୧୩ ବର୍ଷ ବୟସରେ ବିଶ୍ୱ ରେକର୍ଡ, ଭାରତ ପାଇଁ ଜିଆ ଆଣିଲେ ଗୌରବ

ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ ଝିଅ ହେଉଛନ୍ତି ଜିଆ । ଯେତେବେଳେ ଜିଆ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ଶିଖୁଥିଲେ ସେତେବେଳେ ତାଙ୍କ ପିତା ମାତା ତାଙ୍କର ଏହି ଦକ୍ଷତା ବିଷୟରେ ଆଭାସ ପାଇଥିଲେ ।

Jia Rai Paraswimmer

ପହଁରି ପହଁରି ଆସିଲେ ଭାରତ । ଶ୍ରୀଲଙ୍କାରୁ ପହଁରିବା ଆରମ୍ଭ କରିଥିଲେ, ଆଉ ମାତ୍ର ୧୩ ଘଣ୍ଟା ଭିତରେ ପହଞ୍ଚିଲେ ଭାରତ ମାଟିରେ । ଏଭଳି ଏକ ବିରଳ ରେକର୍ଡ କରିଛନ୍ତି ଜଣେ ୧୩ ବର୍ଷୀୟ ଝିଅ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଁରି ପହଁରି ପହଞ୍ଚିବାରେ ସେ କରିଛନ୍ତି ବିରଳ ରେକର୍ଡ । ମାତ୍ର ୧୩ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ଏଭଳି କାରନାମା ସମସ୍ତଙ୍କୁ ଚକିତ କରିଛି । ଏହି ବିରଳ ରେକର୍ଡର ଅଧିକାରୀ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ପାରା-ସ୍ୱିମର ଜିଆ ରାୟ ।

ଜିଆ ଶ୍ରୀଲଙ୍କାର ପାଲକ ଷ୍ଟ୍ରେଟ୍‌, ତାଲାଇମନ୍ନରରୁ ପହଁରିବା ଆରମ୍ଭ କରିଥିଲେ । ଆଉ ମାତ୍ର ୧୩ ଘଣ୍ଟା ଭିତରେ ୨୮.୫ କିଲୋମିଟର ଜଳ ପଥ ଅତିକ୍ରମ କରି ପହଞ୍ଚିଥିଲେ ତାମିଲନାଡ଼ୁ ଧନୁଷକୋଡ଼ିର ଆରିଚଲମୁନାଇରେ । ଏହି ବିରଳ ରେକର୍ଡ ହାସଲ କରିବାରେ ଜିଆ ରାୟ ହେଉଛନ୍ତି ବିଶ୍ୱର ସର୍ବକନିଷ୍ଠ ମହିଳା ସନ୍ତରଣକାରୀ । ଜିଆଙ୍କ ପୂର୍ବରୁ ଏହି ରେକର୍ଡ ସନ୍ତରଣକାରୀ ବୁଲା ଚୌଧରୀଙ୍କ ନାଁରେ ରହିଥିଲା । ବୁଲା ଅର୍ଜୁନ ପୁରସ୍କାର ପ୍ରାପ୍ତ ଜଣେ ସନ୍ତରଣକାରୀ । ୨୦୦୪ରେ ସେ ଏହି ରେକର୍ଡ ହାସଲ କରିଥିଲେ । ସେତେବେଳେ ସେ ଏହି ସମାନ ଜଳପଥକୁ ୧୩ ଘଣ୍ଟା ୫୨ ମିନିଟ୍‌ରେ ଅତିକ୍ରମ କରି ରେକର୍ଡ କରିଥିଲେ  ।

 

ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ ଝିଅ ହେଉଛନ୍ତି ଜିଆ । ଯେତେବେଳେ ଜିଆ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ଶିଖୁଥିଲେ ସେତେବେଳେ ତାଙ୍କ ପିତା ମାତା ତାଙ୍କର ଏହି ଦକ୍ଷତା ବିଷୟରେ ଆଭାସ ପାଇଥିଲେ । ଏହାପରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ଜିଆଙ୍କର ଆରମ୍ଭ ହୋଇଥିଲା ସନ୍ତରଣ ଟ୍ରେନିଂ ।

ତେବେ ଜିଆ ଏଭଳି ରେକର୍ଡ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ତାମିଲନାଡ଼ୁ ଡିଜିପି ସି ଶିଳେନ୍ଦ୍ର ବାବୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏମିତିକି ଭାରତୀୟ ନୌସେନା ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛ ଦିଆଯାଇଛି । ନୌସେନା ପକ୍ଷରୁ ଅଫିସିଆଲ ଫେସ୍‌ବୁକ୍‌ ଆକାଉଣ୍ଟରେ ଜିଆଙ୍କ ପାଇଁ ଏକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦିଆଯାଇଛି ।