• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗତ ୮ବର୍ଷ ଧରି ଖର୍ଚ୍ଚ ବୃଦ୍ଧି ଏବଂ ମହଙ୍ଗା ମାଡ଼ରେ ଘାଇଲା ଆୟକରଦାତା ଓ ବେତନଭୋଗୀଙ୍କୁ ଏଥର ବି ନିରାଶ କରିଛି କେନ୍ଦ୍ର ବଜେଟ୍ । ଇନକମ୍ ଟ୍ୟାକ୍ସ ପେୟରଙ୍କ ପାଇଁ କୌଣସି ନୂଆ ଘୋଷଣା ହୋଇନି । ତେଣୁ ପୂର୍ବରୁ ଯେମିତି ଆୟକର ଦେଉଥିଲେ, ତାହା ଏବର୍ଷ ମଧ୍ୟ ଜାରି ରହିବ । ଅର୍ଥାତ୍ ଶୂନରୁ ଅଢ଼େଇ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁନଥିବାବେଳେ ଅଢ଼େଇରୁ ୫ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୫ରୁ ସାଢ଼େ ୭ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ, ସାଢ଼େ ୭ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଓ ୧୦ରୁ ସାଢ଼େ ୧୨ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ହିସାବରେ ଦେବାକୁ ହେବ ଇନକମ୍ ଟ୍ୟାକ୍ସ ।

ତେବେ ନୂଆ ନିଷ୍ପତ୍ତିକ୍ରମେ କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ତାକୁ ସୁଧାରିବାର ସୁବିଧା ଦିଆଯାଇଛି । ଏମିତିକି ଏ ସମ୍ପର୍କିତ ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ କରଦାତା ୨ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ବୋଲି ବଜେଟ୍ ଭାଷଣରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।

ତେବେ ଆୟକର ସ୍ଲାବ୍ ଅପରିବର୍ତ୍ତିତ ନିଷ୍ପତ୍ତି ଉଭୟ ମଧ୍ୟବିତ୍ତ ଓ ବେତନଭୋଗୀଙ୍କୁ ନିରାଶ କରିଥିବା କହିଛନ୍ତି ଅର୍ଥନୀତି ବିଶ୍ଳେଷକ ରାଜୀବ ସାହୁ । ତେବେ ଏଥର ବଜେଟ୍‌ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ-ନ୍ୟାସନାଲ ପେନସନ୍ ସ୍କିମ୍ ବା NPS ପାଇଁ ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କଠାରୁ ବି ୧୪ ପ୍ରତିଶତ ଦରମା କଟାଯିବାକୁ ନିଷ୍ପତ୍ତି ହୋଇଛି । ଏଥିସହ କୋ-ଅପରେଟିଭ ସୋସାଇଟି ଟ୍ୟାକ୍ସ ୧୮%ରୁ କମି ୧୫% କରାଯାଇଥିବାବେଳେ କର୍ପୋରେଟ ସରଚାର୍ଜ ୧୨%ରୁ ହ୍ରାସ କରାଯାଇ ୭% କରାଯାଇଛି ।

 

ସେପଟେ ଚଳିତବର୍ଷ ଆରମ୍ଭରୁ ଦେଶରେ ଜିଏସ୍‌ଟି ଆଦାୟ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ୨୦୨୨ର ପ୍ରଥମ ମାସରେ ରେକର୍ଡ ୧ଲକ୍ଷ ୪୦ ହଜାର ୯୮୬ କୋଟି GST ସଂଗ୍ରହ ହୋଇଥିବା ବଜେଟ୍‌ରେ ସୂଚନା ଦେଇଛନ୍ତି ସୀତାରମଣ।