Vijay Diwas 2024: କେମିତି ସୃଷ୍ଟି ହୋଇଥିଲା ବାଲାଂଦେଶ, କ'ଣ ରହିଛି ଇତିହାସ ....

ଡିସେମ୍ବର ୪ ତାରିଖରେ ଭାରତୀୟ ସେନା ଅପରେସନ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲା । ଏବଂ ଭାରତୀୟ ସେନାର ପରାକ୍ରମ ଆଗରେ ପାକିସ୍ତାନ ସେନା ସେଦିନ ମୁଣ୍ଡ ନୁଆଁଇଥିଲା ।

Vijay Diwas 2024

ଦେଶ ପାଳୁଛି ବିଜୟ ଦିବସ । ଆଜିର ଦିନରେ ୧୯୭୧ ମସିହାରେ ପାକିସ୍ତାନ ଉପରେ ବିଜୟ ପାଇଥିଲା ଭାରତୀୟ ସେନା । ପୂର୍ବ ପାକିସ୍ତାନକୁ ପାକିସ୍ତାନ କବଳରୁ ମୁକ୍ତ କରିଥିଲା ସେନା । ଭାରତ ସହ ଏହା ବାଂଲାଦେଶ ପାଇଁ ମଧ୍ୟ ସ୍ୱତନ୍ତ୍ର । କାରଣ ଆଜିର ଦିନରେ ଏହି ନୂଆ ଦେଶର ଜନ୍ମ ହୋଇଥିଲା । ଭାରତୀୟ ସଶସ୍ତ୍ର ବଳଙ୍କ ବଳିଦାନକୁ ମନେପକାଇବା ପାଇଁ ବିଜୟ ଦିବସ ପାଳନ କରାଯାଉଛି ।

୧୯୭୧ ମସିହାରେ ଭାରତ ପୂର୍ବ ପାକିସ୍ତାନରେ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ବେଙ୍ଗଲ ରାଷ୍ଟ୍ରବାଦୀ ସମୂହର ସମର୍ଥନ କରି ପାକିସ୍ତାନ ବିରୋଧରେ ଯୁଦ୍ଧ ଲଢିଥିଲେ । ଶେଷରେ ପାକିସ୍ତାନ ସେନା ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇଥିଲା । ମୁକ୍ତି ସଂଗ୍ରାମୀ ଶେଖ ମଜିବୁର ରେହେମାନେ ଭାରତର ସାହାଯ୍ୟ ଲୋଡିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଭାରତୀୟ ସେନାକୁ ଯୁଦ୍ଧ ଲଢିବା ପାଇଁ ଅନୁମତି ଦେଇଥିଲେ ।

ଅଧିକ ପଢ଼ନ୍ତୁ: Indian Army's High-Speed Drone: ଯେମିତି ସ୍ପିଡ୍ ସେମିତି ଆତ୍ମଘାତୀ, ଭାରତୀୟ ସ୍ଥଳସେନାରେ 'ଖଡ୍ଗ'

ଡିସେମ୍ବର ୪ ତାରିଖରେ ଭାରତୀୟ ସେନା ଅପରେସନ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲା । ଏବଂ ଭାରତୀୟ ସେନାର ପରାକ୍ରମ ଆଗରେ ପାକିସ୍ତାନ ସେନା ସେଦିନ ମୁଣ୍ଡ ନୁଆଁଇଥିଲା । ୧୯୭୧ର ଏହି ଯୁଦ୍ଧରେ ପ୍ରାୟ ୩ ହଜାର ୯୦୦ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏମିତିକି ୯ ହଜାର ୮୫୧ ଜଣ ଆହତ ହୋଇଥିଲେ । ପୂର୍ବ ପାକିସ୍ତାନରେ ପାକିସ୍ତାନୀ ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିୟାଜୀ ଭାରତର ପୂର୍ବତନ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ୍ ସିଂ ଆରୋଡ଼ାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ୧୭ ଡିସେମ୍ବରରେ, ୯୩ ହଜାର ପାକିସ୍ତାନୀ ସୈନିକଙ୍କୁ ଯୁଦ୍ଧ ବନ୍ଦୀ ଭାବରେ ନିଆଯାଇଥିଲା ।

