ମାଟି ଓ କାଦୁଅ ତଳୁ ଖୋଜା ଚାଲିଛି ଜୀବନ, ମୃତ୍ୟୁ ସଂଖ୍ୟା ୩ଶହ ପାର୍

ଭୂ-ସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର କେରଳର ୱାୟନାଡ୍ । ବିଷମ ପରିସ୍ଥିତି ସତ୍ତ୍ୱେ ମାଟି ଓ କାଦୁଅ ତଳୁ ଖୋଜା ଚାଲିଛି ଜୀବନ ।

Wayanad Landslide

ଭୂ-ସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର କେରଳର ୱାୟନାଡ୍ । ବିଷମ ପରିସ୍ଥିତି ସତ୍ତ୍ୱେ ମାଟି ଓ କାଦୁଅ ତଳୁ ଖୋଜା ଚାଲିଛି ଜୀବନ । ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି NDRF, SDRF, ସେନା ଓ ସ୍ୱେଚ୍ଛାସେବୀ । ସମୁଦ୍ର ପତନଠାରୁ ପ୍ରାୟ ଦେଢ଼ ହଜାର ମିଟର ଉଚ୍ଚରେ, କେରଳର ୱାୟନାଡ୍ ଜିଲ୍ଲାର ମେପ୍ପାଡିରେଗତ ମଙ୍ଗଳବାର ଭୋରରୁ ହୋଇଥିବା ସର୍ବଗ୍ରାସୀ ଭୂସ୍ଖଳନରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ଶହ ୩୪ ପାର୍ କରିଛି ।

ତଥାପି ଶହ ଶହ ଲୋକ ନିଖୋଜ ଅଛନ୍ତି । ଆହତ ଅବସ୍ଥାରେ ଶତାଧିକ ଲୋକଙ୍କର ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି । ସ୍ୟାଟେଲାଇଟ୍ ଚିତ୍ରର ସୂଚନା ଅନୁସାରେ ପ୍ରାୟ ୯୬ ହଜାର ବର୍ଗମିଟର ଅଞ୍ଚଳରେ ମାଟି ଧସି ଯାଇଛି, ଯାହା ପ୍ରାୟ ୮ କିଲୋମିଟର ବ୍ୟାପ୍ତ ବୋଲି ଜଣାପଡ଼ିଛି । ସେପଟେ ଆଜି କେରଳର ୱାୟନାଡରୁ ଓଡ଼ିଶା ଆସୁଛି ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ।

ସଡ଼କ ପଥରେ ଆମ୍ବୁଲାନ୍ସ ଯୋଗେ ତାଙ୍କର ଜଣେ ସମ୍ପର୍କୀୟ ଦାଦା ମୃତଦେହ ଆଣୁଛନ୍ତି । ବିମାନରେ ପାର୍ଥିବ ଶରୀର ନେବା ସମ୍ଭବ ହୋଇପାରିଲାନି । ତେଣୁ ସଡ଼କ ପଥରେ ତାଙ୍କ ମୃତଦେହକୁ ଅଣାଯାଉଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ମୃତଦେହକୁ ପୈତୃକ ଗାଁ ପୁରୀ ଜିଲ୍ଲା ଗୋପ ବ୍ଲକର ପରାଳକୁ ନିଆଯିବ ।

ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହେବ । ମୃତ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ପାଲ କେରଳର ମେପ୍ପାଡିର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତ ସୃଷ୍ଟି ହୋଇଛି । ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣି ସେ ଭାଙ୍ଗି ପଡ଼ିଛନ୍ତି । ଭୂସ୍ଖଳନରେ ଆହତ ହୋଇଥିବା ଅନ୍ୟ ଜଣେ ଡାକ୍ତର ସ୍ୱୀକୃତି ମହାପାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ଫୁସଫୁସରେ ମାଟି ଜମା ହୋଇଯାଇଥିଲା । ବ୍ରୋଙ୍କସ୍କୋପି ଜରିଆରେ ସେସବୁ ପ୍ରାୟ କଢ଼ାସରିଛି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଅନ୍ୟପକ୍ଷରେ ସେମାନଙ୍କ ସହିତ ଯାଇଥିବା ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଅଛନ୍ତି ।