ସାକ୍ଷୀଙ୍କୁ ସୁରକ୍ଷା ଦିଅ, ଗାଁରେ ତୁରନ୍ତ ସିସିଟିଭି ଲଗାଅ । ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ରାମପୁରହାଟରେ ଘଟିଥିବା ଅଗ୍ନିକାଣ୍ଡ ଓ ହିଂସା ଘଟଣାକୁ ଗୁରୁତ୍ୱର ସହ ନେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ । ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍କୁ ଅଗ୍ନିକାଣ୍ଡ ସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି ।
Also Read
ପ୍ରମାଣ ନଷ୍ଟ ନହେବା ସହ ପ୍ରତ୍ୟେକ ଗ୍ରାମବାସୀ ଓ ସାକ୍ଷୀଙ୍କ ସୁରକ୍ଷା ଜିଲ୍ଲା କୋର୍ଟ ଏବଂ ରାଜ୍ୟ ଡିଜିପି ନିଶ୍ଚିତ କରିବେ । ଯଦି ଶବ ବ୍ୟବଚ୍ଛେଦ ହେବା ବାକି ରହିଛି, ତେବେ ଏହାର ଭିଡିଓ ରେକର୍ଡ କରିବାକୁ ପଡିବ ବୋଲି କହିଛନ୍ତି କଲିକତା ହାଇକୋର୍ଟ । ଆସନ୍ତାକାଲି ୨ଟା ସୁଦ୍ଧା ଘଟଣାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଦଙ୍ଗା ପରିସ୍ଥତି ପରେ ବଗତୁଇ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଭୟରେ ଗ୍ରାମବାସୀ ଗାଁ ଛାଡ଼ି ଅନ୍ୟତ୍ର ପଳାଉଛନ୍ତି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ସୁରକ୍ଷା ବଢାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରୁଛି । ରାଜ୍ୟ ଫରେନସିକ ଲବ୍ରୋଟୋରୀର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି । ଘଟଣାରେ ଏଯାଏଁ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି ।
ସେହିଭଳି ଆଜି ଗାଁରେ ପହଁଚିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ସିପିଏମ, ସିପିଆଇ ସମେତ ବିଜେପିର ଏକ ଟିମ୍ ମଧ୍ୟ ବୀରଭୂମ ଯାଇ ଘଟଣାର ଅନୁଧ୍ୟାନ କରିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳକୁ ଯିବେ ବୋଲି କହିଛନ୍ତି । ଘଟଣାରେ ଦୋଷୀଙ୍କୁ ଧରିବାରେ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସହଯୋଗ ଯୋଗାଇବେ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।