• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଉ ଗାଉ କାନ୍ଦି ପକାଇଲେ କୁନି ଝିଅ । ଲତା ମଙ୍ଗେସ୍‌କରଙ୍କ ଚର୍ଚ୍ଚିତ ଗୀତ ‘ପୀୟା ତୋସେ ନେନା ଲାଗେ ରେ’ ଗୀତ ଗାଇବା ବେଳେ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାଙ୍କର ଗୀତ ଗାଉଥିବାର ଏଇ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓଟିକୁ ଆଇଏଏସ୍‌ ଅଫିସର୍‌ ଅଶ୍ୱନିସ୍‌ ଶରଣ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେୟାର କରିଛନ୍ତି । ଯାହାକୁ ବର୍ତ୍ତମାନ ଯାଏଁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି । ଅଫିସର ଜଣକ ଏଇ ଭିଡିଓର କ୍ୟାପ୍ସନ୍‌ରେ ଲେଖିଛନ୍ତି ଯେ, ‘ଝିଅଟିର ସ୍ୱର ବେଶ୍‌ ମଧୁର, ତେଣୁ ତାଙ୍କୁ ପ୍ରତିଯୋଗିତାରୁ ବାଦ ଦେବା ଉଚିତ୍‌ ନୁହେଁ’ ।

 

ଭିଡିଓରେ ଦିଆଯାଇଥିବା କ୍ୟାପ୍ସନ୍‌ରେ କୁହାଯାଇଛି , ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇଥିବା ଝିଅଟିର ସୁମଧୁର ସ୍ୱର ଥିବା ସତ୍ତ୍ୱେ ତାଙ୍କୁ ପ୍ରତିଯୋଗିତାରୁ ବାଦ ଦିଆଯାଇଛି । ଯାହାକୁ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ଆଇଏଏସ୍‌ ଅଫିସର୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ତାହା ନୁହେଁ ବରଂ ଏନେଇ ଏକ ଭିଡିଓ ନିଜ ଟ୍ୱିଟର୍‌ ପେଜ୍‌ରେ ଶେୟାର କରିବା ସହ ପ୍ରଶ୍ନ କରିଛନ୍ତି, ଝିଅଟିର ସ୍ୱର ମଧୁର ଥିବା ସତ୍ତ୍ୱେ କିପରି ତାଙ୍କୁ ପ୍ରତିଯୋଗିତାରୁ ବାଦ ଦିଆଗଲା । ଭିଡିଓଟିରେ ଜଣେ ସାମ୍ବାଦିକ ଯୁବତୀଙ୍କୁ ପ୍ରତ୍ୟାଖ୍ୟାନ ବିଷୟରେ ପଚାରିବାରୁ ସେ ନିଜର ପ୍ରତ୍ୟାଖ୍ୟାନର କାରଣ କହିବା ସହ ନିଜ ମଧୁର ସ୍ୱରରେ ଗୀତ ଗାଇବାକୁ ଲାଗିଲେ । ଗୀତ ଗାଇବା ସମୟରେ ଗଣମାଧ୍ୟମ ଆଗରେ ଦୁଃଖରେ ସେ କାନ୍ଦି ପକାଇଲେ ।

ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ସହ ଅନେକ ୟୁଜର୍ସ ନିଜ ମତ ମଧ୍ୟ ଦେଇଛନ୍ତି । କେତେକ ୟୁଜର୍ସ ଏନେଇ ଦୁଃଖ ପ୍ରକାଶ କରିବା ସହ ଝିଅଟିକୁ ପ୍ରେରଣାଦାୟକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଅନେକ ନିଜ କମେଣ୍ଟରେ ଲେଖିଛନ୍ତି ଯେ, ନିରୀହ ଝିଅର ସ୍ୱର ଲୋକଙ୍କ ମନ ଜିତିଛି ଏବଂ ରିଅଲିଟି ସୋ'କୁ ଅନୁରୋଧ କରିଛନ୍ତି କି ଝିଅଟିକୁ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ଦିଆଯାଉ ଏବଂ ଭଗବାନ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ । ସତରେ ଏଇ ଭିଡ଼ିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ।