• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ ଲାଗୁ ହେବ କି ୟୁନିଫର୍ମ ସିଭିଲ କୋଡ୍ ବା ଏକକ ନାଗରିକ ସଂହିତା ? ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୟୁନିଫର୍ମ ସିଭିଲ କୋଡ୍ ଲାଗୁ ନେଇ ଜୋରଦାର ଦାବି ରଖିବା ପରେ ଆରମ୍ଭ ହୋଇଛି ବିତର୍କ । ମୁସଲିମ୍ ମହିଳାଙ୍କ ସ୍ୱାର୍ଥ ରକ୍ଷା ଲାଗି ଆଇନ ଅଣାଯିବାର ନିହାତି ଆବଶ୍ୟକତା ଥିବା ସେ କହିଛନ୍ତି ।

ସ୍ୱାମୀ ୩ଟି ପତ୍ନୀଙ୍କୁ ନେଇ ଘରକୁ ଆସୁ, କୌଣସି ମହିଳା ଏହା ଚାହିଁବେ ନାହିଁ । ତାଙ୍କୁ ଭେଟୁଥିବା ମୁସଲିମ୍ ମହିଳା ଏକକ ନାଗରିକ ସଂହିତା ଲାଗୁ ପାଇଁ ଏକ ସ୍ୱରରେ ମତ ଦେଉଛନ୍ତି । ତେଣୁ ବହୁ ବିବାହ ପ୍ରଥା ଉଚ୍ଛେଦ ଏବଂ ମହିଳାଙ୍କ ସ୍ୱାର୍ଥ ରକ୍ଷା ଲାଗି ଏହା ନିହାତି ଜରୁରୀ ବୋଲି ସେ ମତ ଦେଇଛନ୍ତି । ବହୁ ବିବାହ ତାଙ୍କ ସମସ୍ୟା ନୁହେଁ, ମୁସଲିମ୍ ମହିଳାଙ୍କ ସମସ୍ୟା । ତେଣୁ ତିନ୍ ତଲାକ୍ ଭଳି ୟୁନିଫର୍ମ ସିଭିଲ କୋଡକୁ ତୁରନ୍ତ ଲାଗୁ କରାଯିବା ଦରକାର ବୋଲି ସେ ଦାବି ରହିଛନ୍ତି ।

ତେଣେ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଏଥିପାଇଁ ଖୁବ୍ ଶୀଘ୍ର ଏକ ଉଚ୍ଚ କ୍ଷମତା ସଂପନ୍ନ ଏକ୍ସପର୍ଟ କମିଟି ଗଠନ କରାଯିବ । କମିଟି ଏକକ ନାଗରିକ ସଂହିତାର ଡ୍ରାଫ୍ଟ ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । ସେହିପରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ୟୁନିଫର୍ମ ସିଭିଲ କୋଡ ସମର୍ଥନରେ ବାହାରିଛନ୍ତି । ହିମାଚଳ ପ୍ରଦେଶରେ ଖୁବ୍ ଶୀଘ୍ର ଏକକ ନାଗରିକ ସଂହିତା ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି । ମୁସଲିମ୍ ସମାଜ ଏହାଦ୍ୱାରା ପ୍ରଭାବିତ ହେବେ ନାହିଁ ବରଂ ମୁସଲିମ୍ ମହିଳାମାନେ ଉପକୃତ ହେବେ ବୋଲି ସେ ମତ ଦେଇଛନ୍ତି ।

ତେବେ ୟୁନିଫର୍ମ ସିଭିଲ କୋଡକୁ ଅଗ୍ରାହ୍ୟ କରିଦେଇଛି ଅଲଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ । ଏକକ ନାଗରିକ ସଂହିତା ଅଣସାମ୍ବିଧାନିକ ବୋଲି କହିଛି ଲ ବୋର୍ଡ । ଏହା ସଂଖ୍ୟାଲଘୁଙ୍କ ସ୍ୱାର୍ଥ ବିରୋଧୀ ଓ ୟୁନିଫର୍ମ ସିଭିଲ କୋଡକୁ ସଂଗଠନ ବିରୋଧ କରିବ ବୋଲି କହିଛି ।

ଭାରତରେ ଦରକାର ନାହିଁ ୟୁନିଫର୍ମ ସିଭିଲ୍ କୋଡ୍ । ଏକକ ନାଗରିକ ସଂହିତା ଲାଗୁକୁ ଜୋରଦାର ବିରୋଧ କରିଛନ୍ତି AIMIM ନେତା ଅସଦୁଦ୍ଦିନ ଓୱେସି । ଭାରତରେ ଏହାକୁ ଲାଗୁ କରାଯିବାର ଆଦୌ ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଲ କମିଶନ ମଧ୍ୟ ୟୁନିଫର୍ମ ସିଭିଲ କୋଡ୍ ସପକ୍ଷରେ ନଥିବା ସେ କହିଛନ୍ତି । ତେବେ କଂଗ୍ରେସ ସାଂସଦ କେଟିଏସ୍ ତୁଲସୀ ୟୁନିଫର୍ମ ସିଭିଲ୍ କୋଡକୁ ସମର୍ଥନ କରି କହିଛନ୍ତି, ଏହା ନାଗରିକଙ୍କ ବ୍ୟକ୍ତିଗତ ଅଧିକାରର କଥା ।

ତେବେ ଏଥିପାଇଁ ପ୍ରଥମେ ଧାର୍ମିକ ନେତା ମାନଙ୍କର ଅନୁମତି ନିଆଯିବା ଦରକାର । ଏହାଦ୍ୱାରା ମୁସଲିମ୍ ମହିଳାଙ୍କ ଅଧିକାର ସୁନିଶ୍ଚିତ କରାଯାଇପାରିବ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଆଧୁନିକ ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧର୍ମ ନିର୍ବିଶେଷରେ ସମାନ ଅଧିକାର ମିଳିବା ଉଚିତ ।

OTV is now on Whatsapp

Join and get latest news update delivered to you via whatsapp

Join Now