଲେ ଉଦ୍ଧାରକର୍ମୀଙ୍କୁ ମିଳୁଛି ମାଳ ମାଳ ମୃତଦେହ । କେଉଁଠି ସନ୍ଧାନୀ କୁକୁର ସହାୟତାରେ ଜୀବନ ଖୋଜା ଚାଲିଛି, ତ ପୁଣି କେଉଁଠି ନିଜ ଜୀବନକୁ ବାଜି ଲଗାଇ ଏମିତି ବଢିଲା ନଈ ଆରପଟୁ ଜୀବନ ବଞ୍ଚାଇବାରେ ବି ଲାଗିଛନ୍ତି ରେସ୍କ୍ୟୁ ଅପରେସନରେ ସାମିଲ ତିନି ସେନାର ଯବାନ ।

ଏଣେ କେରଳ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟର ଅନୁରୋଧ ରକ୍ଷା କରି ନୌସେନାର ସଦର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଏକ ୬୮ ଜଣିଆ ଡିଜାଷ୍ଟର ରିଲିଫ୍ ଟିମ୍ ଘଟଣାସ୍ଥଳକୁ ଯାଇଛି। ହେଲେ ଆଜି ସକାଳୁ ଚାଲିଥିବା ତୁହାକୁ ତୁହା ବର୍ଷା ଉଦ୍ଧାର କାର୍ଯ୍ୟରେ ସାଜିଛି ବଡ଼ ବାଧକ। ତଥାପି ପ୍ରତିକୂଳ ପାଗକୁ ଖାତିର ନକରି NDRF ଟିମ୍, ସ୍ଥାନୀୟ ପୋଲିସ, ବନ ବିଭାଗ ଓ ସ୍ବେଚ୍ଛାସେବୀ ସମସ୍ତେ ମୃତଦେହ ଚିହ୍ନଟ ସହ ନିଖୋଜଙ୍କୁ ଖୋଜିବାରେ ଦିନରାତି ଏକ କରି ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ୨ ଶହ ଛୁଇଁବା ଅନୁମାନ କରାଯାଉଛି । ୱାୟନାଡ଼ ସମେତ କେରଳର ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ସ୍ଥାନୀୟ ଲୋକଙ୍କୁ ଅଧିକ ଛାନିଆ କରିଛି। ଏବେ ୩୯ଟି ରିଲିଫ୍ କେନ୍ଦ୍ରରେ ୩ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ମୃତକଙ୍କ ସ୍ମୃତିରେ ଆଜିଠୁ କେରଳରେ ଦୁଇ ଦିନିଆ ଶୋକ ପାଳନ କରାଯାଉଥିବାବେଳେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି ।

Advertisment

ସେପଟେ ସଂସଦରେ ବି ଉଠିଛି ୱାୟନାଡ ବ୍ୟଥା। ରାଜ୍ୟସଭାରେ ଏହାକୁ ନେଇ ଜୋରଦାର ବିତର୍କ ବି ହୋଇଛି। ସେଠି କାହିଁକି ବିପର୍ଯ୍ୟୟ ନେଇ ଆଗୁଆ ସୂଚନା ଦିଆଯାଇନଥିଲା ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ। ଉତ୍ତରରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ-ଗତ ୨୩ ଓ ୨୪ ତାରିଖରେ ସେଠି ଭୂସ୍ଖଳନ ହେବା ଆଶଙ୍କା ଥିବା ନେଇ କେନ୍ଦ୍ର ଆଗୁଆ କେରଳ ସରକାରଙ୍କୁ ଆଲର୍ଟ କରିଥିଲା। ଏମିତିକି ୯ଟି ଏନଡିଆରଏଫ୍ ଟିମ୍ ବି ପଠାଯାଇଥିଲା। ଯଦି ସେତେବେଳେ ଲୋକଙ୍କୁ ସତର୍କ କରାଯାଇଥାନ୍ତା, ଏତେ ଜୀବନହାନି ହୋଇନଥାନ୍ତା।

ତେବେ ବର୍ତ୍ତମାନ ସମୟ ରାଜନୀତି କରିବାର ନୁହେଁ, ଏଭଳି ଦୁର୍ଦ୍ଦିନରେ କେରଳ ସରକାର ଓ ସେଠିକା ଲୋକଙ୍କ ସହ ଭାରତ ସରକାର ପାହାଡ଼ ସଦୃଶ ଛିଡ଼ା ହୋଇଛନ୍ତି। ସେପଟେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ କହିଛନ୍ତି ଏ ସମୟ ବ୍ଲେମ୍ ଗେମର ନୁହେଁ। ସମୟ ଧୈର୍ଯ୍ୟ ଓ ମୁକାବିଲାର । ପ୍ରକୃତିର କୋପରେ ଘାଇଲା କେରଳବାସୀଙ୍କ ପାଖକୁ ଏ ବିପଦ ବେଳାରେ ଦେଶର କୋଣ ଅନୁକୋଣରୁ ଛୁଟିଛି ସମବେଦନାର ସୁଅ।

Advertisment
Landslides
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