ସୂଚନାଯୋଗ୍ୟ, ୧୯୭୧ ମସିହା ଆରମ୍ଭରୁ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା । ୨୫ ମାର୍ଚ୍ଚ ୧୯୭୧ରେ, ପାକିସ୍ତାନର ସାମରିକ ଏକଛତ୍ରବାଦୀ ଶାସକ ୟାହିୟା ଖାନ ପୂର୍ବ ପାକିସ୍ତାନରେ ଜନସାଧାରଣଙ୍କ ଭାବନାକୁ ଦମନ କରିବା ପାଇଁ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଶେଖ ମୁଜିବଙ୍କୁ ଗିରଫ କରାଯାଇଥିଲା । ତା’ପରେ ସେଠାରୁ ଅନେକ ଶରଣାର୍ଥୀ କ୍ରମାଗତ ଭାବରେ ଭାରତ ଆସିବା ଆରମ୍ଭ କଲେ ।

ଯେତେବେଳେ ପାକିସ୍ତାନୀ ସେନାର ଏଭଳି କ୍ରୁର ଆଚରଣ ଖବର ଭାରତରେ ପହଞ୍ଚିଲା, ସେତେବେଳେ ଭାରତୀୟ ସେନା ଏହି ଘଟଣାରେ ହସ୍ତକ୍ଷେପ କରୁ ବୋଲି ବିଭିନ୍ନ ମହଲରୁ ଚାପ ପ୍ରୟୋଗ ହେଲା । ଏମିତିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ ଯେ, ଏପ୍ରିଲରେ ହିଁ ଆକ୍ରମଣ କରାଯାଉ । ତେଣୁ ଏନେଇ ଇନ୍ଦିରା ଗାନ୍ଧୀ ସ୍ଥଳସେନା ମୁଖ୍ୟ ଜେନେରାଲ ମାନେକଶାଂଙ୍କ ସହ ଆଲୋଚନା କରିଥିଲେ ।

ସେତେବେଳେ ଭାରତ ପାଖରେ କେବଳ ଗୋଟିଏ ପାର୍ବତୀୟ ଡିଭିଜନ ରହିଥିଲା । ସେଠାରେ ସେତୁ ନିର୍ମାଣ ପାଇଁ ଭାରତର ସାମର୍ଥ୍ୟ ନଥିଲା । ଖାଲି ସେତିକି ନୁହେଁ ସେତେବଳେ ମୌସୁମୀ ମଧ୍ୟ ମାଡ଼ି ଆସୁଥିଲା । ଏପରି ସମୟରେ ପୂର୍ବ ପାକିସ୍ତାନରେ ପ୍ରବେଶ କରିବା ବିପଜ୍ଜନକ ରହିଥିଲା । ତେଣୁ ମାନେକଶାଂ କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଯୁଦ୍ଧ ମଇଦାନକୁ ଓହ୍ଲାଇବେ ।

୩ ଡିସେମ୍ବର ୧୯୭୧ରେ ଇନ୍ଦିରା ଗାନ୍ଧୀ ସେତେବେଳର କଲିକତାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିଲେ । ସେହି ଦିନ ସନ୍ଧ୍ୟାରେ ପାକିସ୍ତାନୀ ବାୟୁସେନାର କିଛି ବିମାନ ଭାରତୀୟ ବାୟୁ ସୀମା ପାର କରି ପଠାନକୋଟ, ଶ୍ରୀନଗର, ଅମୃତସର, ଯୋଧପୁର, ଆଗ୍ରା ଆଦି ଅଞ୍ଚଳରେ ଥିବା ସାମରିକ ବିମାନଘାଟିରେ ବୋମା ବର୍ଷା କରିଥିଲେ । ଏହାପରେ ଇନ୍ଦିରା ଗାନ୍ଧୀ ତୁରନ୍ତ ଦିଲ୍ଲୀ ଫେରି କ୍ୟାବିନେଟର ଜରୁରୀକାଳୀନ ବୈଠକ କରିଥିଲେ ।

