କେନ୍ଦ୍ର ବଜେଟ୍‌-୨୦୨୪: ଏହି ୫ଟି ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି ।

Union Budget

ଜୁଲାଇ ୨୩ରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଙ୍ଗଳବାର ଆଗତ ହେବାକୁ ଥିବା ୨୦୨୪-୨୫ ବଜେଟରୁ ଅନେକ କିଛି ଆଶା କରାଯାଉଛି । ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଥର ସନ୍ତୁଳିତ ବଜେଟ୍‌ ଆସିପାରେ । ତେବେ ଆସନ୍ତୁ ନଜର ପକାଇବା ଚଳିତ ଥର ବଜେଟରେ କେଉଁ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି....

ଅଧିକ ପଢ଼ନ୍ତୁ: କେନ୍ଦ୍ର ବଜେଟ୍, ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ସରକାର

ଆୟୁଷ୍ମାନ ଭାରତ ଯୋଜନା

ଏଥର ବଜେଟ୍‌ରେ ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଆୟୁଷ୍ମାନ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ନେଇ ବଜେଟରେ ଘୋଷଣା କରିପାରନ୍ତି ସରକାର । ସୂଚନା ଅନୁସାରେ ଦେଶରେ ଏବେ ପ୍ରାୟ ୪ କୋଟି ଲୋକ ୭୦ ବର୍ଷରୁ ଅଧିକ ଅଟନ୍ତି । ବର୍ତ୍ତମାନ ୩୪ କୋଟିରୁ ଅଧିକ ଲୋକ ଆୟୁଷ୍ମାନ ଯୋଜନା ଅଧୀନରେ ସୁବିଧା ପାଉଛନ୍ତି । ତେବେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକ ଏଥିରେ ସାମିଲ ହେବା ପରେ ଏହି ସଂଖ୍ୟା ୩୮ କୋଟିରେ ପହଞ୍ଚିବ ।

କିସାନ ସମ୍ମାନ ନିଧି ଯୋଜନା: ୮ ହଜାର ହୋଇପାରେ ପ୍ରୋତ୍ସାହନ ରାଶି

କିସାନ ସମ୍ମାନ ନିଧି ଯୋଜନା ଅଧିନରେ ଏବେ କୃଷକମାନଙ୍କୁ ତିନୋଟି କିସ୍ତିରେ ୨-୨ ହଜାର ଅର୍ଥାତ ବର୍ଷକରେ ମୋଟ ୬ ହଜାର ଟଙ୍କା ମିଳିଥାଏ । ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରୋତ୍ସାହନ ରାଶିକୁ ୮ ହଜାରକୁ ବୃଦ୍ଧି କରିପାରନ୍ତି । କୃଷକମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ୨୦୧୮ ମସିହାରେ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ ହୋଇଥିଲା । ଦେଶରେ ପ୍ରାୟ ୯ କୋଟିରୁ ଅଧିକ କୃଷକ ଏହି ଯୋଜନାର ଲାଭ ଉଠାଉଛନ୍ତି ।

ତେବେ ବିଗତ ତିନି ବର୍ଷ ଧରି କିସାନ ସମ୍ମାନ ନିଧି ଯୋଜନାରେ କୌଣସି ପରିବର୍ତ୍ତନ ହୋଇନାହିଁ । ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ପ୍ରତିନିଧିଙ୍କ ସହ ଏକ ବୈଠକ କରିଥିଲେ । ତେବେ ଏହି ବୈଠକରେ ପିଏମ୍‌ କିସାନ ସମ୍ମାନ ନିଧି ଯୋଜନାରେ ମିଳୁଥିବା ପ୍ରୋତ୍ସାହନ ରାଶି ୬ ହଜାରରୁ ୮ ହଜାରକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ହାଲୁକା ହେବ କି ଆୟକର ବୋଝ ?

