ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଫୋନରେ କେବଳ କଲ୍ କିମ୍ବା SMS କରୁଥିଲେ, ଆଉ ନିରୁପାୟ ଭାବେ ଡାଟା ପ୍ୟାକ୍ ଯୋଡ଼ାଥିବା କମ୍ବୋ ପ୍ୟାକ୍ ରିଚାର୍ଜ କରିବାକୁ ପଡ଼ିବନି । ଡୁଆଲ୍ ସିମ୍ ଫୋନରେ ଦ୍ୱିତୀୟ ସିମ୍ ଆକ୍ଟିଭ୍ ରଖିବାକୁ ବି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ଉପଭୋକ୍ତାଙ୍କୁ ନିଜର ଆବଶ୍ୟକତା ଅନୁସାରେ ଟାରିଫ୍ ଭାଉଚର୍ ଆଣିବାକୁ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ଟେଲିକମ୍ ନିୟାମକ ସଂସ୍ଥା ଟ୍ରାଇ ।
ଟେଲିକମ୍ ଅପରେଟରଙ୍କୁ ଟ୍ରାଇ ଛାଟ ! ଏଣିକି ଆଣିବାକୁ ପଡ଼ିବ 'ଶସ୍ତା ରିଚାର୍ଜ' । କେବଳ ଭଏସ୍ ଓ SMS ରିଚାର୍ଜ କରୁଥିଲେ, ଅଯଥା ବୋହିବାକୁ ପଡ଼ିବନି ଡାଟା ପ୍ୟାକ୍ ବୋଝ । ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇର ନୂଆ ବିଜ୍ଞପ୍ତି । ଗ୍ରାହକ ସୁରକ୍ଷା ଓ ଟାରିଫ୍ ନିୟମରେ ହୋଇଛି ବଡ଼ ସଂଶୋଧନ ।
ଏହି ନୂଆ ନିୟମ ଅନୁଯାୟୀ, ଟେଲିକମ୍ କଂପାନୀମାନେ କେବଳ ଭଏସ୍ କଲ୍ ଓ SMS ପାଇଁ ସ୍ପେଶାଲ ଟାରିଫ୍ ଭାଉଚର୍ ରଖିବାକୁ ବାଧ୍ୟ । ସେମାନଙ୍କୁ ଅତି କମ୍ରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର୍ ରଖିବାକୁ ପଡ଼ିବ । ସ୍ପେଶାଲ୍ ଟାରିଫ୍ ଭାଉଚର୍ ଓ କମ୍ବୋ ଭାଉଚରର ସର୍ବାଧିକ ଭ୍ୟାଲିଡିଟି ବା ବୈଧତା ୯୦ ଦିନରୁ ୩୬୫ ଦିନକୁ ବୃଦ୍ଧି କରାଯାଇଛି ।
Also Read
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ବି ଚିଟ୍ଫଣ୍ଡ ଠକେଇର ଶିକାର; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା
ଏଥିସହ ଅନଲାଇନ ରିଚାର୍ଜ ପ୍ରଚଳନ ବଢ଼ିଥିବାରୁ ଭାଉଚର୍ କଲର୍ କୋଡିଂକୁ ହଟାଇ ଦିଆଯାଇଛି । ତେବେ ୧୦ ଟଙ୍କିଆ ଟପ୍ ଅପ୍ ଏବଂ ଭଏସ୍ ଓ SMS ପାଇଁ ସ୍ପେଶାଲ୍ ରିଚାର୍ଜ ବୟସ୍କ ଏବଂ ଗ୍ରାମାଞ୍ଚଳର ଗରିବ ଗୁରୁବାଙ୍କୁ ବିଶେଷ ଫାଇଦା ଦେବ ବୋଲି ଆଶା କରାଯାଉଛି । ବିଶେଷ କରି, ଏବେ ବି କି-ପ୍ୟାଡ୍ ବା ଫିଚର୍ ଫୋନ୍ ବ୍ୟବହାର କରୁଥିବା ଲୋକେ ନୂଆ ନିୟମ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ଦେଶରେ ଏବେବି ୧୫ କୋଟି ଲୋକ ଫିଚର୍ ଫୋନ୍ ଓ ଟୁ-ଜି ନେଟୱର୍କ ବ୍ୟବହାର କରୁଛନ୍ତି । ଏମାନଙ୍କ ସହିତ ଇଣ୍ଟରନେଟ୍ ବ୍ୟବହାର ଜାଣିନଥିବା ବା ଆବଶ୍ୟକତା ନଥିବା ଲୋକ ଏବଂ ଅଗଣିତ ଡୁଆଲ୍-ସିମ୍ ୟୁଜରଙ୍କ ପାଇଁ ବି ଆଶ୍ୱସ୍ତି ଆଣିବ ଟ୍ରାଇର ଏହି ନୂଆ ନିୟମ ।
ପ୍ରାୟ ସମସ୍ତ ଟେଲିକମ୍ କଂପାନୀଙ୍କ ଦ୍ୱାରା ଏବେ ପ୍ରଚଳିତ ହେଉଛି ବଣ୍ଡଲ୍ ବା କମ୍ବୋ ପ୍ୟାକ୍ । ମୋବାଇଲରେ ଇଣ୍ଟରନେଟ୍ ଦରକାର ନଥିଲେ ବି, ଭଏସ୍ କଲ୍ ପାଇଁ ବାଧ୍ୟ ହୋଇ ଡାଟା ପ୍ୟାକ୍ ମିଶିଥିବା କମ୍ବୋ ରିଚାର୍ଜ କରିବାକୁ ପଡ଼ୁଛି ଏବଂ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଟେଲିକମ୍ ସଂସ୍ଥାମାନେ କେବଳ ଡାଟା ରିଚାର୍ଜ ସୁବିଧା ରଖୁଥିଲେ ବି, କେବଳ ଭଏସ୍ ପ୍ୟାକ୍ ଅପସନ୍ ରଖୁନାହାନ୍ତି ।
ସେପଟେ ଡୁଆଲ୍ ସିମ୍ ଫୋନରେ, ଦ୍ୱିତୀୟ ସିମ୍କୁ କେବଳ ଆକ୍ଟିଭ୍ ରଖିବା ପାଇଁ ବି ଦାମୀ ରିଚାର୍ଜ କରିବାକୁ ପଡ଼ୁଛି । ତେବେ ନୂଆ ନିୟମ ଲାଗୁ ହେଲେ ମାସିକ ରିଚାର୍ଜ ବୋଝ ବହୁ ମାତ୍ରାରେ ହ୍ରାସ ପାଇବ ବୋଲି ଆଶା ରଖିଛନ୍ତି ଉପଭୋକ୍ତା । ଟ୍ରାଇର ଏହି ନୂଆ ନିୟମକୁ ଟେଲିକମ୍ ସଂସ୍ଥାମାନେ କେବେ ଲାଗୁ କରୁଛନ୍ତି, ତା ଉପରେ ନଜର ।