ଅଧିକ ପଢନ୍ତୁ: ନିୟମ ବଦଳିବା ପରେ କେତେ ସୁରକ୍ଷିତ ଅଛନ୍ତି ମହିଳା, କ’ଣ କହୁଛି କ୍ରାଇମ ଗ୍ରାଫ୍

ଯୁଦ୍ଧ ଆରମ୍ଭ ହେବା ପରେ ପୂର୍ବରେ ଦ୍ରୁତ ଗତିରେ ଭାରତୀୟ ସେନା ଆଗକୁ ବଢ଼ୁଥିବା ବେଳେ ପ୍ରଥମେ ଜେସୋର ଏବଂ ଖୁଲନାକୁ ନିଜ କବ୍‌ଜାରେ ନେଇଥିଲେ । ଭାରତୀୟ ସେନାର ରଣନୀତି ଥିଲା ଯେ, ମୁଖ୍ୟ ଅଡ୍ଡାକୁ ଛାଡି ପ୍ରଥମେ ଆଗକୁ ବଢ଼ିବା । ଯୁଦ୍ଧ ସମୟରେ ଖୁଲନା ଏବଂ ଚଟଗାଓଁକୁ କବ୍‌ଜା କରିବା ପାଇଁ ଜୋର ଦେଉଥିଲେ ମାନେକଶାଂ । ଢ଼ାକା କବ୍‌ଜା କରିବା ପାଇଁ ଭାରତୀୟ ସେନାର କୌଣସି ଲକ୍ଷ୍ୟ ହିଁ ନଥିଲା ।

ଡିସେମ୍ବର ୧୪ ରେ, ଭାରତୀୟ ସେନା ଏକ ଗୁଇନ୍ଦା ଖବର ପାଇଥିଲା ଯେ, ଦିନ ୧୧ଟାରେ ଢ଼ାକାର ସରକାରୀ ଭବନରେ ଏକ ହାଇଲେବୁଲ ବୈଠକ ହେବାକୁ ଯାଉଛି । ଯେଉଁଥିରେ ପାକିସ୍ତାନୀ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ । ଏହି ଖବର ପାଇବା ପରେ ଭାରତୀୟ ସେନା ନିଷ୍ପତ୍ତି ନେଲା ଯେ, ବୈଠକ ସମୟରେ ହିଁ ସେଠାରେ ଆକ୍ରମଣ କରାଯିବ । ଆଉ ତାହା ହିଁ ହେଲା ।

ବୈଠକ ଚାଲିଥିବା ବେଳେ ଭାରତୀୟ ବାୟୁସେନାର ମିଗ୍‌ ୨୧ ବୋମା ବର୍ଷା କରି ଛାତ ଉଡ଼ାଇ ଦେଇଥିଲା । ଏହି ଘଟଣା ପରେ ଗଭର୍ଣ୍ଣର ମଲିକ ଭୟରେ ଥରି ଥରି ନିଜ ପଦରୁ ଇସ୍ତଫା ଦେଇଥିଲେ । ୧୬ ଡିସେମ୍ବର ସକାଳେ ଜେନେରାଲ ଜୈକବଙ୍କୁ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହେବାକୁ ଢ଼ାକାରେ ପହଞ୍ଚିବା ପାଇଁ ମାନେକଶାଂଙ୍କ ସନ୍ଦେସ ପହଞ୍ଚିଲା ।

ସେତେବେଳେ ଜୈକବଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା । ଏହି ସମୟରେ ନିୟାଜୀଙ୍କ ପଖରେ ଢ଼ାକାରେ ୨୬ ହଜାର ୪୦୦ ସୈନିକ ଥିବା ବେଳେ ଭାରତ ପାଖରେ କେବଳ ୩୦୦୦ ସୈନିକ ଥିଲେ । ଆଉ ତାହା ପୁଣି ଢ଼ାକାଠାରୁ ୩୦ କିଲୋମିଟର ଦୂରରେ । ଭାରତୀୟ ସେନା ଏହି ଯୁଦ୍ଧକୁ ସମ୍ପୂର୍ଣ୍ଣ ରୂପେ ନିଜ କବ୍‌ଜାରେ ନେଇସାରିଥିଲା ।

