• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଜଷ୍ଟିସ୍‌ ଏ ଆରୁମୁଗାସ୍ୱାମୀ । ତଦନ୍ତ କମିଶନ ବିଶେଷ କରି ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା, ସେତେବେଳର ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓଙ୍କ ଭୂମିକାକୁ ଅପରାଧ କହି ଏମାନଙ୍କ ବିରୋଧରେ ଅଧିକ ତଦନ୍ତ ପାଇଁ ସୁପାରିଶ କରାଯାଇଛି ।

ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ କରିଥିବା ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ ଆରୁମୁଗାସ୍ୱାମୀ ଏହା ମଧ୍ୟ କହିଛନ୍ତି, ସେତେବେଳର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ଭାସ୍କର ଓ ଆପୋଲୋ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ପ୍ରତାପ ରେଡ୍ଡି ଭୁଲ ତଥ୍ୟ ଦେଇଥିଲେ । ୨୦୧୬ ସେପ୍ଟେମ୍ବର ୨୨ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କୁ ଭର୍ତ୍ତି କରାଯାଇଥିଲା । ୭୫ ଦିନର ଚିକିତ୍ସା ପରେ ଡିସେମ୍ବର ୫ରେ ତାଙ୍କର ବିୟୋଗ ହୋଇଥିଲା ।

ଏହି ୭୫ ଦିନ ଭିତରେ ଜୟଲଳିତାଙ୍କ ସଂପର୍କରେ କୌଣସି ତଥ୍ୟ ବାହାରକୁ ଆସୁନଥିଲା । ଏପରିକିି ତାଙ୍କର କୌଣସି ଘନିଷ୍ଠ ବନ୍ଧୁ, ସଂପର୍କୀୟ ମଧ୍ୟ ହସ୍ପିଟାଲରେ ତାଙ୍କୁ ଦେଖା କରିପାରିନଥିଲେ । ଜୟଲଳିତାଙ୍କର କଣ ହୋଇଥିଲା, କେମିତି ଚିକିତ୍ସା ଚାଲିଥିଲା, କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ  ଉଠିଥିଲା । ତେଣୁ ତଦନ୍ତ ପାଇଁ ୨୦୧୭ରେ ଗଠନ କରାଯାଇଥିଲା କମିଶନ ଏବଂ ଏହାର ଦାୟିତ୍ୱ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ ଆରୁମୁଗସ୍ୱାମୀଙ୍କୁ ମିଳିଥିଲା ।

ଚେନ୍ନାଇ ଆପୋଲୋର ଆବେଦନକ୍ରମେ ତଦନ୍ତ କମିଶନଙ୍କୁ ସହଯୋଗ କରିବାକୁ ଦିଲ୍ଲୀ ଏମସ୍‌କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଅବଶ୍ୟ ଦିଲ୍ଲୀ ଏମସ୍‌ ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲା ଯେ, ଠିକ୍ ଭାବେ ଜୟଲଳିତାଙ୍କ ଚିକିତ୍ସା କରାଯାଇଛି । ସେଥିରେ କୌଣସି ଭୁଲ ନାହିଁ ।

୨୦୨୧ରେ ଡିଏମ୍‌କେ ସରକାର ଗଠନ ହେବା ପରେ ଜୟଲଳିତାଙ୍କ ମୃତ୍ୟୁ ଉପରୁ ପର୍ଦ୍ଦାଫାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଏହି କ୍ରମରେ ବିଧାନସଭାରେ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇଛି ।