• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର । କୁନି ପିଲାଙ୍କ ପାଇଁ ବାପାମା’ ମାନେ ଆଉ ହଇରାଣ ହେବେ ନାହିଁ କି ବାରମ୍ବାର ଆଧାର ସେଣ୍ଟର୍ ଦଉଡ଼ିବାକୁ ପଡ଼ିବ ନାହିଁ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଖୁବ୍ ଶୀଘ୍ର ନବଜାତ ଶିଶୁମାନଙ୍କୁ ହସ୍ପିଟାଲରେ ଆଧାର କାର୍ଡ ଉପଲବ୍ଧ କରାଇବାକୁ ପ୍ରସ୍ତୁତି କରୁଛି । ଏଥିପାଇଁ ଶୀଘ୍ର ଡାକ୍ତରଖାନାଗୁଡ଼ିକରେ ଆଧାର ଏନରୋଲମେଣ୍ଟର ସୁବିଧା ଦିଆଯିବ। ଯଦ୍ୱାରା ତୁରନ୍ତ ନବଜାତ ଶିଶୁମାନଙ୍କର ଆଧାର କାର୍ଡ ତିଆରି ହୋଇଯିବ ।

ନବଜାତ ଶିଶୁଙ୍କୁ ହସ୍ପିଟାଲରେ ହିଁ ଆଧାର ନମ୍ବର ଦେବା ପାଇଁ UIDAI ବର୍ଥ ରେଜିଷ୍ଟ୍ରାର୍‌ଙ୍କ ଟାଇଅପ୍ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୯୯.୭ ପ୍ରତିଶତ ବୟସ୍କ ବୟସ୍କଙ୍କୁ ଆଧାର ନମ୍ବର ଦିଆଯାଇଛି । ଏଥିପାଇଁ ପ୍ରାୟ ୧୩୧ କୋଟି ଜନସଂଖ୍ୟାକୁ ଏନରୋଲ୍ କରାଯାଇଛି । ନବଜାତ ଶିଶୁମାନଙ୍କ ନାମରେ ଶୀଘ୍ର ଆଧାର କାର୍ଡ ଜାରି କରିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା କଥା କହିଛନ୍ତି UIDAI ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ଗର୍ଗ ।

ଦେଶରେ ପ୍ରତିବର୍ଷ ୨ ରୁ ୨.୫ କୋଟି ଶିଶୁ ଜନ୍ମ ନିଅନ୍ତି । ଆଉ ସେମାନଙ୍କୁ ସିଧାଦସଳଖ ଆଧାରରେ ଏନରୋଲ କରାଇବାର ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ସୌରଭ ଗର୍ଗ । ଶିଶୁର ଜନ୍ମ ସମୟରେ ଫଟୋ କ୍ଲିକ୍ କରି ସେହି ଆଧାରରେ, ଆଧାର କାର୍ଡ ଉପଲବ୍ଧ କରାଯିବ । ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କର ବାୟୋମେଟ୍ରିକ୍ ସଂଗ୍ରହ କରାଯାଏ ନାହିଁ । କିନ୍ତୁ ଏହାଦ୍ୱାରା ପିଲାଙ୍କ ଆଧାରକୁ ବାପା କିମ୍ବା ମାଙ୍କର ଆଧାର ସହ ଲିଙ୍କ କରାଯାଏ । ଆଉ ପିଲାକୁ ପାଞ୍ଚ ବର୍ଷ ହେବା ପରେ ପିଲାଟିର ବାୟୋମେଟ୍ରିକ୍ ନିଆଯାଏ ।

ବର୍ତ୍ତମାନ ଦେଶର ସମଗ୍ର ଜନସଂଖ୍ୟାକୁ ଆଧାର ନମ୍ବର ଯୋଗାଇବାକୁ ଚେଷ୍ଟା କରାଯାଉଛି । ଗତ ବର୍ଷ ଦୁର୍ଗମ ଅଞ୍ଚଳରେ ୧୦,୦୦୦ କ୍ୟାମ୍ପ ସ୍ଥାପନ କରାଯାଇ ଆଧାର ଏନରୋଲମେଣ୍ଟ କରାଯାଇଥିଲା । ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ଆଧାର କାର୍ଡ ଦେବାପାଇଁ ଏନରୋଲମେଣ୍ଟ କରାଗଲା । ୨୦୧୦ରେ ପ୍ରଥମ ଆଧାର ନମ୍ବର ଆବଣ୍ଟନ କରାଯାଇଥିଲା ।

ପ୍ରାରମ୍ଭରୁ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଇଥିଲା । ବର୍ତ୍ତମାନ ପ୍ରତିବର୍ଷ ପାଖାପାଖି ୧୦ କୋଟି ଲୋକ ନିଜ ନାଁ, ଠିକଣା ଓ ମୋବାଇଲ୍ ନମ୍ବର ଅପ୍‌ଡେଟ କରୁଛନ୍ତି । ୧୪୦ କୋଟି ବ୍ୟାଙ୍କ ଖାତା ମଧ୍ୟରୁ ୧୨୦ କୋଟି ଖାତା ସହ ଆଧାର ଲିଙ୍କ ହୋଇଥିବା UIDAI ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।