ନାସାର ନଜର ଇସ୍ରୋର ଚନ୍ଦ୍ରଯାନ-୩ ଟେକ୍ନୋଲୋଜୀ ଉପରେ ଥିଲା । ଚନ୍ଦ୍ରଯାନ-୩ ରେ ବ୍ୟବହୃତ ହୋଇଥିବା ଯନ୍ତ୍ରପାତିକୁ ନାସା ମାଗୁଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ।
ଆମେରିକାରେ ରକେଟ ମିଶନରେ ସାମିଲ ଥିବା ବିଶେଷଜ୍ଞମାନେ ଚନ୍ଦ୍ରଯାନ-୩ର ସ୍ପେସ୍ ଟେକ୍ନୋଲୋଜି ମାଗିଛନ୍ତି ବୋଲି ଇସ୍ରୋ ତରଫରୁ କୁହାଯାଇଛି । ବର୍ତ୍ତମାନ ସମୟ ବଦଳି ଯାଇଛି । ଭାରତ ଆଗ ପରି ଆଉ ଅନୁନ୍ନତ ପଛୁଆ ଦେଶ ହୋଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ବିଶ୍ବଗୁରୁ ଆସନରେ ବସିବାକୁ ଯାଉଛି ।
ଭାରତ ନିଜର ଜ୍ଞାନ କୌଶଳ ଦ୍ବାରା ସର୍ବୋତ୍ତମ ଉପକରଣ ନିର୍ମାଣ କରିବାରେ ସକ୍ଷମ । ଏଣୁ ପୁରା ବିଶ୍ବର ନଜର ଭାରତର ଜ୍ଞାନ କୌଶଳ ଉପରେ ପଡ଼ିଛି । ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର। ଦେଶରେ ଜ୍ଞାନ ଏବଂ ବୁଦ୍ଧିର ସ୍ତର ବିଶ୍ୱରେ ସର୍ବୋତ୍ତମ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ଚନ୍ଦ୍ରଯାନ-୩ ନିର୍ମାଣ ସମୟରେ ନାସାର ବିଶେଷଜ୍ଞଙ୍କୁ ଡକା ଯାଇଥିଲା । ନାସାର JPL ସେକ୍ଟରରୁ ପ୍ରାୟ ୬ ଜଣ ବିଶେଷଜ୍ଞ ଆସିଥିଲେ । ସେମାନେ ଭାରତର ଚନ୍ଦ୍ରଯାନ-୩ ର ନିର୍ମାଣ ଶୈଳୀ ଦେଖି ଅଭିଭୂତ ହୋଇଥିଲେ । ବୈଜ୍ଞାନିକ ଉପକରଣ ଗୁଡ଼ିକୁ ଦେଖି ବିଶେଷଜ୍ଞମାନେ ଏତେ ଶସ୍ତାରେ ସେଗୁଡ଼ିକ କିପରି ନିର୍ମାଣ ହେଲା ବୋଲି ପ୍ରଶ୍ନ କରିଥିଲେ । ପରେ ପରେ ଆମେରିକା ସହ ବାଣ୍ଟିବାକୁ କହିଥିଲେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତାଠାରୁ କଠିନ । କିନ୍ତୁ ଭୂତପୂର୍ବ ରାଷ୍ଟ୍ରପତିଙ୍କ କଥାକୁ ମନେ ପକାଇ ନୂଆ ଭାରତ, ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ଅବଦୁଲ କଲାମ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏପରି କଥା କହିଛନ୍ତି ସୋମନାଥ ।