ସଞ୍ଚୟରେ ଟିକସ ରିହାତି: ଉପକୃତ ହେବେ ୨ କୋଟି ଟିକସଦାତା

EPF, PPF, ଇକ୍ୱିଟି ଲିଙ୍କ୍ଡ୍‌ ସେଭିଂ ସ୍କିମ୍, ସୁକନ୍ୟା ସମୃଦ୍ଧି ଯୋଜନା, ନ୍ୟାସନାଲ ସେଭିଂ ସାର୍ଟିଫିକେଟ, ୫ ବର୍ଷିଆ FD, ନ୍ୟାସନାଲ ପେନସନ୍‌ ସିଷ୍ଟମ୍‌ ଏବଂ ସିନିୟର ସିଟିଜେନ୍‌ ସେଭିଂ ସ୍କିମ୍‌ ପରି ଯୋଜନାରେ ନିବେଶ କଲେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ରିହାତି ମିଳିଥାଏ । ଏହା ଇନକମ୍‌ ଟ୍ୟାକ୍ସ ଆକ୍ଟର ସେକ୍ସନ 80C ଅଧିନରେ ଆସିଥାଏ । ତେବେ ଏଥର ବଜେଟରେ ଏହି ସୀମାକୁ ସରକାର ବଢ଼ାଇ ୨ରୁ ୩ ଲକ୍ଷ ପର୍ଯ୍ୟନ୍ତ କରିପାରନ୍ତି । ଯଦି ଏଥର ବଜେଟରେ ସରକାର ଏହି ପଦକ୍ଷେପ ନିଅନ୍ତି ତେବେ ୨ କୋଟିରୁ ଅଧିକ ଟିକସଦାତା ଉପକୃତ ହେବେ । ତେବେ ବିଗତ ତିନି ବର୍ଷ ହେବ 80Cରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ଚଳିତ ବଜେଟରେ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି ।

ହେଲ୍ଥ ଇନସ୍ୟୁରାନ୍ସ ପ୍ରିମିୟମରେ ଟିକସ ରିହାତି

ଇନକମ୍‌ ଟ୍ୟାକ୍ସ ଆକ୍ଟର ସେକ୍ସନ 80D ଅଧୀନରେ ହେଲ୍ଥ ଇନସ୍ୟୁରାନ୍ସରେ ଲାଗୁଥିବା ପ୍ରିମିୟମରେ ଟିକସ ରିହାତି ଦୁଇଗୁଣ ହୋଇପାରେ । ଏବେ 80D ଅଧୀନରେ ସ୍ୱାମୀ-ସ୍ତ୍ରୀ ଓ ପିଲାର ହେଲ୍ଥ ଇନସ୍ୟୁରାନ୍ସ ପାଇଁ ବାର୍ଷିକ ୨୫ ହଜାର ଟଙ୍କା ପ୍ରିମିୟମ ପର୍ଯ୍ୟନ୍ତ ଟିକସ ରିହାତି ମିଳିଥାଏ । ତେବେ ଏହା ୫୦ ହଜାରକୁ ବୃଦ୍ଧି କରାଯାଇପାରେ ।

ଅଟଳ ପେନସନ୍‌ ଯୋଜନା: ୫ ହଜାରରୁ ବଢ଼ି ହୋଇପାରେ ୧୦ ହଜାର

ଅଟଳ ପେନସନ୍‌ ଯୋଜନାରେ ମିଳୁଥିବା ରାଶିକୁ ସରକାର ଦୁଇ ଗୁଣ କରିପାରନ୍ତି । ବର୍ତ୍ତମାନ ଏହି ଯୋଜନାରେ ୫ ହଜାର ଟଙ୍କା ମିଳୁଛି । ଏହାକୁ ବୃଦ୍ଧି କରି ୧୦ ହଜାର ଟଙ୍କା କରାଯାଇପାରେ । ଅଟଳ ପେନସନ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିଥାଏ । ୬୦ ବର୍ଷ ପୂରା ହେବା ପରେ ମାସକୁ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ପେନସନ୍‌ ମିଳିଥାଏ ।