• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାଘର ଭୋଜି ପାଲଟିଲା ମହାଭାରତ । ଦେହରେ ଅଇଁଠା ପ୍ଲେଟ୍‌ ବାଜିଲା ବୋଲି ୱେଟର୍‌କୁ ପିଟିପିଟି ମାରିଦେଲେ ଅତିଥି । ଏଭଳି କିଛି ଘଟଣା ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ଦେଖିବାକୁ ମିଳିଛି । ଗତ ମାସ ନଭେମ୍ବର ୧୭ରେ ଏହି ଘଟଣାଟି ଘଟିଛି । ଯେଉଁଠି ଜଣେ ୨୬ ବର୍ଷୀୟ ଯୁବକକୁ ପିଟିପିଟି ମାରିଦେଇଛନ୍ତି କିଛି ଲୋକ । ଯୁବକଙ୍କ ମୃତଦେହ ଜଙ୍ଗଲରୁ ଠାବ ହେବା ପରେ ପୂରା ଘଟଣାଟି ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ ନଭେମ୍ବର ୧୭ ଗାଜିଆବାଦର ପୁସ୍ତା ରୋଡରେ ଥିବା ସିଜିଏସ୍‌ ଭାଟିକା ଗେଷ୍ଟ ହାଉସରେ ଗୋଟିଏ ବାହାଘର ଭୋଜି ଚାଲିଥିଲା । ଭୋଜି ଚାଲିଥିବା ବେଳେ ସମସ୍ତେ ନାଚଗୀତରେ ମସଗୁଲ ଥିଲେ । ସେହି ସମୟରେ ୱେଟର ଭାବେ କାମ କରୁଥିବା ପଙ୍କଜ ଅଇଁଠା ପ୍ଲେଟକୁ ଗୋଟିଏ ପାତ୍ରରେ ଏକାଠି କରି ଧୋଇବା ପାଇଁ ନେଉଥିଲେ । ଭୋଜିରେ ଭିଡ଼ ଥିବାରୁ ପାତ୍ରଟିକୁ ନେଉଥିବା ବେଳେ ରିଷଭ ଓ ତାଙ୍କ ଦୁଇ ବନ୍ଧୁଙ୍କ ଦେହରେ ଏହା ମାଡ଼ ହୋଇଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ପାଟିଟୁଣ୍ତ । ରିଷଭ ଓ ତାଙ୍କ ବନ୍ଧୁମାନେ ମିଶି ପଙ୍କଜଙ୍କୁ ତଳେ ପକାଇ ବହୁତ ପିଟିଥିଲେ । ଘଟଣାରେ ପଙ୍କଜ ଗୁରୁତର ଆହତ ହୋଇଥିଲେ ।

ମାଡ଼ ଯୋଗୁ ପଙ୍କଜ ତଳେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରୁ ରକ୍ତ ମଧ୍ୟ ବାହାରିଥିଲା । ଏଥିରେ ରିଷଭ ଓ ତାଙ୍କ ବନ୍ଧୁ ଡରି ଯାଇଥିଲେ । ପଙ୍କଜଙ୍କ ମୃତ୍ୟୁ ହୋଇ ସାରିଥିବା ଭୟରେ ଆକ୍ରମଣକାରୀମାନେ ତାଙ୍କୁ ସ୍ଥାନୀୟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଦିନକ ପରେ ପଙ୍କଜଙ୍କ କ୍ଷତାକ୍ତ ମୃତଦେହ ସ୍ଥାନୀୟ ଜଙ୍ଗଲରୁ ମିଳିଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ରିଷଭଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ମନୋଜ ଓ ଅମିତ୍‌ । ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଘଟଣାରେ ଆଉ କିଏ ସଂପୃକ୍ତ ରହିଛନ୍ତି କି ନାହିଁ ବୋଲି ପୋଲିସ ଯାଞ୍ଚ କରୁଛି ।