• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଳି ଯୁଗର ଦାନବୀର ଡା. ଅରବିନ୍ଦ ଗୋଏଲ । ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା ବ୍ୟବସାୟୀ ସୋମବାର ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ତାଙ୍କର ସମସ୍ତ କଷ୍ଟଅର୍ଜିତ ସମ୍ପତ୍ତି ଉତ୍ତରପ୍ରଦେଶ ସରକାରଙ୍କୁ ଦାନ କରିଦେଇଛନ୍ତି । ୬୦୦ କୋଟିର ସମ୍ପତିକୁ ମାଗଣା ଶିକ୍ଷା ତଥା ରାଜ୍ୟର ଗରିବ ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପାଇଁ ଦାନ କରି କରିଛନ୍ତି । ଏବେ ତାଙ୍କ ନାମରେ ରଖିଛନ୍ତି ମୋରାଦାବାଦ ସିଭିଲ ଲାଇନ୍ସରେ ଥିବା ଏକମାତ୍ର କୋଠା । ରାତି ୧୧ଟାରେ ଡା. ଗୋୟଲ ଏପରି ଘୋଷଣା କରିବା ମାତ୍ରେ ସହରରେ ଆଲୋଚନାର ବିଷୟ ପାଲଟିଛି ।

ଡା. ଗୋଏଲ ଗତ ୫୦ ବର୍ଷ ମଧ୍ୟରେ କଠିନ ପରିଶ୍ରମ ଆଧାରରେ ଏହି ସମ୍ପତ୍ତି ଆୟ କରିଛନ୍ତି । ସେ ବର୍ତ୍ତମାନ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଅବସ୍ଥିତ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଏବଂ ବୃଦ୍ଧାଶ୍ରମର ଟ୍ରଷ୍ଟି ଅଟନ୍ତି । ସେ କରୋନା ପାଇଁ ଲକଡାଉନ୍ ସମୟରେ ମୋରାଦାବାଦର ୫୦ଟି ଗାଁକୁ ମଧ୍ୟ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ଏବଂ ସେଠାରେ ମାଗଣା ଖାଦ୍ୟ ଏବଂ ଔଷଧର ବ୍ୟବସ୍ଥା କରିଛନ୍ତି ।

ଡା. ଅରବିନ୍ଦ ପତ୍ନୀ ରେଣୁ, ଦୁଇ ପୁଅ ମଧୁର ଏବଂ ଶୁଭ ପ୍ରକାଶ ଏବଂ ଗୋଟିଏ ଝିଅ ସହ ରୁହନ୍ତି । ବଡ ପୁଅ ମଧୁର ଏବେ ମୁମ୍ବାଇରେ ରୁହନ୍ତି । ସାନପୁଅ ଶୁଭମ୍ ପ୍ରକାଶ ମୋରାଦାବାଦରେ ରହି ତାଙ୍କ ପିତାଙ୍କୁ ବ୍ୟବସାୟରେ ସାହାଯ୍ୟ କରନ୍ତି । ଝିଅ ବିବାହିତ ଏବଂ ସେ ତାଙ୍କ ଶାଶୁ ଘରେ ବରେଲିରେ ରୁହନ୍ତି । ତେବେ ତାଙ୍କର ଏହି ନିଷ୍ପତ୍ତିକୁ ପୂରା ପରିବାର ସମର୍ଥନ କରିଛନ୍ତି ।

ଡା. ଅରବିନ୍ଦ ଗୋଏଲ ତାଙ୍କ ସମ୍ପତ୍ତି ଦାନ କରିବେ ବୋଲି ଘୋଷଣା କରିବା ପରେ ଗଣମାଧ୍ୟମ ସହ ଆଲୋଚନା କରିବା ସହ ନିଜ ଅନୁଭୂତି ବଖାଣିଛନ୍ତି । ଡିସେମ୍ବର ମାସରେ ଦେଖିଥିବା ଏକ ଘଟଣାର ସ୍ମୃତିଚାରଣ କରିଛନ୍ତି । ସେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଦେଖିଲେ ଜଣେ ଗରିବ ଲୋକ ଶୀତରେ ଥରୁଛି । ହାଡ଼ଭଙ୍ଗା ଶୀତରେ ବି ତା’ପାଖରେ ଘୋଡ଼ାଇ ହେବା ପାଇଁ କମ୍ବଳ ଟିଏ ନାହିଁ କି ପାଦରେ ଚପଲ ହଳେ ନାହିଁ । ସେହି ବ୍ୟକ୍ତିଙ୍କୁ ଦେଖି ଡା.ଗୋୟଲଙ୍କର ହୃଦୟ ଭାଙ୍ଗି ଯାଇଥିଲା ଏବଂ ସେ ତାଙ୍କୁ ନିଜ ଜୋତା କାଢ଼ି ଦେଇ ଦେଇଥିଲେ ।

ତେବେ ସେ ଘରକୁ ଫେରିବା ପରେ ମଧ୍ୟ ସେହି ଘଟଣା ତାଙ୍କୁ ଆନ୍ଦୋଳିତ କରୁଥିଲା । ଶାନ୍ତିରେ ରାତିରେ ଶୋଇ ପାରୁନଥିଲେ । ସେହି ଦିନ ସେ ଏକ ନିଷ୍ପତ୍ତି ନେଇଥିଲେ । ଗରିବଙ୍କୁ ସାହାଯ୍ୟ କରିବା ସହ ପୂରା ସମ୍ପତ୍ତି ବାଣ୍ଟି ଦେବା ପାଇଁ ଚିନ୍ତା କଲେ ଏବଂ ଶେଷରେ ଏହାକୁ କାମରେ କରି ଦେଖାଇଲେ। ଏହି ଘଟଣା ଏବେ ସାରା ୟୁପିରେ ଚର୍ଚ୍ଚାର ବିଷୟ ପାଲଟିଛି।