Jual Oram Stuck in Air India: ଅଟକି ରହିଲା ଏୟାର ଇଣ୍ଡିଆ, ୪ ଘଣ୍ଟା କାଳ ଯାତ୍ରୀଙ୍କ ସହ ଫସି ରହିଲେ କେନ୍ଦ୍ରମନ୍ତ୍ରୀ

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି । ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୪ ଘଣ୍ଟା ଧରି ଫସି ରହିଲେ ଯାତ୍ରୀ । ବିମାନରେ ଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିମାନରେ ହୋଇଥିବା ବିଭିନ୍ନ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ । ଏଭଳି ଅବ୍ୟବସ୍ଥା ନେଇ ବର୍ଷିଲେ ।

ବିମାନରେ ଫସି ରହିଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫସିଥିଲେ ଯାତ୍ରୀ । ଗତକାଲି ରାତିରେ ଏୟାର ଇଣ୍ଡିଆର ଏକ ବିମାନ ରନୱେରେ ୪ ଘଣ୍ଟା ଧରି ଫସି ରହିଥିବା ସୂଚନା ମିଳିଥିଲା । ବିମାନଟି ଦିଲ୍ଲୀରୁ ଭୁବନେଶ୍ୱର ଆସିବାର ଥିଲା । କିନ୍ତୁ ବିମାନଟି କେଉଁ କାରଣ ପାଇଁ ଟେକ୍ ଅଫ୍ କରି ପାରଇନଥିଲା, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରହିଥିଲେ । ବିମାନଟି ଫସି ରହିଥିବା ନେଇ ଜୁଏଲ ଓରାମ ନିଜେ ଫୋନ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

 

ଫୋନ ଯୋଗେ ଜୁଏଲ ଓରାମ କହିଥିଲେ, "ପାଗ ଖରାପ ପାଇଁ ଏପରି ହୋଇଥାଇପାରେ । ସେମାନେ ବହୁତ ବିଳମ୍ବ କରିଲେ । ଶେଷରେ ଯାନ୍ତ୍ରିକ ତ୍ରୁଟି କଥା କହିଲେ । ଖାଇବା କି ପାଣି ଦେଲେନି । ବିଭିନ୍ନ ସମସ୍ୟା ହେଲା । ଏ ବିଷୟରେ ମୁଁ ସିଭିଲ୍ ଏଭିଏସନ ସହ କଥା ହୋଇଛି । ଏହା ଉପରେ ତଦନ୍ତ କରିବା ପାଇଁ କହିଛି ।" ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, " ଯେଉଁ ଜଣେ ଦୁଇ ଜଣଙ୍କ ପାଇଁ ଏପରି ହେଲା ସେଥିପାଇଁ ପୂରା ଏୟାର ଇଣ୍ଡିଆକୁ ଦାୟୀ କରିବା ଉଚିତ ନୁହେଁ ।" ଦୀର୍ଘ ସମୟ ଧରି ଫସି ରହିବା ପରେ ଆଉ ଓଡ଼ିଶା ଫେରିପାରିନଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓଡ଼ିଶା ଫେରିବେ ବୋଲି ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ:  ଏୟାର ଇଣ୍ଡିଆକୁ ପଡିଛି କି ଶନିଦଶା ? କାହିଁକି ବାରମ୍ୱାର ଘଟୁଛି ଏମିତି ?