Parliament: ଲୋକସଭାରେ ସମ୍ବିଧାନକୁ ନେଇ ବିତର୍କ, ମତ ରଖିବେ ବିଭିନ୍ନ ଦଳ

ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିତର୍କରେ ଭାଗ ନେବେ । ସେହିପରି ୧୬ ଓ ୧୭ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବ ବିତର୍କ ।

Parliament

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୁଇଦିନ ଧରି ଲୋକସଭାରେ ହେବ ସ୍ୱତନ୍ତ୍ର ଡିବେଟ୍ । ଆଜି ଓ ଆସନ୍ତାକାଲି ଲୋକସଭାରେ ବିଭିନ୍ନ ଦଳର ସାଂସଦ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କରେ ଭାଗ ନେଇ ନିଜର ମତ ରଖିବେ । ଏଥିପାଇଁ ବିଜେପି ଓ କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରିଛନ୍ତି । ଲୋକସଭାରେ ଚର୍ଚ୍ଚାର ଆରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିତର୍କରେ ଭାଗ ନେବେ । ସେହିପରି ୧୬ ଓ ୧୭ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବ ବିତର୍କ । ରାଜ୍ୟସଭାରେ ବିତର୍କର ନେତୃତ୍ୱ ନେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଡିସେମ୍ବର ୧୬ରେ ନିଜର ପକ୍ଷ ରଖିବେ । ପରଦିନ ଅର୍ଥାତ୍ ମଙ୍ଗଳବାର ଏହା ଉପରେ ମତ ରଖିବେ ପ୍ରଧାନମନ୍ତ୍ରୀ ମୋଦି ।

ସମ୍ବିଧାନ ଉପରେ ବିତର୍କ ଦାବିରେ ବାରମ୍ବାର ହଟ୍ଟଗୋଳ ଓ ଗୃହ ମୁଲତବୀ ହୋଇଥିଲା । ଯାହାକୁ ନେଇ ଡିସେମ୍ବର ୨ ତାରିଖରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ଓମ୍ ବିର୍ଲା । ଏହି ବୈଠକରେ ସମ୍ବିଧାନ ଉପରେ ବିତର୍କ ପାଇଁ ସବୁ ଦଳର ସଦସ୍ୟ ସହମତି ପ୍ରକାଶ କରିଥିଲେ । ସେପଟେ ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢନ୍ତୁ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଦଗ୍ଧ

ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ । ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ । ମଧ୍ୟାହ୍ନରେ ସଙ୍ଗମ ସାଇଟରେ ମା' ଗଙ୍ଗାଙ୍କ ପ୍ରାର୍ଥନା ଓ ଦର୍ଶନ କରିବେ । ପରେ ଅକ୍ଷୟବନ ବୃକ୍ଷ ସ୍ଥାନରେ ପୂଜା କରିବେ ପ୍ରଧାନମନ୍ତ୍ରୀ ।

ପରେ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂଅକୁ ଯାଇ ପୂଜା କରିବା କାର୍ଯ୍ୟକ୍ରମ ରହିଛି । ଦିନ ସାଢେ ଗୋଟାଏରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ପ୍ରୟାଗରାଜରେ ପ୍ରାୟ ୫ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଯେଉଁଥିରେ ରହିଛି ବିଭିନ୍ନ ରେଳ, ସଡକ, ବିଦ୍ୟୁତ, ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକାଧିକ ପ୍ରକଳ୍ପ । ଏଥିସହିତ ଭରଦ୍ୱାଜ ଆଶ୍ରମ କରିଡର, ଶ୍ରୀଙ୍ଗଭରପୁର ଧାମ କରିଡର, ଅକ୍ଷୟଭଟ୍ଟ କରିଡର, ହନୁମାନ ମନ୍ଦିର କରିଡର ଆଦିର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କୁମ୍ଭ ‘ସାହାୟକ’ ଚାଟବଟ୍ ମଧ୍ୟ ଲଞ୍ଚ କରିବେ । ଯାହାକି ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ମେଳା ୨୦୨୫ ଓ ଏହାର କାର୍ଯ୍ୟକ୍ରମ ବିଷୟରେ ସର୍ବଶେଷ ସୂଚନା ପ୍ରଦାନ କରିବ । ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ଯାଏଁ ମହାକୁମ୍ଭ ମେଳା ଚାଲିବ । ଏଥିରେ ପ୍ରାୟ ୪୦ କୋଟି ଲୋକଙ୍କର ସମାଗମ ଆଶା କରାଯାଉଛି । ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୋଇଥାଏ ମହାକୁମ୍ଭ ମେଳା ।

ଅଧିକ ପଢନ୍ତୁ: ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ, କୁମ୍ଭ ‘ସହାୟକ’ ଚାଟବଟ୍ ହେବ ଲଞ୍ଚ୍