ଅରୋଡ଼ା ନିଜ ଦଳ ବଳ ସହ ଦୁଇ ଘଣ୍ଟା ମଧ୍ୟରେ ଢ଼ାକାରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିଲେ । ଏମିତିକି ଯୁଦ୍ଧ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଜୈକବଙ୍କ ହାତରେ କୌଣସି ମୌକା ନଥିଲା । ଜୈକବ ଯେତେବେଳେ ନିୟାଜୀଙ୍କ କୋଠରୀରେ ପ୍ରବେଶ କଲେ, ସେଠାରେ ନିରବତା ଛାଇଯାଇଥିଲା । ଆତ୍ମସମର୍ପଣର ଡକ୍ୟୁମେଣ୍ଟ ଟେବୁଲ ଉପରେ ରଖାଯାଇଥିଲା ।

ଜେନେରାଲ ଆରୋଡ଼ାରା ସନ୍ଧ୍ୟା ପ୍ରାୟ ସାଢ଼େ ୪ଟା ବେଳେ ହେଲିକପ୍ଟର ଯୋଗେ ଢ଼ାକା ବିମାନବନ୍ଦରରେ ଅବତରଣ କରିଥିଲେ । ଆରୋଡ଼ା ଏବଂ ନିୟାଜୀ ଏକ ଟେବୁଲ୍ ସାମ୍ନାରେ ବସିଲେ । ଉଭୟ ଆତ୍ମସମର୍ପଣ ଦଲିଲରେ ଦସ୍ତଖତ କଲେ । ନିୟାଜୀ ନିଜର ବ୍ୟାଚ୍‌ ଖୋଲିଲେ ଏବଂ ରିଭଲଭର କାଢ଼ି ଜେନେରାଲ୍ ଆରୋଡ଼ାଙ୍କ ନିଟକରେ ସମର୍ପଣ କଲେ । ସେତେବେଳେ ନିୟାଜୀଙ୍କ ଆଖିରେ ଲୁହ ଆସିଗଲା ।

ଅନ୍ଧାର ହୋଇଆସୁଥିଲା । ସ୍ଥାନୀୟ ଲୋକେ ନିୟାଜୀଙ୍କୁ ପିଟି ପିଟି ହତ୍ୟା କରିବାକୁ ଆଗେଇ ଆସିଥିଲେ । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ନିୟାଜୀଙ୍କୁ ଚାରି ପଟୁ ସୁରକ୍ଷା ଦେଲେ । ଏହାସହ ସୁରକ୍ଷିତ ଭାବେ ସେଠାରୁ କର୍ଡନ କରି ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ସଂସଦ ଭବନରେ ଇନ୍ଦିରା ଗାନ୍ଧୀ ନିଜ କାର୍ଯ୍ୟାଳୟରେ ବସି ଏକ ଟିଭି ସାକ୍ଷାତକାର ଦେଉଥିଲେ ।

ଏହି ସମୟରେ ଜେନେରାଲ ମାନେକଶାଂ ତାଙ୍କୁ ବାଂଲାଦେଶରେ ଭାରତର ବଡ ବିଜୟର ଖବର ଦେଇଥିଲେ । ହୋ-ହଲ୍ଲା ମଧ୍ୟରେ ଇନ୍ଦିରାଗାନ୍ଦି ଲୋକସଭାରେ ଘୋଷଣା କଲେ ଯେ, ଯୁଦ୍ଧରେ ଭାରତୀୟ ସେନାକୁ ବଡ଼ ବିଜୟ ମିଳିଛି । ଏହି ଘୋଷଣା ପରେ ସଂସଦରେ ସମସ୍ତେ ଉତ୍ସବ ମନାଇବାକୁ ଲାଗିଲେ ଏବଂ ଏହି ଦିବସକୁ ମନେ ରଖିବା ପାଇଁ ଆଜିର ଦିବସକୁ ବିଜୟ ଦିବସ ଭାବେ ପାଳନ କରାଯାଇଆସୁଛି ।

ଅଧିକ ପଢନ୍ତୁ: ସମ୍ବିଧାନ ବିତର୍କରେ ଗାନ୍ଧି ପରିବାର ଉପରେ ମୋଦିଙ୍କ ପ୍ରଚଣ୍ଡ ହମଲା