Advertisment

ମିଳିଲାନି ଆମ୍ବୁଲାନ୍ସ; ମଲା ପୁଅକୁ ବ୍ୟାଗ୍‌ରେ ପୂରାଇ ୨ ଶହ କିମି ଯାତ୍ରା କଲେ ବାପା

ବିନା ଟଙ୍କାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଡ଼ ନ ହୋଇ ପାରିବାରୁ ଶେଷରେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍‌ରେ ୨ଶହ କିମି ଯାତ୍ରା କଲେ ବାପା ।

author-image
Manoranjan Behera
ଅଦ୍ୟତନ ହୋଇଛି
Special Story

Special Story

ଆମ୍ବୁଲାନ୍ସ ପାଇଁ ଟଙ୍କା ଅଭାବ ପଡ଼ିଲା । ମାଗଣା ଆମ୍ବୁଲାନ୍ସ ସେବା ବି ମିଳିଲାନି । ଶେଷରେ ନିଜର ମଲା ଛୁଆକୁ ବ୍ୟାଗ୍‌ରେ ପୂରାଇ ୨୦୦ କିମି ବସ୍‌ରେ ଯାତ୍ରା କଲେ ଜଣେ ବାପା । ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ଡଙ୍ଗିପରା ଅଞ୍ଚଳର ମୁସ୍ତାଫାନଗର ପଞ୍ଚାୟତରେ ଦେଖିବାକୁ ମିଳିଛି ।

Advertisment

ସିଲିଗୁଡ଼ି ଅଞ୍ଚଳର ଆଶିମ ଦେବଶର୍ମା ନିଜ ୫ ମାସର ପୁଅକୁ ଅସୁସ୍ଥତା ହେତୁ ପ୍ରଥମେ କାଳିଗଞ୍ଜ ମେଡିକାଲ, ତା’ପରେ ରାନୀଗଞ୍ଜ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଉତ୍ତର ବଙ୍ଗର ଏକ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ୬ ଦିନ ଚିକିତ୍ସିତ ହେବା ପରେ ଗତ ଶନିବାର ପିଲାଟି ଆଖି ବୁଜିଥିଲା । ଏହା ମଧ୍ୟରେ ଆଶିମଙ୍କ ନିକଟରେ ଥିବା ସବୁ ଟଙ୍କା ସରି ଯାଇଥିଲା । ତାଙ୍କ କହିବାନୁଯାୟୀ ୬ ଦିନରେ ସେ ମୋଟ୍‌ ୧୬,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ଛୁଆକୁ ଆମ୍ବୁଲାନ୍ସ କରି ଘରକୁ ଆଣିବାକୁ ବି ପାଖରେ ଅର୍ଥ ନଥିଲା ।

ଯନ୍ତ୍ରଣା ଜର୍ଜରିତ ଛୁଆଟି ମେଡିକାଲ ବେଡରେ ଛଟପଟ ହେବାର ୬ ଦିନ ପରେ ଆଖି ବୁଜିଦେଲା । ଆଖି ଆଗରେ ନିଜ ଛୁଆ ଚାଲି ଯିବା ଦେଖି ଭାଙ୍ଗି ପଡ଼ିଥିଲା ହତଭାଗା ବାପା । ଆଉ ଏମିତି ସମୟରେ ପାଖରେ ଟଙ୍କା ନ ଥିବାରୁ ଛୁଆର ମୃତଦେହକୁ ଘରକୁ ନେବାକୁ ଭାରି ହଇରାଣ ହୋଇଥିଲା ବାପା । ବିନା ଟଙ୍କାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଡ଼ ନ ହୋଇ ପାରିବାରୁ ଶେଷରେ ସେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍‌ରେ ୨ଶହ କିମି ଯାତ୍ରା କଲା ।

Advertisment

ପିଲାଟିର ମୃତଦେହକୁ ଘରକୁ ନେବାକୁ ଆଶିମ ପ୍ରଥମେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ । ମାତ୍ର ଡ୍ରାଇଭର୍‌ ଜଣକ ଏଥିପାଇଁ ୮ ହଜାର ଟଙ୍କା ଦେବାକୁ କହିଥିଲେ । ଏପରିକି ୧୦୨ ଯୋଜନାରେ ଚାଲୁଥିବା ଆମ୍ବୁଲାନ୍ସ ସେବା ରୋଗୀଙ୍କୁ ଆଣିବାକୁ ଉଦ୍ଦିଷ୍ଟ, ମୃତଦେହ ନେବା ପାଇଁ ନୁହେଁ ବୋଲି ସେ ସଫା ସଫା ଶୁଣାଇ ଦେଇଥିଲେ।

ଏହାପରେ ଆଶିମ କ’ଣ କରିବେ କିଛି ବୁଝି ପାରିଲେନି । ଶେଷରେ ନିରାଶ ହୋଇ ଏକ ବ୍ୟାଗ୍‌ରେ ନିଜ ଛୁଆର ମୃତଦେହକୁ ରଖି ଏକ ଯାତ୍ରୀବାହୀ ବସ୍‌ରେ ଚଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ସିଲିଗୁଡ଼ିଠୁ ୨ଶହ କିମି ଦୂର ଉତ୍ତର ଦିନାଜପୁର ଜିଲ୍ଲାର କାଳିଆଗଞ୍ଜ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ସେ ବ୍ୟାଗରେ ମୃତଦେହ ନେଇ ଯାଉଛନ୍ତି ବୋଲି କେହି ଜାଣିପାରି ନଥିଲେ । ଗାଁରେ ପହଞ୍ଚି ସେ ପିଲାଟିର ଅନ୍ତିମ ସତ୍କାର କରିଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସରକାରଙ୍କ ସ୍ୱାସ୍ଥ୍ୟ ସାଥୀ ଓ ସ୍ୱାସ୍ଥ୍ୟ ବୀମା ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ବ୍ୟକ୍ତିଙ୍କର ଏକ ଫଟୋ ଟ୍ୱିଟ କରି ସେ ଲେଖିଛନ୍ତି, କ’ଣ ସ୍ୱାସ୍ଥ୍ୟ ସାଥୀ ଯୋଜନା ଏହି ସଫଳତା ହାସଲ କରିଛି? ଏହା ଉନ୍ନତ ବଙ୍ଗଳା ମଡେଲର ଚିତ୍ର କି?

ଏକ ଛୋଟ ଛୁଆର ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁଛି ବୋଲି ଟିଏମ୍‌ସି ଅଭିଯୋଗ କରିଛି। ଟିଏମ୍‌ସିର ରାଜ୍ୟସଭା ସାଂସଦ ଶାନ୍ତନୁ ସେନ କହିଛନ୍ତି, ଏକ ଛୋଟ ଛୁଆର ମୃତ୍ୟୁକୁ ନେଇ ବିଜେପି ହୀନ ରାଜନୀତି କରୁଛି।

102 Ambulance Special Story
Advertisment
Advertisment