• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେବଭୂମି ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର କର୍ଣ୍ଣପ୍ରୟାଗ ସହର । ଯୋଶୀମଠ ଠାରୁ ଦୂରତା ୮୦ କିଲୋମିଟର । ଏଇଠି ବି ମାଟି ଦବିଛି, ଘର ଫାଟିଛି । ଯୋଶୀମଠ ଭଳି ଏଇଠି ବି ଶୁଭୁଛି ଧ୍ୱଂସର ପଦଧ୍ୱନୀ ।

କର୍ଣ୍ଣପ୍ରୟାଗର ଗବ୍ବର୍ ସିଂ କଷ୍ଟ ଉପାର୍ଜିତ ଟଙ୍କାରେ ଘର ଖଣ୍ଡେ କରିଥିଲେ । କିନ୍ତୁ ତାହା ଏବେ ଧରାଶାୟୀ ହେବାର ଅଶଶଙ୍କା ଦେଖାଦେଇଛି । ବେଡରୁମରୁ ବାରଣ୍ଡା ଯାଏଁ ଲମ୍ବିଯାଇଛି ବିପଦପୂର୍ଣ୍ଣ ଫାଟ । ଫାଟ ଦେଖି ଛାତିରେ ଛନକା ପଶିଯାଉଛି । ରାତିରେ ନିଦ ନାହିଁକି ପେଟରେ ଭୋକ ନାହିଁ । କାରଣ ପାଦ ତଳେ ଆଁ କରିଛି ମୃତ୍ୟୁର ଯନ୍ତା ।

କର୍ଣ୍ଣପ୍ରୟାଗରେ କେବଳ ଏହି ଗୋଟିଏ ଯୋଡ଼ିଏ ଘର ନୁହଁ । ଏଭଳି ଭାବେ ପ୍ରାୟ ୩୦ଟି ଘରେ ଏଭଳି ଫାଟ ସୃଷ୍ଟି ହୋଇଛି । ଏଠାକାର ଲୋକେ ସାଧାରଣତଃ ଗୋପାଳନ ଏବଂ ଦୁଗ୍ଧ ଚାଷ କରି ଜୀବିକା ନିର୍ବାହ କରନ୍ତି । ବର୍ଷ ବର୍ଷ ଧରି ରହି ଆସୁଛନ୍ତି ଏଠାରେ । କିନ୍ତୁ ଏଭଳି ବିପଦଜନକ ସ୍ଥିତି କେବେ ଉପୁଜିନଥିବା ଲୋକେ କହିଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେଉଁ ସହଯୋଗ ମିଳିବା କଥା, ତାହା ମିଳିପାରୁନଥିବା ଅଭିଯୋଗ କରୁଛନ୍ତି । ସୁରକ୍ଷିତ ଥଇଥାନ ଏବଂ କ୍ଷତିପୂରଣ ପାଇଁ ଲୋକେ ଧାରଣା ଦେଇଥିବା କଥା ବି କହୁଛନ୍ତି ।

ଅଧିକ ପଢ଼ନ୍ତୁ: ଦବି ଦବି ଯାଉଛି ଯୋଶୀମଠ ସହର, ନଇଁ ଗଲାଣି କୋଠାବାଡ଼ି ! ପୋତି ହୋଇଯିବ କି ସହର..

ଏପଟେ କଟକଣା ସତ୍ତ୍ୱେ ଉତ୍ତରାଖଣ୍ଡର ଯୋଶୀମଠ ଅଂଚଳରେ ବିନା ଅନୁମତିରେ ଖନନ କାର୍ଯ୍ୟ ଚାଲିଛି । ବିଳମ୍ବିତ ରାତିରେ ବେଧଡକ ଖନନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କ୍ରସର ଦ୍ୱାରା ଖନନ ପରେ କ୍ରେନ ସହାୟତାରେ ପଥର ନିଆଯାଉଥିବା ଦେଖିବାକୁ ମିଳିଛି । ଯୋଶୀମଠ ଅଂଚଳରେ ୭ଶହରୁ ଅଧିକ ଘରେ ଫାଟ ସୃଷ୍ଟି ହେବା ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ଖନନ କାର୍ଯ୍ୟ ଉପରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।

ଯୋଶୀମଠକୁ ସାଧାରଣତଃ ଜ୍ୟୋତିର୍ମଠ ଭାବେ ବି ପରିଗଣିତ କରାଯାଏ । ଏଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୀଠ ବି ରହିଛି । ଭୌଗୋଳିକ ସ୍ଥିତିକୁ ଦେଖି ୧୯୭୬ ମସିହାରେ ଚେତାବନୀ ମଧ୍ୟ ଦିଆଯାଇଥିଲା । ଏବେ ଏହି ଧାର୍ମିକ ଏବଂ ପଯର୍ୟଟନ ସହର ଯୋଶୀମଠ ସବୁଠୁ ବଡ଼ ବିପଦରେ ରହିଛି ।

ବର୍ତ୍ତମାନ ସୁଦ୍ଧା ଯୋଶୀମଠରେ ୭୨୩ଟି ଘରେ ଫାଟ ସୃଷ୍ଟି ହୋଇଥିବାବେଳେ ବିପନ୍ନଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସପ୍ତାହେ ପରେ ସର୍ଭେ କାର୍ଯ୍ୟ ସରିବ ଏବଂ ଏହାପରେ ଆହୁରି ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।